ସିପିଆଇଏମ୍ ନେତ୍ରୀ ବୃନ୍ଦା କରାତଙ୍କୁ ଷ୍ଟେଜ୍ରୁ ଚାଲିଯିବାକୁ କହିଲେ ବଜରଙ୍ଗ ପୁନିଆ, କହିଲେ- ରାଜନୈତିକ ପ୍ରସଙ୍ଗ ବନାନ୍ତୁ ନାହିଁ
19/01/2023 at 5:18 PM

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ଯୋଦ୍ଧାମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଦାବି ପୂରଣ ନ ହେବା ଯାଏ ଯୋଦ୍ଧାମାନେ ଧାରଣାରୁ ହଟିବେ ନାହିଁ ବୋଲି କୁସ୍ତି ଯୋଦ୍ଧାମାନେ ଦାବି କରିଛନ୍ତି।
କୁସ୍ତି ଯୋଦ୍ଧାଙ୍କର ବିକ୍ଷୋଭ ପ୍ରଦର୍ଶନ ଏବେ ଧୀରେ ଧୀରେ ରାଜନୈତିକ ରୂପ ନେବାରେ ଲାଗିଛି। ରାଜନେତାମାନେ ରେସଲରଙ୍କୁ ସମର୍ଥନ ଜଣାଇ ବିଜେପିକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି।

ଆଜି ଏହି ଧାରଣାରେ ସାମିଲ୍ ହେବାକୁ ସିପିଆଇଏମ୍ର ବରିଷ୍ଠ ନେତ୍ରୀ ବୃନ୍ଦା କରାତ ଆସିଥିଲେ। ହେଲେ ଷ୍ଟେଜ୍ରୁ ତାଙ୍କୁ ତଳକୁ ଚାଲିଯିବାକୁ କୁହାଯାଇଥିଲା। ଏହା ରେସଲରମାନଙ୍କର ଦାବି ପାଇଁ ଆନ୍ଦୋଳନ ହେଉଛି । ଏହାକୁ ରାଜନୈତିକ ରଙ୍ଗ ଦିଆ ନଯାଉ ବୋଲି କହିଥିଲେ କୁସ୍ତି ଯୋଦ୍ଧା। ଏଥିପାଇଁ ବୃନ୍ଦା କରାତଙ୍କୁ ତଳକୁ ଚାଲିଯିବାକୁ କୁହାଯାଇଥିଲା।
ଆନ୍ଦୋଳନ ସ୍ଥଳରୁ ଆସିଥିବା ଭିଡିଓ ଅନୁସାରେ ରେସଲର ବଜରଙ୍ଗ ପୁନିଆ ମାଇକ ଧରି ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବୃନ୍ଦା କରାତଙ୍କର ଏଣ୍ଟ୍ରି ହେଉଛି। ଯାହାକୁ ନେଇ ବଜରଙ୍ଗ ପୁନିଆ କହୁଛନ୍ତି “ମ୍ୟାଡମ୍ ମାଇକ କାହାକୁ ଦିଆଯିବ ନାହିଁ। ଆପଣ ଯିଏ ବି ହୁଅନ୍ତୁ ତଳକୁ ଆସନ୍ତୁ। ଆପଣଙ୍କୁ ଅନୁରୋଧ ମ୍ୟାଡମ୍ ଆପଣ ତଳକୁ ଚାଲିଯାଆନ୍ତୁ। ଏହାକୁ ରାଜନୀତିର ପ୍ରସଙ୍ଗ ବନାନ୍ତୁ ନାହଁନ୍ତି। ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛୁ। ଏହା ଖେଳାଳିଙ୍କ ଧାରଣା।”
#WATCH | CPI(M) leader Brinda Karat asked to step down from the stage during wrestlers' protest against WFI at Jantar Mantar in Delhi. pic.twitter.com/sw8WMTdjsk
— ANI (@ANI) January 19, 2023
ଖବର ଅନୁସାରେ, ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘ(WFI)ର ଅଧ୍ୟକ୍ଷ ତଥା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ପଦରୁ ହଟାଇବା ସହ ବିଭିନ୍ନ ଦାବି ନେଇ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳନ ଚଳାଇଛନ୍ତି ଭାରତ ୩୦ ଜଣ ରେସଲର। ଏମାନଙ୍କ ମଧ୍ୟରେ ବିନେଶ ଫୋଗାଟ୍, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ସରୀତ ମୋର, ସଂଗୀତା ଫୋଗାଟ୍, ଅଂଶୁ ମଲିକ ସୋନମ ମଲିକ, ସତ୍ୟାର୍ଥ ମଲିକ, ଜିତେନ୍ଦ୍ର କିହ୍ନା, ଅମିତ ଧନକର, ଏବଂ ସିଡବ୍ଲୁଜି ପଦକ ବିଜେତା ସୁମିତ ମଲିକ ଆଦି ଧାରଣା ସ୍ଥଳରେ ଉପସ୍ଥିତ ଅଛନ୍ତି।
WFI ଓ ଜାତୀୟ ମହିଳା ଟିମ୍ ପାଇଁ ନିଯୁକ୍ତ ହୋଇଥିବା କୋଚମାନେ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଏହା ବିରୋଧରେ ତିନି ଜଣିଆ ସଦସ୍ୟ ଥିବା କମିଟି ଗଠନ କରି ଏହାର ତଦନ୍ତ କରିବାକୁ ଖେଳାଳିମାନେ ଦାବି କରିଛନ୍ତି। ଇତିମଧ୍ୟରେ ବିଜେପି ନେତା ବବିତା ଫୋଗାଟ କୁସ୍ତି ଯୋଦ୍ଧାଙ୍କ ଧାରଣା ସ୍ଥଳରେ ପହଞ୍ଚି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସରକାର ଆପଣମାନଙ୍କ ସହ ରହିଛି। ଆଜି ମୁଁ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ବବିତା ଫୋଗାଟ କହିଛନ୍ତି। ତେବେ ଏଭଳି ସଂଗୀନ ଅଭିଯୋଗ ଲାଗିବା ପରେ ବ୍ରିଜ୍ ଭୂଷଣ କିନ୍ତୁ ଏହାକୁ ଅସ୍ୱୀକାର କରିବା ସହିତ ଏହା ତାଙ୍କ ବିରୋଧରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତା ସହିତ ଖେଳାଳିମାନଙ୍କର ଦୋଷ ଦେଇ ସେମାନଙ୍କ ଉପରେ ବର୍ଷିଛନ୍ତି।

