ସଲମାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ଲାନ୍ ‘ବି’: ପାନଭେଲ୍ ଫାର୍ମ ହାଉସ୍ ସିକ୍ୟୁରିଟି ଗାର୍ଡ ଠାରୁ ନିଆଯାଉଥିଲା ସବୁ ତଥ୍ୟ
15/09/2022 at 6:40 PM

ମୁମ୍ବାଇ: ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ହୋଇଥିଲା ପ୍ଲାନ୍- ବି। ମହାରାଷ୍ଟ୍ର ପାନଭେଲ୍ରେ ଥିବା ତାଙ୍କ ଗେଷ୍ଟ ହାଉସ୍ରେ ହତ୍ୟା କରାଯାଇଥାନ୍ତା ବଲିଡର ଦବଙ୍ଗ ଖାନଙ୍କୁ। ପୂରା ପ୍ଲାନ୍ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ପ୍ଲାନ୍ ଅନୁସାରେ, ପାନଭେଲ ଗେଷ୍ଟ ହାଉସ ଏରିଆରେ ବିଷ୍ଣୋଇ ଗ୍ୟାଙ୍ଗର ଲୋକଙ୍କୁ ମଧ୍ୟ ରଖାଯାଇଥିଲା। ହେଲେ ଏହି ଘଟଣା ଏବେ ପୁଲିସ ଆଗରେ ଉଜାଗର ହୋଇଛି।
ଚଳିତ ବର୍ଷ ଜୁନ ମାସରେ ମୁମ୍ବାଇର ବେଣ୍ଡଷ୍ଟାଣ୍ଡ ପ୍ରୋମେନେଡ୍ରେ ସମୁଦ୍ରକୂଳରେ ସଲମାନଙ୍କ ବାପା ସଲୀମ ଖାନ୍ଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠିରେ ସଲମାନଙ୍କୁ ଧମକ ଦିଆଯାଇଥିଲା। ଯେଉଁଥିରେ ଲେଖାଥିଲା -ତୁମହାରା ମୁସେୱାଲା କରଦେଙ୍ଗେ। ଅର୍ଥାତ୍ ତୁମର ମୁସେୱାଲାଙ୍କ ଭଳି ଅବସ୍ଥା ହେବ। ଏହାର କିଛି ସପ୍ତାହ ପୂର୍ବରୁ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୦ରୁ ଅଧିକ ଶୁଟର ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗର ହାତ ଥିବା ଜାଣିବାକୁ ପାଇଥିଲା ପୁଲିସ୍।
ସେହିପରି ସଲମାନଙ୍କୁ ହତ୍ୟା କରିବାକୁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ ଯୋଜନା କରିଛି। କାନାଡ଼ାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ଓ କପିଲ ପଣ୍ଡିତ ଏହି ଯୋଜନାର ନେତୃତ୍ୱ ନେଉଛନ୍ତି। କପିଲ ପଣ୍ଡିତ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଦକ୍ଷ ବନ୍ଧୁକ ଚାଳକ। ଯାହାକୁ ନିକଟରେ ଭାରତ-ନେପାଳ ବର୍ଡରରେ ଗିରଫ କରାଯାଇଛି।
ଏମିତି ଥିଲା ପ୍ଲାନ ବି-
ସଲମାନଙ୍କୁ ହତ୍ୟା କରିବାକୁ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡି ଏବଂ ଅନ୍ୟ ଦୁଇ ଜଣ ଶୁଟର ମୁମ୍ବାଇର ୱାଜେ ଏରିଆରେ ଥିବା ପାନଭେଲ୍ରେ ଘର ବଡ଼ା ନେଇ ରହିଥିଲେ। ପାନଭେଲ୍ରେ ସଲମାନ ଖାନ୍ଙ୍କର ଏକ ଗେଷ୍ଟ ହାଉସ ରହିଛି। ଏହି ଗେଷ୍ଟ ହାଉସର ରାସ୍ତା ନିକଟରେ ଥିବା ଏରିଆରେ ଗ୍ୟାଙ୍ଗର ଜଣେ ଶୁଟର ଘର ଭଡ଼ା ନେଇ ପ୍ରାୟ ଦେଢ଼ ମାସ ରହିଥିଲା। ସମସ୍ତ ଶୁଟର ପାଖର ଛୋଟ ଦେଶ ପିସ୍ତଲ ଥିଲା।
