ରାହୁଲଙ୍କ ଲାଗି ଏବେ ଆଇନରେ କ’ଣ ଅଛି ବିକଳ୍ପ, ବିଶେଷଜ୍ଞଙ୍କ ଠୁ ଜାଣନ୍ତୁ କେମିତି ଲଢିବେ ୨୦୨୪ ସାଧାରଣ ନିର୍ବାଚନ ?
24/03/2023 at 8:17 PM

ନୂଆଦିଲ୍ଲୀ ୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ସମାପ୍ତ ହୋଇଯାଇଛି। ଏ ବାବଦେ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲଙ୍କୁ ଏକ ନୋଟିଫିକେସନ ଜାରି କରାଯାଇଛି। ରାହୁଲ କେରଳର ୱାଇନାଡ ଲୋକସଭା ନିର୍ବାଚନମଣ୍ଡଳିରୁ କଂଗ୍ରେସର ନିର୍ବାଚିତ ସାଂସଦ ଥିଲେ। ମାତ୍ର ଦିନକ ପୂର୍ବରୁ ଗୁଜରାଟ ସୁରଟର ସେସନ କୋର୍ଟ ଏକ ୪ ବର୍ଷ ପୁରୁଣା ମାନହାନୀ ମୋକଦ୍ଦମାରେ ରାହୁଲଙ୍କୁ ଦୋଷୀ ପାଇଥିଲେ। ମାମଲାରେ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି।
କୋର୍ଟ ରାହୁଲଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଥିବା ବେଳେ ଦଣ୍ଡକୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି। ଏଥିରେ ତାଙ୍କର ସଂସଦ ସଦସ୍ୟତା ରଦ୍ଦ ହେବା ଯୋଗୁ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତୁ ଜାଣିବା ରାହୁଲଙ୍କ ଆଗରେ ଆଇନର କେଉଁ ସବୁ ବିକଳ୍ପ ରହିଛି।

ଜନପ୍ରତିନିଧି ଆଇନ ମୁତାବକ ଯଦି ସାଂସଦ ଅଥବା ବିଧାୟକଙ୍କୁ କୌଣସି ମାମଲାରେ ୨ ବର୍ଷରୁ ଅଧିକ ଦଣ୍ଡବିଧାନ ହୋଇଛି ଏଥିରେ ତାଙ୍କର ସଦସ୍ୟତା (ବିଧାନସଭା, ଲୋକସଭା) ରଦ୍ଦ ହୋଇଯାଏ। କେବଳ ଏତିକି ନୁହେଁ ଦଣ୍ଡ ଅବଧି ପୂରଣ କରିବା ପରେ ମଧ୍ୟ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଲାଗି ଅଯୋଗ୍ୟ ହୋଇଥାନ୍ତି। ମାତ୍ର ଦିନକ ପୂର୍ବରୁ ରାହୁଲଙ୍କୁ କୋର୍ଟ ୨ ବର୍ଷ ଦଣ୍ଡ ଶୁଣାଇଛନ୍ତି। ଏହାର ପରବର୍ତ୍ତି ଦିନ ଲୋକସଭା ସଚିବାଳୟ ପକ୍ଷରୁ ଜାରି ନୋଟିଫିକେସନରେ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିବାର ତାଙ୍କୁ ସୂଚିତ କରିଦିଆଯାଇଛି।
