ହିମାଚଳ ଭବନ ଓ ସଦନରେ ଆଉ ବିଧାୟକ, ସାଂସଦଙ୍କୁ ମିଳିବନି ଭୋଜନ ରିହାତି

Published By : Prameya-News7 Bureau | December 13, 2022 IST

ଶିମଲା ୧୩।୧୨: ହିମାଚଳ ଭବନ ଓ ସଦନରେ ଏଣିକି ବିଧାୟକଙ୍କୁ ଆଉ ଭୋଜନ ରିହାତି ମିଳିବନି। ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସାଂସଦ ଓ ବିଧାୟକ ଏଣିକି ସାଧାରଣ ଜନତାଙ୍କ ଭଳି ଏଠାରେ ଭୋଜନ ସାଧାରଣ ଦରରେ କରିବେ। ପୂର୍ବରୁ ମିଳୁଥିବା ରିହାତି ଉଠାଇ ଦିଆଯିବ। ନୂଆ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ହିମାଚଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ମାର୍ଗଦର୍ଶନରେ ହିମାଚଳ ପ୍ରଦେଶର ବିକାଶ କରିବେ ଓ ରାଜ୍ୟକୁ ପୁରା ଦେଶରେ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବେ ବୋଲି କହିଛନ୍ତି। ସେହିପରି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ହିମାଚଳ ପ୍ରଦେଶ ନୂଆ ଉଚ୍ଚତାକୁ ଛୁଇଁବ ବୋଲି କହିଛନ୍ତି।

 ରାଜ୍ୟପାଳ କହିଛନ୍ତି ଯେ ବିଧାନସଭାରେ ମୁଁ ସୁଖବିନ୍ଦର ସିଂହ ସୁଖୁଙ୍କ ପ୍ରଦର୍ଶନ ଦେଖିଛି, ସେ ଜଣେ ଦୂରଦର୍ଶୀ ନେତା ଆଶା କରୁଛି ତାଙ୍କ ଟିମ୍ ସବୁ ପ୍ରଶାସନିକ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବେ। ସୌଜନ୍ୟମୂଳକ ସାକ୍ଷାତକାର କାଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିମାଚଳ ପ୍ରଦେଶକୁ ବିକାଶ ରାସ୍ତାରେ ଆଗେଇ ନେବାକୁ ଆମେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ମାର୍ଗଦର୍ଶନ ନେଉଥିବୁ। ବିକାଶ ଦୃଷ୍ଟିରୁ ଯେପରି ହିମାଚଳ ଦେଶର ଆଦର୍ଶ ରାଜ୍ୟ ହୋଇପାରିବ ତାହା ତାଙ୍କର ଉଦ୍ଦେଶ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.