ଏକ ଯୁଗର ଅବସାନ: ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କ ଅବସର ଘୋଷଣା, ଲେଭର କପ୍ ହେବ ଶେଷ ଟୁର୍ଣ୍ଣାମେଣ୍ଟ
15/09/2022 at 8:04 PM

ନୂଆଦିଲ୍ଲୀ: ମହାନ ଟେନିସ୍ ଖେଳାଳି ରୋଜର ଫେଡେରେର ଗୁରୁବାର ପେଶାଦାର ଟେନିସ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ଗୋଟିଏ ଯୁଗର ଅବସାନ ଘଟିଛି। ଚଳିତ ବର୍ଷ ଲଣ୍ଡନରେ ଖେଳାଯିବାକୁ ଥିବା ଲେଭର କପ୍ ୨୦ ଗ୍ରାଣ୍ଡସ୍ଲାମ ବିଜେତା ଫେଡେରରଙ୍କ ହେବ ଶେଷ ଟୁର୍ଣ୍ଣାମେଣ୍ଟ। ଫେଡେରର ୪୧ ବର୍ଷ ବୟସରେ ଟେନିସ୍କୁ ଅଲବିଦା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେଡେରର ୨୦୨୧ ଜୁଲାଇରେ ଓ୍ଵିମ୍ବଲଣ୍ଡନ ଖେଳିବା ପରେ ମଇଦାନକୁ ଆଉ ଓହ୍ଲାଇନଥିଲେ। ଏହା ପରେ ତାଙ୍କ ଆଣ୍ଠୁରେ ଅନେକ ସର୍ଜରୀ ହୋଇଥିଲା।
To my tennis family and beyond,
— Roger Federer (@rogerfederer) September 15, 2022
With Love,
Roger pic.twitter.com/1UISwK1NIN
ସ୍ଵିଜରଲାଣ୍ଡର ଫେଡେରର ଟୁଇଟ୍ କରି ନିଜ ଅବସରର ସୂଚନା ଦେଇଛନ୍ତି। ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିବା ୪୧ ବର୍ଷୀୟ ରୋଜର ଫେଡେରର ଓ୍ଵିମ୍ବଲଣ୍ଡନର କ୍ଵାର୍ଟର ଫାଇନାଲ୍ରେ ପରାଜୟ ପରେ କୋର୍ଟରୁ ବାହାରେ ଥିଲେ। ଏହା ପରେ ସେ ଆଣ୍ଠୁର ଅସ୍ତ୍ରୋପଚାର କରାଇଥିଲେ। ସେପ୍ଟେମ୍ବରରେ ଲଣ୍ଡନରେ ଖେଳାଯିବାକୁ ଥିବା ଲେଭର କପ୍ ତାଙ୍କ ଜୀବନର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ଫେଡେରର କହିଛନ୍ତି, ମୁଁ ୪୧ ବର୍ଷ ବୟସରେ ପଦାର୍ପଣ କରିଛି। ମୁଁ ନିଜ ୨୪ ବର୍ଷର ଟେନିସ୍ କ୍ୟାରିୟରରେ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛି ଏବଂ ଟେନିସ୍ ମୋ ସହିତ ଏତେ ଉଦାର ବ୍ୟବହାର କରିଛି ଯାହା କେବେ ମୁଁ ଚିନ୍ତା କରିନଥିଲି। ତେବେ ପ୍ରତିଯୋଗିତାମୂଳକ କ୍ୟାରିୟର ସମାପ୍ତ କରିବାର ସମୟ ଆସି ଯାଇଛି। ମୁଁ ନିଶ୍ଚିତ ରୂପେ ଭବିଷ୍ୟତରେ ଅଧିକ ଟେନିସ୍ ଖେଳିବି, ମାତ୍ର ଏହା କୌଣସି ଗ୍ରାଣ୍ଡସ୍ଲାମ କିମ୍ବା କୌଣସି ଟୁର ହେବ ନାହିଁ।
