ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ, ବ୍ୟାପକ ଭଙ୍ଗାରୁଜା, ପୋଲିସ ମୁତୟନ
4/01/2023 at 8:51 AM

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବାସଭବନ ଉପରକୁ ପଥର ମାଡ଼ । ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ବିପ୍ଳବ ଦେବଙ୍କ ପୈତୃକ ଘର ସାମ୍ନାରେ ଏକତ୍ରିତ ହୋଇ ଆକ୍ରମଣ କରିଥିଲେ । ଗାଡ଼ି ଭଙ୍ଗାରୁଜା କରିବା ସହିତ ବ୍ୟାପକ ନଷ୍ଟ କରିଛନ୍ତି । ଏଥିରେ ଦୁର୍ବୃତ୍ତମାନେ ପୂଜାରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ।
ତ୍ରିପୁରାର ଗୋମତି ଜିଲ୍ଲା ଉଦୟପୁରରେ ଏହି ଘଟଣା ଘଟିଛି । ରାଜନଗର ସ୍ଥିତ ବିପ୍ଲବ ଦେବଙ୍କ ପୈତୃକ ବାସଭବନ ନିକଟରେ ପୂଜାରୀଙ୍କ ଏକ ଗ୍ରୁପ ତାଙ୍କ ପିତାଙ୍କ ସହିତ ଆଲୋଚନା କରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ପୂଜାରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହା ସହିତ ବିପ୍ଳବ ଦେବଙ୍କ ଘର ଭିତରେ ପଶି ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ଏହା ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନଗୁଡ଼ିକ ମଧ୍ୟ ଭଙ୍ଗି ନଷ୍ଟ କରିଥିଲେ । ପରେ ସ୍ଥାନୀୟ ଲୋକ ଆକ୍ରମଣକାରୀଙ୍କ ଠାରୁ ପୂଜାରୀମାନଙ୍କୁ ବଞ୍ଚାଇଥିଲେ ।
ଘଟଣାକୁ ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲେ । ପରେ ପୋଲିସ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ସିପିଏମ କର୍ମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଘର ଉପରକୁ ଏବଂ ପୂଜାରୀଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ମଣ୍ଡଳ ପୋଲିସ ଅଧିକାରୀ ଦେବବର୍ମା ଓ ଅତିରିକ୍ତ ପୋଲିସ ଅଧିକ୍ଷକ ଦେବଞ୍ଜନ ରାୟ ଘଟଣାର ତଦନ୍ତ କରୁଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।