ଏହି ୬ଟି ରେଳ ଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ, ଜୈସ୍-ଇ-ମହମ୍ମଦ ନାଁରେ ଆସିଛି ଚିଠି

Published By : Prameya-News7 Bureau | May 09, 2022 IST

ନୂଆଦିଲ୍ଲୀ ୯।୫: ଉତ୍ତରାଖଣ୍ଡର ଅନେକ ରେଲଓ୍ବେ ଷ୍ଟେସନକୁ ବୋମା ପକାଇ ଉଡାଇଦେବାକୁ ଧମକ ଦିଆଯାଇଛି । ଏହାପରେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ରୁଡକି ରେଲଓ୍ବେ ଷ୍ଟେସନର ଅଧୀକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ଲସ୍କର, ନଜିବାବାଦ, ଡେରାଡୁନ, ରୁଡକି, ଋଷିକେଶ, ହରିଦ୍ବାର ରେଳ ଷ୍ଟେସନ ସମେତ ଅନେକ ଧାର୍ମିକ ସ୍ଥଳକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି ।

ଅସ୍ପଷ୍ଟ ହିନ୍ଦୀରେ ଲେଖାଯାଇଥିବା ଏହି ଚିଠିକୁ ପଠାଇଥିବା ଲୋକ ନିଜକୁ ଆତଙ୍କୀ ସଂଗଠନ ଜୈସ୍-ଇ-ମହମ୍ମଦର ଏରିଆ କମାଣ୍ଡର ସଲିମ ଅନସାରୀ କହିଛି । ଚିଠି ମିଳିବା ପରେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦିଆଯାଇଥିଲା । ତଦନ୍ତ ବେଳେ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି ।

ନିଜେ ପୋଲିସ ମହାନିର୍ଦ୍ଦେଶକ ଏହି ମାମଲାର ତଦନ୍ତ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ସେ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚିଠି ପଠାଇଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ । ଯିଏକି ଗତ ୨୦ ବର୍ଷ ହେବ ଏଭଳି ଧମକ ଦେଉଛି । ଏହା ସତ୍ତ୍ବେ ଉତ୍ତରାଖଣ୍ଡ ପୋଲିସ ଏହି ଚିଠିକୁ ଗୁରୁତ୍ବର ସହ ନେଇ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛନ୍ତି । ଚିଠିରେ ଦିଆଯାଇଥିବା ଏହି ରେଲଓ୍ବେ ଷ୍ଟେସନ ବ୍ୟତୀତ ରାଜ୍ୟର ପ୍ରମୁଖ ମନ୍ଦିର ଏବଂ ଜନଗହଳିପୂର୍ଣ୍ଣ ଆୟୋଜନ ଉପରେ ଫୋକସ୍ କରିବାକୁ କୁହାଯାଇଛି । ସୂତ୍ର ଅନୁସାରେ ପୋଲିସ ପୂର୍ବରୁ ମିଳିଥିବା ଚିଠିର ଲେଖା ସହ ଏବେର ଚିଠିକୁ ମିଳାଉଛି ।

ଉଲ୍ଲେଖଯୋଗ୍ୟ ଯେ, ରୁଡକି ରେଲଓ୍ବେ ଷ୍ଟେସନ ଅଧୀକ୍ଷକଙ୍କ ନିକଟକୁ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ରେ ଏହିପରି ଧମକପୂର୍ଣ୍ଣ ଚିଠି ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.