ପୁଣି ସାମ୍ନାକୁ ଆସିଲା ଇସ୍କନର ମନମାନୀ : ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
5/03/2020 at 5:25 PM

ପୁରୀ ୫/୩: ପୁଣି ସାମ୍ନାକୁ ଆସିଛି ଇସ୍କନର ମନମାନି । ମାର୍ଚ୍ଚ ୧୮ରେ ମଥୁରାରେ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ନେଇ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଏହାକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ବାରମ୍ବାର ଇସ୍କନର ଏଭଳି ହୀନ ଉଦ୍ୟମକୁ ତୀବ୍ର ବିରୋଧ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ବିଭିନ୍ନ ସଂଗଠନ । ଏମିତିକି ଶ୍ରୀମନ୍ଦିର ପ୍ରଶାସନର ନିୟମ ଓ ନିର୍ଦେଶକୁ ଇସ୍କନ ବେଖାତିର କରୁଥିବା ଅଭିଯୋଗ ହୋଇଛି ।

ବାରମ୍ବାର ବିବାଦ ପରେ ବି ବାଟକୁ ଆସୁନି ଇସ୍କନ୍ । ମାର୍ଚ୍ଚ ୧୮ରେ ମଥୁରାରେ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ନେଇ ସୋସିଆଲ ମିଡିଆରେ ପ୍ରଚାର ପରେ ଏହାକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ବାରମ୍ବାର ଇସ୍କନର ଏଭଳି ହୀନ ଉଦ୍ୟମକୁ ତୀବ୍ର ବିରୋଧ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ବିଭିନ୍ନ ସଂଗଠନ । ଏମିତିକି ଶ୍ରୀମନ୍ଦିର ପ୍ରଶାସନର ନିୟମ ଓ ନିର୍ଦେଶକୁ ଇସ୍କନ ବେଖାତିର କରୁଥିବାରୁ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି । ମୁମ୍ବାଇ ପରେ ପୁଣି ଥରେ ମଥୁରାରେ ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ପ୍ରଚାର ପ୍ରସାରକୁ ତୀବ୍ର ବିରୋଧ କରିଛନ୍ତି ଶ୍ରୀମନ୍ଦିର ଦଇତାପତି ଏବଂ ଶ୍ରୀଜଗନ୍ନାଥ ସେନା ।

ଇସ୍କନର ଅଦିନିଆ ରଥଯାତ୍ରା ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ କିଛି ଦିନ ତଳେ ପ୍ରୟାସ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଗଲା ଫେବ୍ରୁଆରୀ ୧୭ରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ଯାନିଯାତ୍ରାର ବିଧିବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବା ସହ ଆଷାଢ଼ ଶୁକ୍ଳ ଦ୍ବିତୀୟା ବ୍ୟତୀତ ସାରା ବିଶ୍ବରେ କୌଣସି ଯାଗାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା । କେହି ଏଭଳି କଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଅସନ୍ତୋଷ ଜାହିର୍ ପରେ ମଧ୍ୟ ଇସ୍କନ୍ କିଭଳି ପୁଣି ଥରେ ମଥୁରାରେ ଅଦିନରେ ରଥଯାତ୍ରା ପାଇଁ ପ୍ରଚାର କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ପଞ୍ଜାବ ଲୁଧିଆନାରେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ନ୍ୟୁଜ୍ 7 ସ୍ବର ଉଠାଇବା ପରେ ତାହାକୁ ବନ୍ଦ କରିଦେଇଥିଲେ ଇସ୍କନ କର୍ତ୍ତୃପକ୍ଷ । ତା ପରେ ମଧ୍ୟ ମୁମ୍ବାଇରେ ରଥଯାତ୍ରାର କରିଥିଲା ଇସ୍କନ୍ । ଏବେ ପୁଣି ମଥୁରା ରଥଯାତ୍ରାକୁ ନେଇ ଉଠିଲାଣି ପ୍ରଶ୍ନ । ଏମିତିରେ ଇସ୍କନ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି । କାହିଁକି ନା ଇସ୍କନର ଏଭଳି ମନମାନି, ଏଭଳି ଖୁଲମ୍ ଖୁଲା ଚାଲେଂଜକୁ କେବେ ବି ବରଦାସ୍ତ କରାଯାଇପାରିବ ନାହିଁ ।