ମାସେ ହେଲା ସମ୍ବଲପୁର ଜିଲ୍ଲାର ସମସ୍ତ କୋର୍ଟ କାମ ଠପ୍ : ନାହିଁ ନଥିବା ଅସୁବିଧାରେ ସାଧାରଣ ଲୋକ
5/10/2018 at 9:27 PM

ସମ୍ୱଲପୁର ୫/୧୦: ସମ୍ବଲପୁରରେ ୩୦ଦିନ ହେଲାଣି ଜିଲ୍ଲାର ସମସ୍ତ କୋର୍ଟ କାମ ଠପ୍ ହୋଇଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ତହସିଲଦାର, ଆରଟିଓ ଏବଂ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ମଧ୍ୟ ଓକିଲମାନେ ବନ୍ଦ କରିଦେଇଛନ୍ତି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ସେପଟେ କୋର୍ଟରେ ବିଭିନ୍ନ ମାମଲାର ଫୈସଲା ହୋଇପାରୁନଥିବାରୁ ଜେଲରେ ବଢ଼ୁଛି କଏଦୀଙ୍କ ସଂଖ୍ୟା । ତଥାପି ନା’ କେନ୍ଦ୍ର ସରକାର ନା’ ରାଜ୍ୟ ସରକାର କେହି ବି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନାହାନ୍ତି । ଫଳରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅଡ଼ି ବସିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲସଂଘ ଓ ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।
ଗୋଟେ ପଟେ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ଅଚଳ ହୋଇପଡିଛି । ଅନ୍ୟପଟେ ୨୧ଟି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ବନ୍ଦ ପଡ଼ିଛି । ଫଳରେ ସାଧାରଣ ଲୋକଙ୍କ ବହୁ କାମ ଅଟକି ପଡିରହିଛି। ରେଡ୍କ୍ରସକୁ ରୋଗୀକଲ୍ୟାଣ ସାହାଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଆସୁଥିବା ଅସହାୟ ଲୋକମାନେ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛନ୍ତି । ରାଜସ୍ବ ଆଦାୟ, ନିର୍ବାଚନ କାର୍ଯ୍ୟ ବନ୍ଦ ହୋଇଯାଇଛି। ୨୧ଟି ବିଭାଗର କର୍ମଚାରୀମାନେ ଦଶହରା ଛୁଟିର ଢେର୍ ପୂର୍ବରୁ ୩୦ଦିନ ଛୁଟିରେ ରହିଲେଣି। ସାରା ଜିଲ୍ଲାରେ ଏବେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ହେଲେ ସମ୍ବଲପୁର ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ କରିବା ବଦଳରେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗି ହାତବାନ୍ଧି ବସିଛନ୍ତି ।
ୟା ଭିତରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଚିଠି ଲେଖି ଏହି ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି । ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ, କେନ୍ଦ୍ର ସରକାରଙ୍କୁ ତାଙ୍କ ରିପୋର୍ଟ ଦେବାକୁ ଅନୁରୋଧ କରିଛି । ଏଥିସହ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଦାବି ସଂପର୍କରେ ଚିଠି ଲେଖିଛି ଜଣାଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି।