ମହାରାଣୀ ଏଲିଜାବେଥ-୨ଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବେନି ଏହି ସବୁ ଦେଶଙ୍କ ନେତା, ଜାଣନ୍ତୁ କାହିଁକି?
15/09/2022 at 6:53 PM

ଲଣ୍ଡନ ୧୫।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ୧୯ ସେପ୍ଟେମ୍ବର ସୋମବାର ଶେଷ ବିଦାୟ ଦିଆଯିବ। ସେଦିନ ତାଙ୍କର ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ। ବ୍ରିଟେନ ରାଜ ପରିବାରରେ ଦୀର୍ଘ ଦଶକ ପରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ କାର୍ଯ୍ୟକ୍ରମରେ ରାଜ ପରିବାରଙ୍କ ଶୋକରେ ସାମିଲ ହେବେ। ତେବେ ରାଜ ପରିବାର ପକ୍ଷରୁ ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବା ଲାଗି ୫୦୦ ଗଣ୍ୟମାନ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି।
ତେବେ ଏହି ରାଜକୀୟ ଶୋକରେ ବିଶ୍ୱର କିଛି ଶକ୍ତିଶାଳୀ ରାଷ୍ଟ୍ରଙ୍କ ମୁଖ୍ୟ ବାଦ ପଡିଥିବା ଜଣାପଡିଛି। ଏମାନଙ୍କୁ ଡକାଯିବାର ଆବଶ୍ୟକତା ଅନୁଭବ କରାଯାଇ ନାହିଁ। ଏହା ପଛରେ ମଧ୍ୟ କାରଣ ରହିଛି। ତେବେ ଯାହା ବି ହେଉ ବ୍ରିଟିଶ ରାଜପରିବାର ଏପରି ରାଷ୍ଟ୍ରଙ୍କ ମୁଖ୍ୟଙ୍କୁ ଅମନ୍ତ୍ରଣ ନ କରି ନିଜର ଖାତିର ଦେଖାଇଛନ୍ତି। ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇନି ସେମାନଙ୍କ ମଧ୍ୟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ସର୍ବାଗ୍ରେ ଅଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ ଲାଗି କାର୍ଯ୍ୟକ୍ରମକୁ ଋଷିଆ ରାଷ୍ଟ୍ରପତିଙ୍କୁ ଅମନ୍ତ୍ରଣ କରାଯାଇନି।

ଋଷିଆ ସହିତ ବ୍ରିଟେନ ବେଲାରୁଷକୁ ମଧ୍ୟ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିବାର କୌଣସି ଆବଶ୍ୟକତା ଅନୁଭବ କରିନାହିଁ। ଏହା ପଛରେ ମଧ୍ୟ ସେହି ଋଷିଆର ୟୁକ୍ରେନ ଆକ୍ରମଣ କାରଣ ରହିଛି। ଋଷିଆ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ବେଲାଋଷ ପଟରୁ ହିଁ ପ୍ରଥମେ ଆକ୍ରମଣ କରିଥିଲା। ଏହା ଛଡା ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଂକୋଙ୍କୁ ପୁତିନଙ୍କ ନିକଟତମ ମନେ କରାଯାଏ।
ସେହିପରି ଏସିଆ ମହାଦ୍ୱୀପରେ ମ୍ୟାଁମାରକୁ ମଧ୍ୟ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିକୁ ଆମନ୍ତ୍ରିତ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୨୦୨୧ରେ ସେନା ମ୍ୟାଁମାରରେ ଗଣତାନ୍ତ୍ରିକ ସରକାରକୁ ଭାଙ୍ଗି ଶାସନ ହାତେଇ ନେଇଥିଲା। ଏଣୁ କାର୍ଯ୍ୟକ୍ରମକୁ ମ୍ୟାଁମାରର କୌଣସି ପ୍ରତିନିଧିଙ୍କୁ ଆମନ୍ତ୍ରିତ କରାଯାଇ ନାହିଁ। ସେହିପରି ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଚୀନ୍ ଯୋଗଦେବ କି ନାଁ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ। ଏଥିପାଇଁ ଚୀନ୍ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ପଠାଯାଇଛି କି ନା ତାହା ଜଣା ପଡିନଥିବା ବେଳେ ଯଦି ପଠା ଯାଇଥାଏ ତେବେ ରାଷ୍ଟ୍ରପତି ସି ଜିନପିଙ୍ଗ ଏହାର କିପରି ପ୍ରତିକ୍ରିୟା ରଖିବେ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।

ତେବେ ଦୀର୍ଘ କୋଭିଡ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ସରକାରୀ ଗସ୍ତରେ ଦେଶବାହାରକୁ ଯାତ୍ରା କରିଛନ୍ତି। କାଜାକିସ୍ତାନ ଓ କ୍ରେମଲିନ ଅନୁସାରେ ସେ ଉଜବେକିସ୍ତାନର ପ୍ରାଚୀନ ସିଲ୍କ ରୋଡ ସମରକନ୍ଦରେ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ସି ଜିନପିଙ୍ଗ ପ୍ରଥମେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଭେଟିବେ। ଏମିତିରେ ବ୍ରିଟେନ ଏବେ ପୁତିନଙ୍କୁ ୟୁକ୍ରେନ ଯୁଦ୍ଧ ଯୋଗୁ ବହିଷ୍କାର କରୁଛି। ଏଥିରେ ତାଙ୍କ ସହ ଜିନପିଙ୍ଗଙ୍କ ସାକ୍ଷାତ ଆଲୋଚନା ଯୋଗୁ ହୁଏତ ରାଣୀଙ୍କ ଅନ୍ତ୍ୟେଷ୍ଟିକୁ ଆମନ୍ତ୍ରିତ କରାଯାଇ ନଥାଇପାରେ ବୋଲି ଅନୁମାନ କରାଯାଉଛି।