ଲଇକେରା ଓ କିର୍ମିରା ଜନଜାତି ଉପଯୋଜନା ବ୍ଲକ ଘୋଷିତ; ଡିସେମ୍ୱର ୧ରୁ ଝାରସୁଗୁଡ଼ାରେ ହେବ ବିଜୟ ଯାତ୍ରା

Published By : Prameya-News7 Bureau | November 28, 2022 IST

ଝାରସୁଗୁଡ଼ା ୨୮/୧୧: ସମ୍ମିଳିତ ଆଦିବାସୀ ସମାଜର ଦିର୍ଘ ଦଶ ବର୍ଷର ନିରନ୍ତର ଉଦ୍ୟମରେ ଝାରସୁଗୁଡା ଲଇକେରା ଓ କିର୍ମିରା ବ୍ଲକ ଦ୍ବୟକୁ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ନଭେମ୍ୱର ୨୪ରେ ଦିନ ଟିଏସପି ବ୍ଲକ ଭାବରେ ଘୋଷଣା କରିଛନ୍ତି। ଏହା ପରେ କେନ୍ଦ୍ର ଆଦିବାସୀ ବିଭାଗ ରାଜ୍ୟ ସରକାରଙ୍କୁ ମଧ୍ୟ ଏନେଇ  ସୂଚନା ଦେଇଛନ୍ତି। ଏହି ସଫଳତାରେ ଝାରସୁଗୁଡ଼ା ଜିଲ୍ଲା ତଥା ରାଜ୍ୟର ସମସ୍ତ ଆଦିବାସୀମାନେ ଖୁସି ଥିବା ଜଣାପଡ଼ିଛି। ଏହି ସଫଳତା ପାଇଁ ସମ୍ମିଳିତ ଆଦିବାସୀ ସମାଜ ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ୮୪ତମ ଜୟନ୍ତୀ ଅବସରରେ ଡିସେମ୍ବର ୧ରୁ ଝାରସୁଗୁଡ଼ା ବସଷ୍ଟାଣ୍ଡରେ ଥିବା ମହାତ୍ମାଗାନ୍ଧୀ ଛକରୁ ମଙ୍ଗଳବଜାରରେ ଥିବା ପୌରପରିଷଦ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ବିଜୟ ଯାତ୍ରାର ଆୟୋଜନ ହୋଇଛି।

ଏଥିରେ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା, ଶହୀଦ କରୁଣାକର ସିଂହ ନାୟକ, ଖଗ ନାଏକ ଓ କହ୍ନେଇ ନାୟକ ସ୍ମୃତି ଟ୍ରଷ୍ଟ ପ୍ରତ୍ୟକ୍ଷ ଭାବେ ଯୋଗ ଦେବେ। ବହୁ ଆଗରୁ ଝାରସୁଗୁଡ଼ାର ଲଇକେରା କିର୍ମିରା ଓ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକରେ କେନ୍ଦ୍ର ସରକାର ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ସମ୍ମିଳିତ ଆଦିବାସୀ ସମାଜର ନେତୃତ୍ୱରେ ଓଡ଼ିଶାର ୩୦ଟି ଜିଲ୍ଲାରେ ସଂଗଠନ ହେବ ବୋଲି କୁହାଯାଇଛି।

ଆଦିବାସୀ ମାନଙ୍କର ଅଧିକାର, ପେଶା ଆଇନ ଲାଗୁ, ରାଜ୍ୟରେ ଆଦିବାସୀ କମିଶନ ଗଠନ, ଶିକ୍ଷା କ୍ଷେତ୍ରରେ ଆବାଦି ଅନୁଯାୟୀ ୨୩ ପ୍ରତିଶତ ଆରକ୍ଷଣ ଦେବା, ଆଦିବାସୀମାନଙ୍କୁ ଋଣ ଦେବାରେ ଥିବା ରିଜର୍ଭ ବ୍ୟାଙ୍କ କଟକଣାକୁ ଉଠାଇବା, ବିଶ୍ବ ବ୍ୟାଙ୍କ, ମିଳିତ ଜାତିସଂଘ ତଥା ବିଭିନ୍ନ ସୂତ୍ରରୁ ଆଦିବାସୀମାନଙ୍କ ପାଇଁ ଆସୁଥିବା ପାଣ୍ଠିର ବାଟ ମାରଣାକୁ ବନ୍ଦ କରିବା, ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକର ଟିଏସପି ବ୍ଲକ ପ୍ରସ୍ତାବକୁ ଘୋଷଣା କରିବା ଆଦି ଉପରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ  ମିଳିତ ଆଦିବାସୀ ସମାଜ ଗ୍ରହଣ କରିବ ବୋଲି ସଂଗଠନର ମୂଖ୍ୟ ଉପଦେଷ୍ଟା ତଥା ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.