ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ହେବ ମହାସମର। ଏବେଠୁଁ ଅଣ୍ଟା ଭିଡ଼ିଲେଣି ବିରୋଧୀ ଓ ଶାସକ ଦଳ। ଗୋଟିଏ ପଟେ ଦଳ ଯୋଡ଼ି ବଳ ଗୋଟାଉଛି ବିଜେପି, ତ ଅନ୍ୟପଟେ ବିଜେପିକୁ ଚେକ୍ ଦେବାକୁ ମହାମେଣ୍ଟ କରିଛନ୍ତି ବିରୋଧୀ। ଏଥର ଫାଇଟ୍ ଏନ୍ଡିଏ ବନାମ ଇଣ୍ଡିଆ।
ଉଭୟ ବିଜେପି ଓ କଂଗ୍ରେସ ମେଣ୍ଟରେ ମୋଟ ୬୪ଟି ଦଳ ସାମିଲ୍ ହୋଇଛନ୍ତି। ସେଥିମଧ୍ୟରୁ ଇଣ୍ଡିଆ ମେଣ୍ଟରେ ୨୫ ଜଣ ହୋଇଥିବା ବେଳେ ଏନ୍ଡିଏରେ ୩୯ ଦଳ ସାମିଲ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ୧୧ ଟି ଦଳ ଉଭୟ ମେଣ୍ଟରୁ ଦୂରେଇ ରହିଛନ୍ତି। ଏହି ୧୧ ଦଳ ପାଖରେ ରହିଛନ୍ତି ୯୧ ସାଂସଦ। ଏମାନେ ଏପର୍ଯ୍ୟନ୍ତ ଇଣ୍ଡିଆ ଓ ଏନ୍ଡିଏ ମେଣ୍ଟରେ ସାମିଲ ନ ହୋଇ ସମଦୂରତା ବଜାଇ ରଖିଛନ୍ତି। ମେଣ୍ଟରୁ ଦୂରେଇ ରହିଥିବା ଦଳ ମଧ୍ୟରୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଶାସକ ଦଳ ରହିଛନ୍ତି। ଏହି ୩ ରାଜ୍ୟ ବଡ଼ ରାଜ୍ୟ ହୋଇଥିବା ବେଳେ ସଂସଦରେ ଏମାନଙ୍କର ସାଂସଦଙ୍କ ସଂଖ୍ୟା ୬୩ ।
{"width":839,"height":472}ମେଣ୍ଟରୁ ଦୂରେଇ ରହିଥିବା ଦଳଗୁଡ଼ିକ ହେଲେ- ୱାଇଏସ୍ଆର୍ କଂଗ୍ରେସ ପାର୍ଟି(ୱାଇଏସ୍ଆର୍ସିପି), ବିଜୁ ଜନତା ଦଳ (ବିଜେଡି), ଭାରତ ରାଷ୍ଟ୍ର ସମିତି (ବିଆରଏସ), ବହୁଜନ ସମାଜ ପାର୍ଟି(ବିଏସ୍ପି), ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ(ଏଆଇଏମଆଇଏମ), ତେଲୁଗୁ ଦେଶମ ପାର୍ଟି (ଟିଡିପି), ଶିରୋମଣି ଅକାଳୀ ଦଳ (ଏସ୍ଏଡି), ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍), ଜନତା ଦଳ (ସେକ୍ୟୁଲାର), ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟି(ଆର୍ଏଲ୍ପାର୍ଟି) ଏବଂ ଏସ୍ଏଡି(ମାନ)।
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା
୨୦୧୯ରେ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର୍ସିପି ଦଳ ଟିଡିପିକୁ ହରାଇ ରାଜ୍ୟରେ ଶାସନ କରିଥିଲା। ରାଜ୍ୟରେ ଦଳ ଲୋକପ୍ରିୟତା ଏବେ ବି ରହିଛି। ସେହିପରି ଓଡ଼ିଶାରେ ବିଜେଡି ଗତ ୨୩ ବର୍ଷ ହେଲା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ଜିତି