୧୯୫୧ ମସିହାରେ ଦେଶରେ ଜନପ୍ରତିନିଧି ଆଇନ ଆସିଥିଲା। ଏହି ଆଇନର ଧାରା ୮ରେ ଯଦି କୌଣସି ସାଂସଦ ଅଥବା ବିଧାୟକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି ତେବେ ଯେଉଁଦିନ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା ସେହିଦିନଠାରୁ ସେ ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେନି। ଆଇନର ଧାରା ୮(୧)ରେ ସେହି ସବୁ ଅପରାଧର ଉଲ୍ଲେଖ ରହିଛି ଯେଉଁଥିରେ ଦୋଷୀ ବ୍ୟକ୍ତିଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲାଗୁଛି। ପ୍ରାବଧାନ ଅନୁସାରେ ୨ ସମୁଦାୟ ମଧ୍ୟରେ ଘୃଣା ବ୍ୟପ୍ତ କରିବା, ଭ୍ରଷ୍ଟାଚାର, ଦୁଷ୍କର୍ମ ଭଳି ଅପରାଧରେ ଦୋଷୀ ହେଲେ ବ୍ୟକ୍ତିଙ୍କୁ ନିର୍ବାଚନ ଲଢିବାକୁ ବାରଣ କରାଯାଇଛି। ତେବେ ଏହି ପ୍ରାବଧାନରେ ମାନହାନୀ ମୋକଦ୍ଦମାରେ ଦୋଷୀଙ୍କ ଲାଗି ସେପରି କିଛି ଉଲ୍ଲେଖ ନାହିଁ।

ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ସମାପ୍ତ ହୋଇଯାଇଛି। ହେଲେ ରାହୁଲଙ୍କୁ ତାଙ୍କ ସଦସ୍ୟତା ବଞ୍ଚାଇ ରଖିବାକୁ ଆଇନର ରାସ୍ତା ବନ୍ଦ ହୋଇ ନାହିଁ। ରାହୁଲ ତାଙ୍କ ଦଣ୍ଡକୁ ଚାଲେଞ୍ଜ କରିବା ପାଇଁ କୋର୍ଟରୁ ୩୦ ଦିନ ମହଲତ ପାଇଛନ୍ତି। ଏହି ୩୦ ଦିନ ମଧ୍ୟରେ ସେ ଉଚ୍ଚ ନ୍ୟାୟାଳୟରେ ଦଣ୍ଡକୁ ଚ୍ୟାଲେଞ୍ଜ କରି ପାରନ୍ତି। ଏଥିରେ ଯଦି ଉଚ୍ଚ ନ୍ୟାୟାଳୟ ସୁରଟ ସେସନ କୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରନ୍ତି ତେବେ ରାହୁଲଙ୍କ ସଂସଦ ସଦସ୍ୟତା ବଞ୍ଚିଯାଇପାରେ।
ଯଦି ଉପରକୋର୍ଟ ମାମଲାରେ ରହିତାଦେଶ ଜାରି ନ କରନ୍ତି ତେବେ ଏଥିଲାଗି ରାହୁଲ ସୁପ୍ରିମକୋର୍ଟଙ୍କୁ ମୁହାଁଇ ପାରନ୍ତି। ଏଥିରେ ଯଦି ସୁପ୍ରିମକୋର୍ଟଙ୍କ ରହିତାଦେଶ ମିଳିଯାଏ ତେବେ ରାହୁଲଙ୍କ ସଂସଦ ସଦସ୍ୟତା ବଞ୍ଚିଯିବ। ତେବେ ଆଇନ ବିଷାରଦ ଦଣ୍ଡ ଉପରେ କୋର୍ଟରୁ ରହିତାଦେଶ ମିଳିବାର ଆଶା କମ ବୋଲି କହିଛନ୍ତି। କାରଣ ମାମଲାରେ ରାହୁଲଙ୍କ ଦୋଷ ପ୍ରମାଣିତ ହୋଇଛି। ଯଦି ସର୍ବୋଚ୍ଚ ନ୍ୟାୟାଳୟରୁ ରାହୁଲଙ୍କୁ କୌଣସି ପ୍ରକାର ରିହାତି ନ ମିଳେ ତେବେ ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବେନି।
