ମୋଦିଙ୍କ କବିତାକୁ ସ୍ୱର ଦେଲେ ଲତା ମଙ୍ଗେସକର
30/03/2019 at 5:54 PM
ମୁମ୍ବାଇ ୩୦/୩ : ଦେଶର ସ୍ୱର କୋକିଳା ଲତା ମଙ୍ଗେସକର ପ୍ରଧାନମନ୍ତ୍ରୀଙ୍କ କବିତା “ସୌଗନ୍ଧ ମୁଝେ ଇସ ମିଟ୍ଟୀ କି” କୁ ନିଜ ସ୍ୱର ଦେଇଛନ୍ତି | ଲତା ଏହି ଗୀତର ଭିଡିଓ ନିଜ ଟ୍ୱିଟର ପେଜରେ ମଧ୍ୟ ସେୟାର କରିଛନ୍ତି | ଗୀତର ଭିଡିଓରେ ପ୍ରଥମେ ଲତାଙ୍କ ଏକ ମେସେଜ ରହିଛି | ସେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣୁଥିଲେ | ଭାଷଣରେ ସେ ଏକ କବିତାର କିଛି ପଂକ୍ତି କହିଥିଲେ | ପଂକ୍ତିଟି ତାଙ୍କ ମନକୁ ଛୁଁଇଥିଲା | ପଂକ୍ତିଟି ଶୁଣିବା ପରେ ତାହା ତାଙ୍କୁ ଭାରତର ସମସ୍ତ ଜନତାଙ୍କ ମନର କଥା ଭଳି ଲାଗିଥିଲା | ପଂକ୍ତିଟି ତାଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ତାକୁ ରେକର୍ଡ କରିଥିଲେ | ସେହି କବିତାକୁ ସେ ଦେଶବାସୀ ଏବଂ ଦେଶର ଜନତାଙ୍କୁ ସମର୍ପିତ କରିଛନ୍ତି |
ଏହି ଭିଡିଓକୁ ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଏହି ଗୀତ ପାଇଁ ଲତା ମଙ୍ଗେସକରଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି | ଏହାସହ ଲତାଜୀଙ୍କ ଆଶୀର୍ବାଦ ଓ ସ୍ନେହ ତାଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି |
ସୂଚନାଯୋଗ୍ୟ ଯେ, ମୋଦି ପାକିସ୍ତାନ ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ଏହି କବିତାର ପଂକ୍ତି ପଢିଥିଲେ | ରାଜସ୍ଥାନର ଚୁରୁରେ ସେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହି ପଂକ୍ତି ପଢିଥିଲେ | ଆସନ୍ତା ଏପ୍ରିଲ ୫ ତାରିଖରେ ମୋଦିଙ୍କ ବାୟୋପିକ ରିଲିଜ ହେବ | ବିବେକ ଓ଼ବେରଏ ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି | ଫିଲ୍ମର ପ୍ରଥମ ଗୀତ ମଧ୍ୟ ଏହି କବିତା “ସୌଗନ୍ଧ ମୁଝେ ଇସ ମିଟ୍ଟୀ କି” ରୁ ହୋଇଛି | ଏହି ଗୀତ ମାର୍ଚ୍ଚ ୨୩ ତାରିଖରେ ରିଲିଜ ହୋଇଥିଲା |
