ନୂଆଦିଲ୍ଲୀ ୧୨/୦୨- ପଟିଆଲା ହାଉସ କୋର୍ଟଙ୍କ ନିଷ୍ପତ୍ତିରେ କାନ୍ଦି ପକାଇଲେ, ତାପରେ ଗଲେ ସୁପ୍ରିମ କୋର୍ଟ । ୨୦୧୨ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପୀଡିତାଙ୍କ ମାଆ ଆଶା ଦେବୀ ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହି ୪ ଦୋଷୀ ତୁରନ୍ତ ଆଇନର ପରିଣତି ତଥା ଚରମ ଦଣ୍ଡ ଭୋଗନ୍ତୁ ବୋଲି ଦାବି କରିଆସୁଥିବା ଆଶା ଦେବୀ ସାନି ଡେଥ୍ ୱାରେଣ୍ଟ ଜାରି ଲାଗି ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି । କାରଣ ନିମ୍ନ ଅଦାଲତରେ ବାରମ୍ବାର ନିଷ୍ପତ୍ତି ବିଳମ୍ବିତ ହେଉଥିବାରୁ ସୁପ୍ରିମକୋର୍ଟ ହିଁ ଶେଷ ଆଶା ବୋଲି ଆଶା ଦେବୀ କହିଛନ୍ତି । ଆଶା ଦେବୀଙ୍କ ଆବେଦନ ଭିତ୍ତିରେ ୧୩ ତାରିଖ ଏବେ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ ନିର୍ଭୟା ମାମଲାରେ କିଛି ଗାଇଡ୍ ଲାଇନ୍ ଦେବେ ବୋଲି ଆଶା ରଖିଛନ୍ତି ଆଶା ଦେବୀ ।
ସାନି ଡେଥ୍ ୱାରେଣ୍ଟ ଜାରି ନେଇ ନିର୍ଭୟାଙ୍କ ବାପା- ମାଆ କରିଥିବା ଆବେଦନର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଗୁରୁବାରକୁ ପୁଣି ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ତେବେ ପଟିଆଲା ହାଉସ କୋର୍ଟଙ୍କ ଏପରି ନିଷ୍ପତ୍ତିରେ ଆଶା ଦେବୀ ବୋଧହୁଏ ବ୍ୟସ୍ତ ଏବଂ ହତାଶ ହୋଇପଡିଛନ୍ତି । ପଟିଆଲା ହାଉସ କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ କାନ୍ଦି ପକାଇଥିଲେ ଆଶାଦେବୀ । ପଟିଆଲା ହାଉସ କୋର୍ଟ ବାହାରେ ଦୋଷୀଙ୍କୁ ତୁରନ୍ତ ଫାଶୀରେ ଝୁଲାଇବାକୁ ଦାବି ମଧ୍ୟ କରିଥିଲେ । ତାହାପରେ ସେ ସୁପ୍ରିମ କୋର୍ଟଙ୍କ ଦରଜା ବାଡେଇଛନ୍ତି । କହିଛନ୍ତି, “ ମୁଁ ୪ ଦୋଷୀଙ୍କ ନାମରେ ଡେଥ୍ ୱାରେଣ୍ଟ ଜାରି ଲାଗି ସୁପ୍ରିମକୋର୍ଟଙ୍କୁ ଆବେଦନ କରିଛି, ଯେହେତୁ ପଟିଆଲା କୋର୍ଟ ସାନି ଡେଥ୍ ୱାରେଣ୍ଟ ଜାରି କରିବା ନେଇ ଇଚ୍ଛା ପ୍ରକାସ କରୁନାହାନ୍ତି । ବିଚାରପତି ଦୋଷୀମାନଙ୍କୁ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ କରିବାକୁ ଚାହୁଁନାହାନ୍ତି ଏବଂ ସେ ସେମାନଙ୍କୁ ସମର୍ଥନ କରୁଛନ୍ତି ।“