ଶୁଟରମାନେ ଏହା ଜାଣିଥିଲେ ଯେ ଯେବେଠାରୁ ହିଟ୍ ଆଣ୍ଡ ରନ୍ ମାମଲାରେ ସଲମାନ ଖାନ୍ଙ୍କ ନାଁ ଆସିଛି ସେବେଠାରୁ ସେ ଗାଡ଼ି ଡ୍ରାଇଭିଂରେ ସତର୍କ ରହୁଛନ୍ତି। ଖୁବ ଧୀରେ ଡ୍ରାଇଭିଂ କରୁଛନ୍ତି। ସଲମାନ ଯେତେବେଳେ ପାନ୍ଭେଲ୍କୁ ଆସନ୍ତି ସେତେବେଳେ ସେ ବହୁତ ଧୀରେ ଗାଡ଼ି ଡ୍ରାଇଭିଂ କରନ୍ତି। ଆଉ ଅଧିକାଂଶ ସମୟ ତାଙ୍କ ସହ ତାଙ୍କର ବ୍ୟକ୍ତିଗତ ବଡ଼ିଗାଡ଼ ଶେରା ରହିଥାଏ। ଏସବୁ କଥା ଶୁଟରମାନଙ୍କୁ ଜଣାଥିଲା।
ସଲମାନଙ୍କ ଫାର୍ମହାଉସ୍ ସିକ୍ୟୁରିଟି ଠାରୁ ତଥ୍ୟ ଏକାଠି କରୁିଥିଲା ଶୁଟର
ଏଥିପାଇଁ ଗେଷ୍ଟ ହାଉସ୍ ଯାଉଥିବା ରାସ୍ତାରେ କେତୋଟି ଖାଲ ଅଛି ସେସବୁକୁ ଲେଖି ରଖାଯାଇଥିଲା। ଏହିସବୁ ସ୍ଥାନରେ ଗାଡ଼ିଗୁଡ଼ିକ ସ୍ପିଡ୍ ଘଣ୍ଟା ପ୍ରତି ୨୫ କିମି ପର୍ଯ୍ୟନ୍ତ କମାଇ ହେବ ବୋଲି ହିସାବ ହୋଇଥିଲା। ଏହି ହିସାବ ସରିବା ପରେ ସଲମାନଙ୍କ ବିଷୟରେ ସୂଚନା ଏକତ୍ର କରିବାକୁ ତାଙ୍କ ଫାର୍ମ ହାଉସ୍ ବାହାରେ ଜଗୁଥିବା ସୁରକ୍ଷାକର୍ମୀଙ୍କ ସହ ଜଣେ ଶୁଟର କଥାବାର୍ତ୍ତା ଜାରି ରଖିଥିଲେ। ନିଜକୁ ଫେନ୍ ବୋଲି କହି ସିକ୍ୟୁରିଟି ଗାର୍ଡଙ୍କ ଠାରୁ ସଲମାନଙ୍କ ବିଷଟରେ ସବୁ ସୂଚନା ନେଉଥିଲେ। ଆଉ ହତ୍ୟା କରିବାକୁ ସତର୍କ ରହୁଥିଲେ। ଏହି ସମୟରେ ସଲମାନ ଖାନ୍ ଦୁଇଥର ପାନଭେଲକୁ ଆସିଥିବା ବେଳେ ଶୁଟରମାନେ ତାଙ୍କୁ ହତ୍ୟା କରିବାରେ ବିଫଳ ହୋଇଥିଲେ। ନିକଟରେ ଗ୍ୟାଙ୍ଗର ଜଣେ ବ୍ୟକ୍ତି ଗିରଫ ହେବା ପରେ ଏହିସବୁ ପ୍ଲାନ ବିଷୟରେ ଜଣାପଡ଼ିଥିଲା।
କାହିଁକି ରହିଛି ବିଷ୍ଣୋଇ ଗ୍ୟାଙ୍ଗର ରାଗ ?
୧୯୯୮ ମସିହାରେ ରାଜସ୍ଥାନ ଯୋଦ୍ଧପୁରେ ସୁରଜ ବରଜାତିଆଙ୍କ ଫିଲ୍ମ ‘ହମ୍ ସାଥ୍ ସାଥ୍ ହେଁ’ର ଶୁଟିଂ ଚାଲିଥିବା ବେଳେ ସଲମାନ ଖାନ୍ଙ୍କ ବିରୋଧର କୃଷସାର ମୃଗ ହତ୍ୟାର ଅଭିଯୋଗ ହୋଇଥିଲା। ବିଷ୍ଣୋଇ ସମୁଦାୟ କୃଷ୍ଣସାର ମୃଗକୁ ପୂଜା କରୁଥିବାରୁ ସଲମାନଙ୍କ ଉପରେ ଏହି ସମ୍ପ୍ରଦାୟର ରାଗ ରହିଥିଲା। ଏହି ମାମଲାରେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବାକୁ ଅନେକ ବର୍ଷରୁ ଯୋଜନା କରିଆସୁଛି।
ବନ୍ଧୁକ ରଖିବାକୁ ସଲମାନଙ୍କୁ ଅନୁମତି
ଜୀବନ ପ୍ରତି ବିପଦ ଥିବାରୁ ଗତ ମାସରେ ସଲମାନ ଖାନ୍ ବନ୍ଧୁକ ରଖିବା ପାଇଁ ମୁମ୍ବାଇ ପୁଲିସ ଠାରୁ ଅନୁମତି ମିଳିିଛି। ବେଣ୍ଡଷ୍ଟାଣ୍ଡ ପ୍ରୋମେନେଡ୍ ସମୁଦ୍ରକୂଳରେ ଧମକପୂର୍ଣ୍ଣ ଚିଠି ପାଇବା ପରେ ବନ୍ଧୁକ ଲାଇସେନ୍ସ ପାଇଁ ସଲମାନ ପ୍ରଥମେ ଆବେଦନ କରିଥିଲେ। ଏହାପରେ ପୁଲିସ ଏହି ଆବେଦନକୁ ଡିସିପି ଜୋନ ୯କୁ ପଠାଇ ଦେଇଥିଲେ। ଜୋନାଲ ଡିସିପି ସବୁଜ ସଂକେତ ଦେବା ପରେ ସମାଲନଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ଦିଆଯାଇଥିଲା।