ଆସୁଛି। ୨୦୦୦ ମସିହାରୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ରହିଛି। ହେଲେ ବିଜେଡି ରାଜ୍ୟରେ ବିଜେପି ଠାରୁ ସମଦୂରତା ରଖିଥିବା କହୁଥିବା ବେଳେ କେନ୍ଦ୍ରରେ ବିଜେପିର ଏକ ବଡ଼ ସମର୍ଥକ ଭାବେ ଉଭା ହୋଇଛି। ଅନେକ ବିଷୟରେ ବିଜେଡି କେନ୍ଦ୍ରରେ ବିଜେପିକୁ ସମର୍ଥନ କରି ଭୋଟ୍ ଦେଇଛି। ତେଣୁ ବିଜେଡିକୁ ବିଜେପିର ବି ଟିମ୍ ବୋଲି କହି ବିରୋଧୀ ସମାଲୋଚନା କରି ଆସୁଛି।
ସେହିପରି ତେଲେଙ୍ଗାନା କଥା ଦେଖିଲେ ୨୦୧୪ରେ ଆନ୍ଧ୍ରପ୍ରଦେଶ ଠାରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇଥିଲା ତେଲେଙ୍ଗାନା। ରାଜ୍ୟ ଗଠନ କର୍ଣ୍ଣଧାର ସାଜିଥିଲେ କଲଭକୁନ୍ତଲା ଚନ୍ଦ୍ରଶେଖର ରାଓ(କେସିଆର୍)। ଆଉ ତେଲେଙ୍ଗାନା ଗଠନ ହେବା ପର ଠାରୁ ରାଜ୍ୟରେ ତାଙ୍କ ଦଳ(ବିଆର୍ଏସ୍) କ୍ଷମତାରେ ରହିଛି। ଆରମ୍ଭରୁ ବିଜେପି ବିରୋଧରେ ପ୍ରବଳ ବର୍ଷିଥିଲା ବିଆର୍ଏସ୍। ବିଜେପି ବିରୋଧୀ ମେଣ୍ଟର ନେତୃତ୍ୱ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ହେଲାନି। ବିରୋଧୀ ବୈଠକରେ ଯୋଗ ଦେଲେନି କେସିଆର୍। ଫଳରେ ବର୍ତ୍ତମାନ ବିଆର୍ଏସ୍ର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ।
ପଢ଼ନ୍ତୁ-I.N.D.I.A.କୁ ନେଇ ବିପକ୍ଷଙ୍କୁ ଘେରିଲା ବିଜେପି, ଜାଣନ୍ତୁ ସ୍ପଷ୍ଟୀକରଣରେ କ’ଣ କହିଲା କଂଗ୍ରେସ୍?
ରାଜନୈତିକ ସମ୍ପର୍କକୁ ଦେଖିଲେ ଆନ୍ଧ୍ର ପ୍ରଦେଶର ଜଗନମୋହନ ସରକାରଙ୍କ ସହିତ ବିଜେପି ସରକାରର ସେତେ ତିକ୍ତ ସମ୍ପର୍କ ନାହିଁ। ସେହିପରି ଓଡ଼ିଶାରେ ମଧ୍ୟ ବିଜେପି-ବିଜେଡି ମଧ୍ୟରେ ଭିତିରି ଲିଙ୍କ୍ ରହୁଛି ବୋଲି ବିରୋଧୀଙ୍କ ଚର୍ଚ୍ଚାରେ ରହିଛି। ତେବେ ତେଲେଙ୍ଗାନାରେ ବିଜେପି ଓ ବିଆର୍ଏସ୍ ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଧ୍ୱିତା ଚରମ ସୀମାରେ ରହିଛି। ରାଜ୍ୟରେ ବିଜେପି ନେତା ଜେଲ୍ ଯାଉଥିବା ବେଳେ ସରକାର ବିରୋଧୀ ବିକ୍ଷୋଭ ବି ଜାରି ରହିଛି। ଏସବୁ ଭିତରେ କେସିଆର୍ଙ୍କ ନିରବତା ସମସ୍ତଙ୍କୁ ଚକ୍କିତ କରିଛି।
ସେହିପରି ୯ ଜଣ ସାଂସଦ ଥିବା ମାୟାବତୀଙ୍କ ନେତୃତ୍ୱାଧୀନ ବିଏସପି ମଧ୍ୟ ବିରୋଧୀ ମେଣ୍ଟରୁ ଅଲଗା ରହିଛି। ଚାରିଥର ଉତ୍ତରପ୍ରଦେଶକୁ ଶାସନ କରିଥିବା ବିଏସପି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରୁ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି।
