୧୯ ରାଜ୍ୟର ବିଧାନସଭାରେ ୧୦ ପ୍ରତିଶତରୁ ବି କମ ମହିଳା ବିଧାୟକ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ରାଜନୈତିକ ଦଳ ମହିଳାଙ୍କ ଭାଗିଦାରୀକୁ ବଢାଇବା କଥା କହୁଛନ୍ତି, କିନ୍ତୁ ସଂସଦ ଏବଂ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ନୈରାସ୍ୟଜନକ ରହିଛି । ବାସ୍ତବିକତା ଏହା ଯେ ଦେଶର ୧୯ ରାଜ୍ୟର ବିଧାନସଭାରେ ମହିଳା ବିଧାୟକଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତଠୁ କମ ରହିଛି । ଲୋକସଭାରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁସାରେ, ଆନ୍ଧ୍ର ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ସିକ୍କିମ, ତାନିଲମାଡୁ, ତେଲେଙ୍ଗାନା, ତ୍ରିପୁରା, ପୁଡୁଚେରୀ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ବିଧାନସଭାର ମହିଳାଙ୍କ ସଂଖ୍ୟା ୧୦ ପ୍ରତିଶତରୁ ବି କମ ରହିଛି ।

ଡାଟା ଅନୁସାରେ, ବିହାରରେ (୧୦.୭୦), ଛତିଶଗଡ (୧୪.୪), ହରିୟାଣା (୧୦), ଝାଡଖଣ୍ଡ (୧୨.୫), ପଞ୍ଜାବ (୧୧.୧୧), ରାଜସ୍ଥାନ (୧୨), ଉତ୍ତରାଖଣ୍ଡ (୧୧.୪୩), ଉତ୍ତର ପ୍ରଦେଶ (୧୧.୬୬), ପଶ୍ଚିମବଙ୍ଗ (୧୩.୭୦), ଦିଲ୍ଲୀ (୧୧.୪୩)ରେ ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦ ପ୍ରତିଶତ ଅଧିକ ରହିଛି ।

ସରକାରୀ ତଥ୍ୟ ଅନୁସାରେ, ଲୋକସଭାରେ ମହିଳା ସାଂସଦଙ୍କ ଅଂଶ ୧୪.୯୪ ପ୍ରତିଶତ ଏବଂ ରାଜ୍ୟସଭାରେ ଏହା ୧୪.୦୫ ପ୍ରତିଶତ ରହିଛି । ଅନ୍ୟପଟେ ସାରା ଦେଶରେ ବିଧାନସଭାରେ ମହିଳା ବିଧାୟକଙ୍କ ହାର ମାତ୍ର ୮ ପ୍ରତିଶତ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ଦିନରୁ ମହିଳା ସଂରକ୍ଷଣ ବିଧେୟକ ପାରିତ କରିବା ନେଇ ଦାବି ହୋଇ ଆସୁଛି । ଏହି ବିଧେୟକକୁ ପ୍ରଥମେ ୧୯୯୬ରେ ସଂସଦରେ ଆଗତ କରାଯାଇଥିଲ । ଏହାପରେ ଅନେକ ଥରେ ଏହାକୁ ଆଗତ କରାଯାଇ ସାରିଛି । ୨୦୧୦ରେ ଏହି ବିଧେୟକକୁ ରାଜ୍ୟସଭାରେ ପାରିତ କରାଯାଇଥିଲା, କିନ୍ତୁ ୧୫ତମ ଲୋକସଭା ଭଙ୍ଗ ହେବା ପରେ ଏହି ବିଧେୟକର ଅବଧି ଶେଷ ହୋଇଯାଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.