ତେବେ ରାହୁଲଙ୍କ ସମସ୍ୟା କମ୍ ହେଉଥିବାର ଦେଖାଯାଉ ନାହିଁ। ଯଦି ହାଇକୋର୍ଟ ଓ ସୁପ୍ରିମକୋର୍ଟ ରୋହୁଲ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ନ ଲଗାନ୍ତି ତେବେ ସେ ୮ ବର୍ଷ ନିର୍ବାଚନ ଲଢି ପାରିବେନି। ଯଦି ରାହୁଲଙ୍କ ପିଟିସନ ଉପରେ ହାଇକୋର୍ଟ ଅଥବା ସୁପ୍ରିମକୋର୍ଟ ଦଣ୍ଡ ଉପରେ ରୋକ ବି ଲଗାଇ ଦିଅନ୍ତି ତେବେବି ତାଙ୍କର ସଂସଦ ସଦସ୍ୟତା ପୁଣି ଫେରିପାଇବେ ନାହିଁ। ଏଥି ପାଇଁ ରୋହୁଲଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ମଧ୍ୟ ରୋକ୍ ଲାଗିବା ଦରକାର।

ଦଣ୍ଡବିଧି ଆଇନ(ସିଆରପିସି) ରେ ଦିଆଯାଇଥିବା ଆଇନଗତ ପ୍ରକ୍ରିୟାରେ ଦୋଷୀ ସାବ୍ୟସ୍ତ ଆଦେଶକୁ କେବଳ ସେହି କୋର୍ଟରେ ଚାଲେଞ୍ଜ କରାଯାଇ ପାରିବ ଯେଉଁ କୋର୍ଟରେ ଆବେଦନ ନିହିତ ଅଛି। ସିଆରପିସିର ଧାରା ୩୭୪ରେ ଦଣ୍ଡ ବିରୋଧରେ ଅପିଲର ବ୍ୟବସ୍ଥା ରହିଛି। ଏଣୁ ରାହୁଲ ଗାନ୍ଧି ଏବେ ଦଣ୍ଡକୁ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ଯଦି ସେସନ କୋର୍ଟ ଏ ବାବଦେ କୌଣସି ରିହାତି ଦେଇ ନ ପାରିଲେ ତେବେ ରାହୁଲ ଉଚ୍ଚ ନ୍ୟାୟାଳୟକୁ ମୁହାଁଇ ପାରିବେ। ଯେହେତୁ ମାମଲା ଏବେ କୋର୍ଟରେ ଲମ୍ବିତ ଅଛି ତେହେତୁ ରାହୁଲ ତାଙ୍କ ଦଣ୍ଡ ଉପରେ ଅନ୍ତରୀଣ ଷ୍ଟେ ଓ ଜାମିନ ରୂପେ କୋର୍ଟରୁ ଅନ୍ତରୀଣ ରିହାତି ନିବେଦନ ମଧ୍ୟ କରିପାରନ୍ତି।
ସେହିପରି ଧାରା ୩୮୯ରେ ଅପିଲ ଲମ୍ବିତ ରହିବା ପର୍ଯ୍ୟନ୍ତ ଦଣ୍ଡ ନିଲମ୍ବନ ଓ ଅପିଲ କର୍ତ୍ତାଙ୍କୁ ଜାମିନରେ ମୁକ୍ତି ଦେବା ଲାଗି ବ୍ୟବସ୍ଥା ରହିଛି। ଏହା ଛଡା ରାହୁଲଙ୍କ ନିକଟରେ ସମ୍ବିଧାନର ଅନୁଚ୍ଛେଦ ୧୩୬ଅନୁସାରେ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହେବାର ମଧ୍ୟ ବିକଳ୍ପ ରହିଛି। ଅନୁଚ୍ଛେଦ ୧୩୬ ଅନୁସାରେ ଭାରତର ସବୁ କୋର୍ଟ ଓ ଟ୍ରିବ୍ୟୁନାଲ ଉପରେ ସୁପ୍ରିମକୋର୍ଟଙ୍କର ବ୍ୟାପକ ଆବେଦନ କ୍ଷେତ୍ରାଧିକାର ରହିଛି। ତେବେ ଏପରି ମାମଲାରେ ଯେଉଁଠି ଆବେଦନ କୋର୍ଟରେ ହୋଇପାରିବ ଓ ଦଣ୍ଡ ନିଲମ୍ବନର ବ୍ୟବସ୍ଥା ରହିଛି ସେ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର ସମ୍ଭାବନା ବହୁତ କ୍ଷୀଣ।

