ଖେଳାଳି ନୁହନ୍ତି ଦେଶର ନେତା ଚଳାଉଛନ୍ତି ଏହି ୬ ବଡ଼ ଖେଳ, କିଏ ମୁଖ୍ୟମନ୍ତ୍ରୀ ତ ଆଉ କିଏ ସାଂସଦ
20/01/2023 at 8:16 PM

ନୂଆଦିଲ୍ଲୀ ୨୦।୧: ଭାରତୀୟ ଖେଳ ସହ ରାଜନେତାଙ୍କ ସମ୍ପର୍କ କିଛି ନୂଆ ନୁହେଁ। ଦେଶରେ ଏମିତି ଅନେକ ରାଜନେତା ଅଛନ୍ତି ଯେଉଁମାନେ ରାଜନୀତିରେ ବଡବଡ ପଦପଦବୀରେ ଥିବା ବେଳେ କ୍ରିଡା ସଂଘମାନଙ୍କର ଉଚ୍ଚ ପଦପଦବୀରେ ବି ଅବସ୍ଥାପିତ ଅଛନ୍ତି। ଏପରି ନେତାମାନେ ସବୁ କିଏ ଯେଉଁମାନଙ୍କର ଖେଳ ସଂଘ ସହ ସମ୍ପୃକ୍ତ ଅଛନ୍ତି ଆସନ୍ତୁ ଜାଣିବା।

ବ୍ୟାଡମିଣ୍ଟନ:
ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତା ବିଶ୍ୱାସର୍ମା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜାତୀୟ କ୍ରିଡାର ଗୁରୁତ୍ୱପୂର୍ଣ୍ଣ ପଦବୀର ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି।

ରାଇଫଲ:
ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଅଛନ୍ତି ରନିନ୍ଦର ସିଂହ। ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପୁଅ ହେଉଛନ୍ତି ରନିନ୍ଦର ସିଂହ। ଅମରିନ୍ଦର ସିଂହଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ପରେ ସେ ପ୍ରଥମେ ନିଜର ରାଜନୈତିକ ଦଳ ଗଠନ କରିଥିଲେ ଓ ପରେ ବିଜେପିରେ ଯୋଗ ଦେଇଥିଲେ। ଏବେ ଅମରିନ୍ଦର ସିଂହ ପଞ୍ଜାବ ବିଜେପିର ନେତା।

ଆର୍ଚେରୀ:
ଦେଶରେ ଆର୍ଚେରୀ ଆସୋସିଏସନର ଅଧ୍ୟକ୍ଷ ଅଛନ୍ତି ଅର୍ଜୁନ ମୁଣ୍ଡା। ଅର୍ଜୁନ ମୁଣ୍ଡା ବରିଷ୍ଠ ବିଜେପି ନେତା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଜାତୀୟ କ୍ରିଡାରେ ଆର୍ଚେରୀ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ।

କ୍ରିକେଟ:
ଲୋକପ୍ରିୟା କ୍ରିଡା କ୍ରିକେଟରେ ବିସିସିଆଇର ସମ୍ପାଦକ ଅଛନ୍ତି ଜୟ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ପୁଅ ହେଉଛନ୍ତି ଜୟ ଶାହା। ଯାହାଙ୍କ ନିୟନ୍ତ୍ରଣରେ ଏବେ ରହିଛି ବିସିସିଆଇ।

ହକି:
ହକି ଫେଡେରେସନର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ଭାରତୀୟ ହକି ଟିମ୍ର ଅଧିନାୟକ ଦିଲ୍ଲୀପ ତିର୍କି। ତେବେ ଦିଲ୍ଲୀପ ତିର୍କି ହକିରୁ ସନ୍ୟାସ ନେବା ପରେ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ସାଂସଦ ଅଛନ୍ତି। ତେବେ ତିର୍କି ଏକମାତ୍ର ବ୍ୟକ୍ତି ଜିଏ ଜଣେ କ୍ରିଡାବିତ୍ ଭାବେ ହକି ଫେଡେରେସନର ଅଧ୍ୟକ୍ଷତା କରୁଛନ୍ତି।

ଟେବୁଲ ଟେନିସ୍:
ଟେବୁଲ ଟେନିସ୍ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ହେଉଛନ୍ତି ମେଘନା ଚୌଟାଲା। ମେଘନା ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ପତ୍ନୀ। ଜଣେ ଖେଳାଳି ନ ହୋଇ ମଧ୍ୟ ରାଜନୈତିକ ସମ୍ପର୍କ ଯୋଗୁ ଟବୁଲ ଟେନିସ୍ ଫେଡେରେସନର ଅଧ୍ୟକ୍ଷା ଅଛନ୍ତି।