ସେପଟେ ବିଜେଡି ମଧ୍ୟ କେନ୍ଦ୍ର ଅବହେଳା ନେଇ ବିଜେପିକୁ ବିରୋଧରେ ସ୍ୱର ଶାଣିତ କରୁଛି। ଚଳିତ ମୌସୁମୀ ଅଧିବେଶନରେ ଦଳ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛି।
ସେହିପରି ସମସ୍ତଙ୍କ ଠାରୁ ସବୁବେଳେ ଦୂରେଇ ରହୁଥିବା ଅସଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମ୍ଆଇଏମ୍ କୌଣସି ମେଣ୍ଟରେ ସାମିଲ୍ ହୋଇ ନାହିଁ। ତାଙ୍କ ଦଳକୁ ରାଜନୈତିକ ଅସ୍ପୃଶ୍ୟ ଦଳ ଭଳି ବ୍ୟବହାର କରାଯାଉଛି ବୋଲି ଓୱେସୀ କହିଛନ୍ତି। ତେବେ ହାଇଦ୍ରାବାଦ ଓ ତେଲେଙ୍ଗାନାରେ ଏଆଇଏମ୍ଆଇଏମ୍ ପ୍ରଭାବ ରହିଛି। ଏହି ଦୁଇ ରାଜ୍ୟରେ ଦଳ କିଛି ମାତ୍ରାରେ ପ୍ରଭାବ ବିସ୍ତାର କରିଥିବା ବେଳେ ବର୍ତ୍ତମାନ ଏହା ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର ଓ କର୍ଣ୍ଣାଟକରେ ନିଜର ପ୍ରଭାବ ବିସ୍ତାରେ କରିବାକୁ ଲାଗି ପଡ଼ିଛି।
ୟୁପିଏ ହେଲା ଇଣ୍ଡିଆ, ଏନ୍ଡିଏ ନାଁ ପରିବର୍ତ୍ତନକୁ ନା
ବିଜେପି ବିରୋଧରେ ଦୁଇଥର ବିରୋଧୀଙ୍କ ମହାବୈଠକ ହୋଇସାରିଛି। ଜୁନ ୨୩ ତାରିଖରେ ପ୍ରଥମ ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ପାଟନାରେ ହୋଇଥିଲା। ସେହିପରି କଂଗ୍ରେସ ଅଧ୍ୟକ୍ଷତାରେ ଜୁଲାଇ ୧୭-୧୮ରେ ଦ୍ୱିତୀୟ ବୈଠକ ହୋଇଥିଲା। ବେଙ୍ଗାଲୁରୁ ବୈଠକରେ ମହାମେଣ୍ଟର ନାଁ ପରିବର୍ତ୍ତନ କରି ୟୁପିଏରୁ ରଖାଯାଇଛି ଇଣ୍ଡିଆ। ଏହାର ପୂରା ନାଁ ହେଲା ଇଣ୍ଡିଆନ ନ୍ୟାସ୍ନାଲ୍ ଡେଭଲପମେଣ୍ଟ ଇନ୍କ୍ଲୁସିଭ୍ ଆଲିଆନ୍ସ(ଭାରତୀୟ ଜାତୀୟ ବିକାଶାତ୍ମକ ସମାବେଶୀ ମେଣ୍ଟ)।
ସେହିପରି ଜୁଲାଇ ୧୮ ତାରିଖରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ମେଣ୍ଟ ବୈଠକ ହୋଇଥିଲା। ଏଥିରେ ୩୯ ଦଳ ସାମିଲ୍ ହୋଇଥିଲେ । ହେଲେ ମେଣ୍ଟର ନାରେ ପରିବର୍ତ୍ତନ ହୋଇନଥିଲା। ତେଣୁ ଆଗାମୀ ନିର୍ବାଚନ ଦଳ ଏନ୍ଡିଏ(ନ୍ୟାସ୍ନାଲ ଡେମେକ୍ରାଟିକ୍ ଆଲିଆନ୍ସ) ଅର୍ଥାତ ଜାତୀୟ ଗଣତାନ୍ତ୍ରୀକ ଦଳ ନାଁରେ ନିର୍ବାଚନ ଲଢ଼ିବ।
ପଢ଼ନ୍ତୁ-ଥାନାରେ ପହଞ୍ଚିଲା ‘INDIA’ ନାମକରଣ ମାମଲା, ୨୬ ପାର୍ଟି ବିରୋଧରେ ମାମଲା ରୁଜୁ