ବଜରଙ୍ଗ ପୁନିଆଙ୍କ ଅଭିଯୋଗ-
ଷ୍ଟାର୍ ରେସ୍ଲର ବଜରଙ୍ଗ ପୁନିଆ ମଧ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ମାରପିଟ୍ର ଅଭିଯୋଗ ଲଗାଇଛନ୍ତି। WFI ଅଧ୍ୟକ୍ଷ ଖେଳାଳିମାନଙ୍କୁ ମାନଙ୍କୁ ଗାଳିଗୁଲଜ କରନ୍ତୁ ଓ ତାଙ୍କୁ ପିଟନ୍ତି। ଖେଳାଳିମାନଙ୍କୁ WFI ପକ୍ଷରୁ କୌଣସି ସମର୍ଥନ ମିଳୁ ନାହିଁ ବୋଲି ପୁନିଆ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି “ଆମର ଲଢ଼େଇ ସରକାର କି ସପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ(SAI) ବିରୋଧରେ ନୁହେଁ। ଏହା କେବଳ WFI ବିରୋଧରେ। ଏବେ ଏହି ଲଢେଇ ଏପାଖ ସେପାଖର ଲଢ଼େଇ ହୋଇଯାଇଛି।”
କଣ କହିଲେ ସାକ୍ଷୀ ମଲିକ?
ଖେଳାଳିମାନେ ଦେଶକୁ ପଦକ ଜିତାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି। କିନ୍ତୁ ସଂଘ ଆମକୁ ସମାଲୋଚନା କରିବା ଛଡ଼ା ଆଉ କିଛି କରୁ ନାହିଁ ବୋଲି ସାକ୍ଷୀ ମଲିକ ଅଭିଯୋଗ କରିଛନ୍ତି। ସାକ୍ଷୀଙ୍କର ଏହି ଟ୍ୱିଟ୍କୁ ସମର୍ଥନ କରି ରେସଲର ଅଂଶୁ ମଲ୍ଲିକ, ସଂଗୀତ ଫାଗୋଟ, ଏବଂ ଅନ୍ୟମାନେ ରି-ଟ୍ୱିଟ୍ କରିଛନ୍ତି। ତା ସହିତ BoycottWFIPresident ହ୍ୟାସ୍ ଟ୍ୟାଗ୍ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କାର୍ଯ୍ୟାଳୟ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରିଛନ୍ତି।

ଇସ୍ତଫା ଦେବେ ବ୍ରିଜ୍ ଭୂଷଣ
ଏପଟେ ଅଭିଯୋଗ ଆସିବା ପରେ ମାମଲାକୁ ଗୁରୁତର ସହ ନେଇଛି କ୍ରୀଡ଼ା ମନ୍ତ୍ରାଳୟ। ଲାଗିଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ବ୍ରିଜଭୂଷଣଙ୍କୁ ନୋଟିସ୍ କରାଯାଇଛି। ୭୨ ଘଣ୍ଟା ମଧ୍ୟରେ ସ୍ଫଷ୍ଟ ଭାବରେ ଏହାର ଉତ୍ତର ରଖିବାକୁ ବ୍ରିଜଭୂଷଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉକି ୬୬ ବର୍ଷୀୟ ବ୍ରିଜ ଭୂଷଣ ଶରଣ ସିଂହ ୨୦୧୧ରୁ ଏହି ପଦରେ ରହିଆସିଛନ୍ତି। ୨୦୧୯ ଫେବ୍ରୁଆରିରେ ସେ ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ WFI ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ଜାନୁଆରୀ ୨୨ ତାରିଖରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ଭାରତୀୟ କୁସ୍ତିଯୋଦ୍ଧା ସଂଘ(WFI) ସଭାପତି ବ୍ରିଜ ଭୂଷଣ ଶରଣ ସିଂହ। ଜେନେରାଲ କାଉନସେଲିଂ ବୈଠକରେ ସେଇ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ଭାରତୀୟ ଷ୍ଟାର୍ କୁସ୍ତି ଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗକୁ ନେଇ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।