ସେ ଲେଖିଛନ୍ତି ଗତ ୨୪ ବର୍ଷ ମୋ ପାଇଁ ଚମତ୍କାର ରହିଛି। ବେଳେ ବେଳେ ଲାଗୁଛି ଏହି ୨୪ ବର୍ଷ ମାତ୍ର ୨୪ ଘଣ୍ଟାରେ ସରି ଯାଇଛି। ଏହା ଏମିତି ଏକ ଅନୁଭବ, ଯାହାକୁ ମୁଁ ପୂରା ଜୀବନରେ ଉପଭୋଗ କରିଛି। ମୋର ସୌଭାଗ୍ୟ ମୋତେ ଆପଣଙ୍କ ପରି ଦର୍ଶକଙ୍କ ସାମ୍ନାରେ ବସି ୪୦ ଅଲଗା ଅଲଗା ଦେଶରେ ଖେଳିବାର ସୁଯୋଗ ମିଳିଛି। ଏହି ସମୟରେ ମୁଁ ହସିଛି ଏବଂ କାନ୍ଦିଛି, ଖୁସି ମିଳିଛି ଏବଂ ଦୁଃଖ ବି ମିଳିଛି। ମାତ୍ର ମୁଁ ନିଜ ପାଇଁ ଭଲ ଅନୁଭବ କରିଛି ବୋଲି ମହାନ ଖେଳାଳି ଫେଡେରର କହିଛନ୍ତି। ୧୯୯୮ରେ ଫେଡେରର ପେଶାଦାର ଟେନିସ୍ କ୍ୟାରିୟର ଆରମ୍ଭ କରିଥିଲେ।
ଫେଡେରରଙ୍କ କ୍ୟାରିୟର ଉପରେ ନଜର ପକାଇଲେ ସେ ଆଠ ଓ୍ଵିମ୍ବଲଣ୍ଡନ, ଛଅ ଅଷ୍ଟ୍ରେଲିଆନ ଓପନ, ପାଞ୍ଚ ୟୁଏସ ଓପନ ଏବଂ ଥରୁଟିଏ ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଛନ୍ତି। ସେ ନିଜ କ୍ୟାରିୟରରେ ମୋଟ୍ ୧୦୩ ଟାଇଟଲ୍ ଜିତିଛନ୍ତି। ସ୍ଵିଜରଲାଣ୍ଡ ପାଇଁ ଅଲିମ୍ପିକରେ ଦୁଇ ସ୍ଵର୍ଣ୍ଣ ପଦକ ଜିତିବା ସହିତ ଖେଳାଳି ଭାବେ ବିଶ୍ଵ ଟେନିସ୍ ମାନ୍ୟତାରେ ୨୩୭ ସପ୍ତାହ ପର୍ଯ୍ୟନ୍ତ ଶୀର୍ଷରେ ରହିବାର ରେକର୍ଡ କରିଥିଲେ।
— Roger Federer (@rogerfederer) September 15, 2022
ନିକଟ ବର୍ଷଗୁଡିକରେ ଫେଡେରର ଲଗାତାର ଆହତ ସମସ୍ୟା ଦେଇ ଗତି କରିଥିଲେ। ଏହି ସମୟରେ ରାଫେଲ ନାଦାଲ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ ଏବଂ ଫ୍ରେଞ୍ଚ ଓପନ ଟାଇଟଲ୍ ଜିତି ସର୍ବାଧିକ ୨୨ ଗ୍ରାଣ୍ଡ ସ୍ଲାମ୍ ଜିତି ରେକର୍ଡ କରିଛନ୍ତି। ଏହି ତାଲିକାରେ ନୋଭାକ ଜୋକୋଭିକ ଦ୍ଵିତୀୟରେ ଏବଂ ୨୦ ଗ୍ରାଣ୍ଡସ୍ଲାମ ସହ ଫେଡେରର ତୃତୀୟ ସ୍ଥାନରେ ରହିଛନ୍ତି।
ରୋଜର ଫେଡେରର ୨୦୦୩ରେ ଓ୍ଵିମ୍ବଲଣ୍ଡନ ଜିତି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ। ୨୨ ବର୍ଷ ବୟସରେ ସେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ। ଫେଡେରର ୨୦୧୮ରେ ନିଜର ଶେଷ ଗ୍ରାଣ୍ଡସ୍ଲାମ ଜିତିଥିଲେ। ସେ ମାରିନ ସିଲିଚ୍ଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ।