ଚୀନ୍ ସରକାରଙ୍କ କୋଭିଡ ନୀତି ଯୋଗୁ ବଢୁଛି ସମସ୍ୟା, ସାଓମୀରୁ ୧୫% କର୍ମଚାରୀଙ୍କ ଛଟେଇ
20/12/2022 at 2:25 PM

ବେଜିଂ ୨୦।୧୨: ସାରା ବିଶ୍ୱରେ ଏବେ କର୍ମଚାରୀ ଛଟେଇ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଏଥିରେ ଏବେ ଚୀନ୍ର ଦିଗ୍ଗଜ ସ୍ମାର୍ଟ ଫୋନ କମ୍ପାନୀ ସାଓମୀ ମଧ୍ୟ ସାମିଲ ହୋଇଯାଇଛି। କମ୍ପାନୀ ଏବେ ସ୍ମାର୍ଟ ଫୋନ ଓ ଇଣ୍ଟରନେଟ୍ ସର୍ଭିସେସ୍ ବ୍ୟବସାୟୀକ ୟୁନିଟ୍ ରୁ ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ବାହାରକୁ ରାସ୍ତା ଦେଖାଉଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ସାଓମୀ ପ୍ରାୟ ୧୫ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିବ।
ହଂକଂର ସମ୍ବାଦପତ୍ର ଚୀନ୍ର ସ୍ଥାନୀୟ ସମ୍ବାଦପତ୍ର ଓ କମ୍ପାନୀରୁ ଚାକିରୀ ହରେଇଥିବା କର୍ମଚାରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଚୀନ ସରକାରଙ୍କ ଜିରୋ କୋଭିଡ ପଲିସି ଓ କଞ୍ଜ୍ୟୁମର ଡିମାଣ୍ଡରେ ହ୍ରାସ ସାଓମୀର ବ୍ୟବସାୟକୁ ପ୍ରଭାବିତ କରିଛି। ଡିସେମ୍ବର ୨୦୨୨ ତ୍ରୈମାସିକ ଫଳାଫଳ ଆସିବା ପରେ କମ୍ପାନୀ ବ୍ୟାପକ ଛଟେଇ ଆରମ୍ଭ କରିଦେଇଛି।

ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସାଓମୀରେ ୩୫,୩୧୪ ଜଣ କର୍ମଚାରୀ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ପାଖାପାଖି ୩୨ ହଜାର କେବଳ ଚୀନ୍ ମେନ ଲ୍ୟାଣ୍ଡର ଲୋକେ କର୍ମଚାରୀ ଥିଲେ। ଏଥିରେ ସାଓମୀ ଛଟେଇ ଲାଗି ନିଷ୍ପତ୍ତି ନେଇଥିବାରୁ ହଜାର ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି। ଛଟେଇ ହେବାକୁଥିବା କର୍ମଚାରୀଙ୍କ ମଧ୍ୟରେ ଗତବର୍ଷ ଡିସେମ୍ବରରେ ନୂଆ ନିଯୁକ୍ତ ହୋଇଥିବା କର୍ମଚାରୀ ମଧ୍ୟ ଅଛନ୍ତି। ଗତବର୍ଷ କମ୍ପାନୀର କର୍ମଚାରୀ ହାୟରିଂ କାଳରେ ଏହି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା।
ଦେଶରେ କରୋନା ମହାମାରୀକୁ ନେଇ ସରକାରଙ୍କ କଡ଼ା କଟକଣା ବେଳେ ବଜାରରେ କମ୍ପାନୀ ଉତ୍ପାଦର କଞ୍ଜ୍ୟୁମର ଡିମାଣ୍ଡ ମଧ୍ୟ ହ୍ରାସ ହୋଇଛି। ଏଣୁ କମ୍ପାନୀର ଜୁଲାଇ-ସେପ୍ଟେମ୍ବର ୨୦୨୨ ତ୍ରୈମାସିକରେ ରାଜସ୍ୱ ଆୟ ୯.୭ପ୍ରତିଶତ ହ୍ରାସ ହୋଇଥିଲା। ସାଓମୀ ନଭେମ୍ବର ମାସରେ ତୃତୀୟ ତ୍ରୈମାସିକର ଫଳାଫଳ ଘୋଷଣା କରିଥିଲା। ଏଥିରେ ସ୍ମାର୍ଟ ଫୋନର ବିକ୍ରି ରାଜସ୍ୱ ବାର୍ଷିକ ଆଧାରରେ ୧୧ ପ୍ରତିଶତ ହ୍ରାସ ହୋଇଥିବା ସୂଚିତ କରିଥିଲା। କମ୍ପାନୀର ମୋଟ ବିକ୍ରିରେ ସ୍ମାର୍ଟ ଫୋନର ଭାଗିଦାରୀ ପ୍ରାୟ ୬୦ ପ୍ରତିଶତ । କେବଳ ସାଓମୀ ନୁହନ୍ତି ଚୀନ୍ର ଅନ୍ୟ କ୍ଷେତ୍ରରେ ମଧ୍ୟ ଏବେ ନିଯୁକ୍ତି ହ୍ରାସ ହେଉଥିବା ଲୋକେ ସୋସିଆଲ ମିଡିଆ ପ୍ଲାଟଫର୍ମ ୱିବୋ, ଶାଓହୋଙ୍ଗସୁ ଓ ମାଇମାଇରେ ବହୁସଂଖ୍ୟାରେ ପୋଷ୍ଟ କରୁଛନ୍ତି।