‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ ଓସ୍କାର ଜିତିବା ନେଇ ପ୍ରତିକ୍ରିୟା ଦେଲେ ମୁଖ୍ୟ ଚରିତ୍ରର ଦମ୍ପତ୍ତି, କହିଲେ- ସେମାନେ ଏ ଯାଏଁ…
13/03/2023 at 6:35 PM

ନୂଆଦିଲ୍ଲୀ: ଓସ୍କାରରେ ବାଜି ମାରିଛି ଦୁଇଟି ଭାରତୀୟ ଚଳଚ୍ଚିତ୍ର ଆରଆରଆର ଏବଂ ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ। ମୌଳିକ ସଙ୍ଗୀତ ବର୍ଗରେ ନାଟୁ ନାଟୁ ଶ୍ରେଷ୍ଠ ସଂଗୀତ ଭାବେ ଓସ୍କାର ଜିତିଥିବା ବେଳେ ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ ଶ୍ରେଷ୍ଠ ବୃତ୍ତ ଚଳଚ୍ଚିତ୍ର ବର୍ଗରେ ଓସ୍କାର ଜିତି ଭାରତୀୟ ସିନେ ଜଗତରେ ଇତିହାସ ରଚିଛି। ଏହା ପୂର୍ବରୁ କୌଣସି ଭାରତୀୟ ଲଘୁ ବା ବୃତ୍ତ ଚଳଚ୍ଚିତ୍ରକୁ ଓସ୍କାର ଆଓ୍ଵାର୍ଡ ମିଳିନାହିଁ। ଗୋଟିଏ ହାତୀ ଏବଂ ମାହୁତ ଦମ୍ପତ୍ତିଙ୍କ ମଧ୍ୟରେ କେମିତି ରହିଛି ପ୍ରେମର କାହାଣୀ ଏହା ହିଁ ଏଲିଫ୍ୟାଣ୍ଟ ହ୍ଵିସପର୍ସ ଚଳଚ୍ଚିତ୍ରରେ ଦର୍ଶାଯାଇଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯାହାଙ୍କୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି ସେହି ମାହୁତ ଏବଂ ତାଙ୍କ ପତ୍ନୀ ଚଳଚ୍ଚିତ୍ରକୁ ଦେଖି ନାହାନ୍ତି। ମାହୁତଙ୍କ ନାଁ ବୋମନ ଏବଂ ତାଙ୍କ ପତ୍ନୀଙ୍କ ନାଁ ହେଉଛି ବେଲି।

ଯେତେବେଳେ ଲସ୍ ଏଞ୍ଜଲେସ୍ରେ ଦ ଏଲିଫ୍ୟାଣ୍ଟ ଓ୍ଵିସପର୍ସକୁ ଓସ୍କାର ଆଓ୍ଵାର୍ଡ ପାଇଁ ଘୋଷଣା କରାଗଲା ସେହି ସମୟରେ ବୋମନ ତାମିଲନାଡୁ ରାଜ୍ୟର ଘଞ୍ଚ ଜଙ୍ଗଲ ଧର୍ମପୁରୀରେ ଦୁଇ ଶିଶୁ ହାତୀକୁ ଉଦ୍ଧାର କରିଥିଲେ। ହିନ୍ଦୁସ୍ଥାନ ଟାଇମ୍ସ ସହ ଆଲୋଚନା ବେଳେ ବୋମାନ କହିଛନ୍ତି ଯେ, ସେ ହାତୀଙ୍କ ଯତ୍ନ ନେବାରେ ବ୍ୟସ୍ତ ରୁହନ୍ତି। ଫିଲ୍ମ ଦେଖିବାକୁ ତାଙ୍କ ନିକଟରେ ସମୟ ନାହିଁ। ମୁଁ ଓସ୍କାର ବା କିଛି ପୁରସ୍କାର ବିଷୟରେ କିଛି ଜାଣିନି। ବୋମାନ ଜାଣି ନାହାନ୍ତି ଯେ, ଓସ୍କାର ଆଓ୍ଵାର୍ଡ ଜିତିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ କେତେ ଗର୍ବର ବିଷୟ। ସେ ପୁଣି ଯାହାଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ସର୍ବୋଚ୍ଚ ଫିଲ୍ମ ପୁରସ୍କାର ଜିତିଛି, ସେହି ବ୍ୟକ୍ତି ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ। ତାଙ୍କ ପତ୍ନୀ ବେଲି କହିଛନ୍ତି ଯେ, ଓସ୍କାର ଜିତିବାର ମୂଲ୍ୟ ତ ସେ ଜାଣି ନାହାନ୍ତି କିନ୍ତୁ ତାର ଖୁସିକୁ ସେ ଅନୁଭବ କରି ପାରୁଛନ୍ତି।
କଣ ରହିଛି ଫିଲ୍ମର କାହାଣୀ

ଏହି ଚଳଚ୍ଚିତ୍ର ମୂଳତଃ ତାମିଲ୍। ଏହାର ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକି ଗୋଞ୍ଜାଲିଭ୍ସ। ଚଳଚ୍ଚିତ୍ରରେ ମଣିଷ ଏବଂ ପଶୁଙ୍କ ମଧ୍ୟରେ ରହିଥିବା ଅନାବିଳ ପ୍ରେମକୁ ବେଶ ସୁନ୍ଦରତାର ସହ ଦର୍ଶାଯାଇଛି। ଫିଲ୍ମର କାହାଣୀ ଦକ୍ଷିଣ ଭାରତର ଏକ ଦମ୍ପତ୍ତି ବୋମନ ଏବଂ ବେଲିଙ୍କର, ଯିଏ ଏକ ଅନାଥ ହାତୀକୁ ନିଜ ସହିତ ନେଇ ଆସନ୍ତି ଏବଂ ଏହାର ସେବ ସୁଶ୍ରୁସା କରନ୍ତି। ହାତୀର ନାମ ରଘୁ ରଖନ୍ତି। ଏହା ପରେ ହାତୀଟି ତାଙ୍କ ପରିବାରର ସଦସ୍ୟ ପରି ରହୁଛି। ଏହି ସମୟରେ ଜଣେ ପଶୁ ଏବଂ ମଣିଷ ମଧ୍ୟରେ ସୃଷ୍ଟି ଭଲ ପାଇବାର ସଂପର୍କକୁ ନେଇ କାହାଣୀ ଗଢି ଉଠିଛି। ୨୦୨୨ ନଭେମ୍ବର ୯ରେ ଫିଲ୍ମର ଓ୍ଵାର୍ଲ୍ଡ ପ୍ରିମିୟର ଆମେରିକାର ବୃତ୍ତ ଚିତ୍ର ଫେଷ୍ଟିବାଲରେ କରାଯାଇଥିଲା।
୪୦ ମିନିଟ୍ର ଏହି ବୃତ୍ତ ଚିତ୍ର ନୀଳଗିରି ଜିଲ୍ଲାର ମୁଦୁମଲାଇ ଜଙ୍ଗଲ ଯାହା ନ୍ୟାସନାଲ୍ ପାର୍କର ମାନ୍ୟତା ପାଇଛି ସେଠାରେ ସୁଟିଂ କରାଯାଇଛି।ଫିଲ୍ମରେ ପ୍ରାକୃତିକ ସଂରକ୍ଷଣ ସହିତ ଆାଦିବାସୀଙ୍କ ଜୀବନ ଶୈଳୀକୁ ମଧ୍ୟ ଦର୍ଶାଯାଇଛି।