ଓକିଲ ଆନ୍ଦୋଳନ : ଅଚଳାବସ୍ଥା ନେଇ ଆସନ୍ତାକାଲି ମିଳିତ ବାର କାଉନ୍ସିଲ ନେବ ନିଷ୍ପତ୍ତି
31/10/2018 at 6:44 PM

କଟକ ୩୧|୧୦: ହାଇକୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଜାରି ରହିଥିବା ବେଳେ ଏହାକୁ ଜାରି ରଖାଯିବ କି ନାହିଁ ସେନେଇ ଆସନ୍ତାକାଲି ମିଳିତ ବାର କାଉନ୍ସିଲ ନିଷ୍ପତ୍ତି ନେବ। ତେବେ ଏହା ପୂର୍ବରୁ ଓକିଲଙ୍କ ଆନ୍ଦୋଳନ ପଛର ରାଜନୀତି ପୁଣି ବିଭିନ୍ନ ସ୍ଥାନରୁ ମୁଣ୍ଡ ଟେକିଛି। ଆଜି ଏନେଇ ମୁହଁ ଖୋଲିଛନ୍ତି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା, ଆସୀମ ଅମିତାଭ ଦାସ, ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲା ହାଇକୋର୍ଟ ବାର୍ କାଉନ୍ସିଲ। ସେହିପରି ପୋଲିସ ମଧ୍ୟ ଏମତି କିଛି ବଖାଣିଛି ଯାହାକି ସୂଚନା ଦେଉଛି ଭିତରେ ଭିତରେ ଝଡ଼ ଆହୁରି ଜୋର୍ରେ ଚାଲିଛି।
କାଲି ନିଷ୍ପତ୍ତି ଆଜି ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଂକାର। ଆନ୍ଦୋଳନରତ ଆଇନଜୀବୀମାନେ ଆଜି ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋର୍ଟ ପରିସରରେ ସରକାରୀ ବିରୋଧୀ ନାରା ଦେବା ସହିତ କୁଶପୁତ୍ତଳିକା ଦାହ କରିଛନ୍ତି। ଆସନ୍ତାକାଲି ମିଳିତ ବାର୍ କାଉନ୍ସିଲ ବୈଠକ ବସିଲା ପରେ ଓକିଲଙ୍କ ଆନ୍ଦୋଳନ ଚାଲୁ ରହିବ କି ବନ୍ଦ ହେବ ସେନେଇ ନିଷ୍ପତ୍ତି ନିଆଯିବ।
ଏପଟେ ଆଜି ମୁହଁ ଖୋଲିଛନ୍ତି ବିଜୁ ଲିଗାଲ ଫ୍ରଣ୍ଟର ଉପଦେଷ୍ଟା ଅମୀସ ଅମିତାଭ ଦାସ୍। ଅସୀମ ଅମିତାଭ ଦାସଙ୍କ ସମେତ ଚାରି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଥିଲା ହାଇକୋର୍ଟ ବାର ଆସୋସିଏସନ। ଅସୀମ ଅମିତାଭ କହିଛନ୍ତି ଆନ୍ଦୋଳନ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ଚାଲିଛି। ଆନ୍ଦୋଳନ ବନ୍ଦ କରିବା ଲାଗି ପୋଲିସ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଉଦ୍ୟମକୁ କାହିଁକି ସାଧାରଣ ପରିଷଦ ବୈଠକରେ ସ୍ଥାନ ଦିଆଗଲାନି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ କଟକ ଡିସିପି ମଧ୍ୟ ସମାନ ଆଭାସ ଦେଇଛନ୍ତି ଯେ ଆନ୍ଦୋଳନର ସମାଧାନ ନେଇ ଆପାତତଃ ନିଷ୍ପତ୍ତି ହୋଇସାରିଥିଲା, ତଥାପି କଣ ହେଲା ସବୁକିଛି ବନ୍ଦ ହୋଇଗଲା। ସେପଟେ ହାଇକୋର ବାର ଆସୋସିଏସନ ସଂପାଦକ କହିଛନ୍ତି ଅଲଗା କଥା ।
ଫେବ୍ରୁଆର ୨୦୧୮ରେ କୋଲକାତାର ଆଇନଜବୀମାନେ ସର୍ବାଧୀକ ୭୧ ଦିନ ଆନ୍ଦୋଳନ ପରେ ଏହାକୁ ପ୍ରତ୍ୟାହାର କରିଥିଲେ। ଏବେ ଓକିଲଙ୍କ ଆନ୍ଦୋଳନ ୬୨ ଦିନରେ ପହଞ୍ଚିଛି, ଯାହାକି ଆଗାକୁ କେତେଦିନ ଯାଉଛି ତାହା ଆସନ୍ତାକାଲି ଜଣାଯିବ।