ଏହା ସହ ସେ ତ୍ୱରିତ ନ୍ୟାୟ ପ୍ରଦାନ ଲାଗି ଆଇନ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ସବୁକୁ ଦୂର କରିବା ଲାଗି କେଜ୍ରିୱାଲ ସରକାରଙ୍କୁ ନିବେଦନ କରିଛନ୍ତି । ଏହା କହିବା ବେଳେ ଆଶା ଦେବୀ ମଧ୍ୟ କହିଛନ୍ତି, ଦିଲ୍ଲୀ ଜେଲ ପ୍ରଶାସନ ତାଙ୍କର କାର୍ଯ୍ୟପଦ୍ଧତିକୁ ବଦଳାଇବା ଦରକାର ଏବଂ ଯେପରି କୌଣସି ଦୋଷୀ ମୃତ୍ୟୁ ଦଣ୍ଡରୁ ବର୍ତ୍ତି ନଯାଏ , ସେନେଇ ନିୟମ ଆଣିବା ଦରକାର ।
ଦୋଷୀ ମାନଙ୍କୁ ସେମାନଙ୍କ ଆଇନଗତ ବିକଳ୍ପ ସବୁର ବ୍ୟବହାର ଲାଗି କୋର୍ଟ ଦେଇଥିବା ୭ ଦିନିଆ ସମୟ ସୀମା ବୁଧବାର ଶେଷ ହୋଇଥିଲେ ବି ସମସ୍ୟା ଦୂର ହୋଇନି । କାରଣ, ଅନ୍ୟତ ଦୋଷୀ ପୱନ ଗୁପ୍ତାର ବାପା କୋର୍ଟଙ୍କୁ ଜଣାଇଥିଲେ ଯେ, ତାଙ୍କ ପୁଅ ଲାଗି ଲଢିବାକୁ ସେ ଏବେ ସୁଦ୍ଧା ଯଥାର୍ଥ ଓକିଲ ପାଇନାହାନ୍ତି । ତେଣୁ ମାମାଲାର ଶୁଣାଣିକୁ ଗଡାଇଛନ୍ତି ପଟିଆଲା ହାଉସ କୋର୍ଟ । ଅତିରିକ୍ତ ସେସନ୍ସ ଜଜ୍ ମାମଲାର ଶୁଣାଣିକୁ ଗୁରୁବାରକୁ ଘୁଞ୍ଚାଇବା ବେଳେ କହିଛନ୍ତି, ପ୍ରତ୍ୟେକ ଦୋଷୀର ମଧ୍ୟ ତାର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆଇନଗତ ସହାୟତା ପାଇବାର ଅଧିକାର ରହିଛି ।
୨୦୧୨ ଡିସେମ୍ବରରେ ଘଟିଥିବା ସେହି ଲୋମ ହର୍ଷକ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ଫାଶୀ ଲାଗି ପ୍ରଥମେ ଜାନୁଆରୀ ୨୨ କୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଜାନୁଆରୀ ୧୭ ରେ ଏକ କୋର୍ଟ ନିର୍ଦ୍ଦେଶରେ ଫାଶୀ ତାରିଖ ଓ ସମୟ ଫେବୃଆରୀ ୧ ତାରିଖ ସକାଲ ୬ ଟାକୁ ଘୁଞ୍ଚିଥିଲା । କିନ୍ତୁ ପରେ ପୁଣି ଟ୍ରାଏଲ କୋର୍ଟ ଜାନୁଆରୀ ୩୧ ତାରିଖର ନିର୍ଦ୍ଦେଶରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଫାଶୀ ଦଣ୍ଡକୁ ସ୍ତଗିତ ରଖିଥିଲେ । ଏବେ ନିର୍ଭୟାଙ୍କ ମାଆ ସୁପ୍ରିମ କୋର୍ଟରେ ଆବେଦନ କରିଥିବାରୁ ଗୁରୁବାର ସର୍ବୋଚ୍ଚ ଅଦାଲତ କ’ଣ ନିର୍ଦ୍ଦେଶ ଦେବେ ତାହା ଉପରେ ନଜର ।