ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ଭି.କେ ସାକ୍ସସେନାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଗଛ କାଟିକୁ କିଭଳି ଅନୁମତି ଦେଲେ ବୋଲି ପ୍ରଶ୍ନ କରିଥିଲେ । ଏହା ସହିତ ନିଜକୁ କ’ଣ ଅଦାଲତ ଭାବୁଛନ୍ତି ବୋଲି କଡ଼ା ଟିପ୍ପଣୀ କରିଥିଲେ।
ସୂଚନା ଅନୁଯାୟୀ, ଦିଲ୍ଲୀ ବିକାଶ ପ୍ରାଧିକରଣ ରାଜଧାନୀରେ ଗଛକଟିବାକୁ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଏବେ ସର୍ବୋଚ୍ଚ ଅଦାଲତରେ ବିଚାରଧୀନ ରହିଥିବା ବେଳେ ଦିଲ୍ଲୀ ଉପ-ରାଜ୍ୟପାଳ ଗଛ କାଟିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହାକୁ ନେଇ ଏଲଜିଙ୍କ ଉପରେ ବର୍ଷିଛନ୍ତି କୋର୍ଟ । ଶୁକ୍ରବାର ନ୍ୟାୟଧୀଶ ଜଷ୍ଟିସ୍ ଅଭୟ ଏସ୍ ଔକା ଏବଂ ନ୍ୟାୟଧୀଶ ଜଷ୍ଟିସ୍ ଉଜ୍ଜଳ ଭୁଇଁୟାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଏଥିରୁ ଉପ-ରାଜ୍ୟପାଳ ନିଜର ସମ୍ପୃକ୍ତି ଲୁଚାଇବାକୁ ପ୍ରୟାସ କରିବାରୁ କଡ଼ା ନିନ୍ଦା କରିଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାର ଶୁଣାଣି ପୂର୍ବରୁ ଅଦାଲତଙ୍କୁ ସୂଚୀତ କରିବାର ଆବଶ୍ୟକ ଥିଲା । ମାତ୍ର ଏଲଜି ଏହା ନକରି ଗଛ କାଟିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଲଜି ନିଜ ବୋଧେ ଅଦାଲତ ଭାବୁଛନ୍ତି ବୋଲି ଖଣ୍ଡପୀଠ କହିଥିଲେ ।
ଏହା ସହିତ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀରେ ଗଛକଟାକୁ ନେଇ ଉପ-ରାଜ୍ୟପାଳ ନିଜ ବିବେକର ବ୍ୟବହାର କରିନାହାନ୍ତି । ସେ ମାନି ନେଇଛନ୍ତି ଯେ ଗଛ କାଟିବା ଅଧିକାର ତାଙ୍କ ପାଖରେ ରହିଛି । କୋର୍ଟରେ ମାମଲାରେ ରହିଥିବା ବେଳେ ଯାହା ସବୁ ହେଉଛି, ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଅଦାଲତଙ୍କୁ ପ୍ରଥମ ଦିନ ଜଣାଇ ଦେବାର ଥିବା କି ଗଛ କାଟିବା ପାଇଁ ଉପ-ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଏହି ମାମଲା ଦିଲ୍ଲୀ ବିକାଶ ପ୍ରାଧିକରଣ ପକ୍ଷରୁ ବେଆଇନ ଗଛ କଟାକୁ ନେଇ ଜଡ଼ିତ । ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ହଜାରେରୁ ଅଧିକ ଗଛ କଟାଯାଇଛି । ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଅଦାଲତ ଅନୁମତି ଜରୁରୀ ଥିଲା । ଆମ୍ ଆଦମୀ ପାର୍ଟି ସରକାର ଅଭିଯୋଗ କରିଥିଲା ଯେ, ଡିଡିଏ ଉପ-ରାଜ୍ୟପାଳଙ୍କ ଅନୁମତିରେ ହଜାରେରୁ ଅଧିକ ଗଛ କାଟିଛନ୍ତି ।