ଆଇନ ବିଷାରଦଙ୍କ ଅନୁସାରେ ଏବେ ରାହୁଲ ଗାନ୍ଧିଙ୍କୁ ତାଙ୍କ ଅପିଲ ସହିତ ସିଆରପିସିର ଧାରା ୩୮୯ରେ ଏକ ଆବେଦନ ମଧ୍ୟ ଦାଖଲ କରିବାକୁ ପଡିବ। ଯେଉଁଥିରେ ଦଣ୍ଡ ଓ ଦୋଷସିଦ୍ଧିକୁ ନିଲମ୍ବନ କରିବାକୁ ନିବେଦନ ରହିବ। ସୁପ୍ରିମକୋର୍ଟଙ୍କ ୨୦୧୩ ରାୟରେ ଜନପ୍ରତିନିଧି ନିୟମକୁ ନେଇ ସ୍ଥିତି ସ୍ପଷ୍ଟ କରିଦେଇଛନ୍ତି। ଯଦି ସାଂସଦ ଅଥବା ବିଧାୟକ କୌଣସି ମାମଲାରେ ୨ ବର୍ଷରୁ ଅଧିକ ଦଣ୍ଡିତ ହୋଇଥାନ୍ତି ଏଥିରେ ତାଙ୍କର ସଦସ୍ୟତା (ବିଧାନସଭା ଓ ଲୋକସଭା) ରଦ୍ଦ ହୋଇଯାଏ। ଏ ବାବଦେ ଅଯୋଗ୍ୟତାକୁ ନେଇ ଲୋକସଭା ବାଚସ୍ପତିଙ୍କ ପକ୍ଷରୁ ସମ୍ବଦ୍ଧିତ ସଦସ୍ୟଙ୍କୁ ଏକ ନୋଟିଫିକେସନ ଜାରି ହୋଇଥାଏ। ଏଥିରେ ସମ୍ବଦ୍ଧିତ ସାଂସଦ ସେହି ସମୟରେ ଲୋକସଭା ବାଚସ୍ପତିଙ୍କୁ ଭେଟି ନୋଟିଫିକେସନ ରିକଲ ନିମନ୍ତେ ନିବେଦନ କରିପାରନ୍ତି ଓ ବର୍ତ୍ତମାନ ପାଇଁ ଦଣ୍ଡ ଉପରେ ରୋକ ଲାଗିଥିବାର କହିପାରିବେ।
ରାହୁଲଙ୍କ ନିକଟରେ ଅନ୍ୟ ଆଇନଗତ ବିକଳ୍ପ ମଧ୍ୟ ରହିଛି। ସେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ସେସନ କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। ଜନପ୍ରତିନିଧି ଆଇନର ଧାରା ୮(୪)ରେ ଥିବା ବ୍ୟବସ୍ଥା ପ୍ରକାରେ ସାଂସଦ ଅଥବା ବିଧାୟକ ଦୋଷୀ ସାବ୍ୟସ୍ତ ହେଲେ ୩ ମାସ ମଧ୍ୟରେ ରାୟ ବିରୋଧରେ ଆବେଦନ ବା ପୁନନିରୀକ୍ଷଣ ଆବେଦନ କରି ପଦବୀରେ କାୟମ ରହିବାର ବ୍ୟବସ୍ଥା ଥିଲା। ହେଲେ ସୁପ୍ରିମକୋର୍ଟ ୨୦୧୩ ମସିହାରେ ଏହାକୁ ଖାରଜ କରିଦେଇଥିଲେ। ସେବେଠାରୁ ସାଂସଦ ଅଥବା ବିଧାୟକ ଦୋଷୀ ସାବ୍ୟସ୍ତ ହେବାମାତ୍ରେ ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷିତ କରିଦିଆଯାଉଛି ଓ ତାଙ୍କ ନିର୍ବାଚିତ ଆସନକୁ ରିକ୍ତ ଘୋଷଣା କରିଦିଆଯାଉଛି।