ଆନ୍ଧ୍ର ପ୍ରଦେଶରେ ରହସ୍ୟମୟ ରୋଗର କାରଣ ବାହାର କଲା ଏମ୍ସ, ପାଣି ଓ କ୍ଷୀର ବଢାଇଛି ଚିନ୍ତା

Published By : Prameya-News7 Bureau | December 08, 2020 IST

ଏଲୁରୁ ୦୮।୧୨: ଆନ୍ଧ୍ର ପ୍ରଦେଶରରେ ରହସ୍ୟମୟୀ ରୋଗ କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କର ମାହୋଲ ରହିଛି। ଏହି ଅଜଣା ରୋଗରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏବେ ଯାଞ୍ଚରୁ ଜଣା ପଡିଛି ଯେ, ଏଲୁରୁ ସହରରେ ପାନୀୟ  ଜଳ ଓ କ୍ଷୀରରେ ଥିବା ନିକଲେ ତଥା ସୀସା ପରି ପଦାର୍ଥର ଉପସ୍ଥିତି ହିଁ ରହସ୍ୟମୟ ରୋଗର କାରଣ ହୋଇଥିବା କୁହାଯାଉଛି।

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ) ଓ ରାଜ୍ୟ ତଥା ଅନ୍ୟ କେନ୍ଦ୍ରୀୟ ସଂସ୍ଥାର ବିଶେଷଜ୍ଞ ଟିମ ଦ୍ଵାରା ରୋଗର ପ୍ରକୃତ କାରଣକୁ ନେଇ ସନ୍ଧାନ କରାଯାଇଥିଲା। ଏହା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ବିଶେଷଜ୍ଞ  ଦଳ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ବିଜ୍ଞପ୍ତିରେ ଏମ୍ସ ବିଶେଷଜ୍ଞ ଦ୍ଵାରା ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ରହସ୍ୟମୟ ରୋଗର କାରଣ ନିକେଲ ଓ ସୀସା ହୋଇଥିବା ଜଣା ପଡିଛି। ଏହି ଭାରୀ ଧାତୁ ପାଣି ଓ କ୍ଷୀରେ ରହିଥିବା ଜଣା ପଡିଛି।

ଏହି ରୋଗ କାରଣରୁ ଶନିବାର ରାତିରୁ ଲୋକେ ଅସୁସ୍ଥ ହୋଇପଡିଥିଲେ। ଲୋକଙ୍କଠାରେ ଚେତା ହରାଇବା, ବାନ୍ତି, ପିଠି ଯନ୍ତ୍ରଣା, ମୁଣ୍ଡ ବୁଲାଇବା ପରି ଆଦି ସମସ୍ୟା ଦେଖିବାକୁ ମିଳିଥିଲା। ଅଧିକାରୀଙ୍କ ଅନୁଯାୟୀ, ଏ ପର୍ଯ୍ୟନ୍ତ ଏହି ଅଜଣା ରୋଗରେ ୫୦୫ ଜଣ ଅସୁସ୍ଥ ହେଲେଣି। ଏଥିରୁ ୩୦୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୧୨୦ ଜଣଙ୍କ ଚିକିତ୍ସା ଜାରି ରହିଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ,  ମୁଖ୍ୟମନ୍ତ୍ରୀ ରୋଗୀଙ୍କ ଶରୀରରେ ଭାରି ଧାତୁର ଉପସ୍ଥିତିକୁ ନେଇ ଯାଞ୍ଚ କରାଯିବା ସହ ଚିକିତ୍ସା ବ୍ୟବସ୍ଥା ଉପରେ କ୍ରମାଗତ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ନିୟୋଜିତ ବିଶେଷଜ୍ଞଙ୍କ ବ୍ୟତୀତ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଗଠିତ ତିନି ଜଣିଆ କମିଟି ମଙ୍ଗଳବାର ଏଲୁରୁ ପହଞ୍ଚି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ନମୂନା ସଂଗ୍ରହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.