ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଦର୍ଶନ, ରୟାଲ କଲେଜ ଅଫ୍ ନର୍ସିଂ ଇତିହାସର ସବୁଠୁ ବଡ଼ ଧାରଣା
15/12/2022 at 6:39 PM

ନୂଆଦିଲ୍ଲୀ: ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡର କାର୍ଯ୍ୟରତ ନର୍ସମାନେ ଦେଶବ୍ୟାପୀ ଧାରଣାକୁ ଓହ୍ଲାଇଛନ୍ତି । ଗୁରୁବାରଠୁ ଆରମ୍ଭ ହୋଇଛି ବ୍ରିଟେନ ରୟାଲ କଲେଜ ଅଫ୍ ନର୍ସିଂ ଇତିହାସର ସବୁଠୁ ବଡ଼ ଧାରଣା । ତେବେ ଜରୁରୀ ଏବଂ ଜୀବନ ସୁରକ୍ଷା ସେବା ପ୍ରଦାନ ଜାରି ରଖିବେ । ତେବେ ଦୈନନ୍ଦିନ ଚିକିତ୍ସା ଏବଂ ପୂର୍ବ ନିର୍ଦ୍ଧାରିତ ଚିକିତ୍ସା ବାଧାପ୍ରାପ୍ତ ହେବ । ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ ଦରମା ବୃଦ୍ଧି ଉପରେ ଆଲୋଚନା କରିବାକୁ ମନା କରିବା ପରେ କୌଣସି ବିକଳ୍ପ ନ ପାଇଁ ନର୍ସମାନେ ଦେଶବ୍ୟାପୀ ଧାରଣାକୁ ଓହ୍ଲାଇଛନ୍ତି ।
ଏହାରି ଭିରତରେ ୟୁକେ ସରକାର କହିଛନ୍ତି ଯେ ଦରମାରେ ୧୯ ପ୍ରତିଶତ ବୃଦ୍ଧି ନେଇ ଆରଏନସିର ଦାବି ଗ୍ରହଣଯୋଗ୍ୟ ନୁହେଁ । ଆରଏନସି ସାଧାରଣ ସଚିବ ପାଟ୍ କୁଲେନ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବିବାଦର ସମାଧାନ କରିବା ପାଇଁ ସରକାରଙ୍କୁ ଦାବି କରିଛନ୍ତି।
ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ ମାରିଆ କାଉଫିଲ୍ଡ(ପୂର୍ବତନ ନର୍ସ) ସ୍ୱୀକାର କରିଥିଲେ ଯେ ନର୍ସଙ୍କ ବର୍ତ୍ତମାନର ଦରମାରେ ଜୀବନ ବିତାଇବା କଷ୍ଟ । କିନ୍ତୁ ଦରମାରେ ୧୯ ପ୍ରତିଶତ ବୃଦ୍ଧି ଦାବି କରିବା ଅବାସ୍ତବ ଅଟେ ।
ବ୍ରିଟେନରେ ଆର୍ଥିକ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦେଶର ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିବା ବେଳେ ଦୈନନ୍ଦିନ ଜୀବନରେ ବ୍ୟବହାର ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଏହାରି ଭିତରେ ଉଚିତ ଦରମା ଦାବିରେ ବ୍ରିଟେନର ହଜାର ହଜାର ନର୍ସ ଧାରଣାକୁ ଓହ୍ଲାଇବେ ବୋଲି ଗତ ନଭେମ୍ୱର 25ରେ ରୟାଲ କଲେଜ ଅଫ ନର୍ସିଂ ଘୋଷଣା କରିଥିଲା। ରୟାଲ କଲେଜ ଅଫ୍ ନର୍ସିଂ କହିଥିଲା ଯେ ସାରା ଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ସ୍ୱାସ୍ଥ୍ୟ ସେବା(ଏନଏଚଏସ) ଅଧିନରେ ନିଯୁକ୍ତ ନର୍ସ ଏହି ପଦକ୍ଷେପ ଉପରେ ସହମତି ପ୍ରକାଶ କରିଛନ୍ତି । ମତାମତ ଲୋଡାଯିବା ପରେ ଧାରଣା ନିଷ୍ପତ୍ତି ନିଆଯାଇଛି ।
ରୟାଲ କଲେଜ ଅଫ୍ ନର୍ସିଂ ଅନୁସାରେ, ଗତ ୧୦ ବର୍ଷରେ ନର୍ସମାନଙ୍କ ଦରମା ୨୦ ପ୍ରତିଶତ ହ୍ରାସ ହୋଇଛି । ଯାହା ସେମାନଙ୍କ ଜୀବନ ଯାପନକୁ ପ୍ରଭାବିତ କରିଛି । ପରିବାରକୁ ଆର୍ଥିକ ରୂପେ ସହଯୋଗ କରିବାରେ ସେମାନେ ବିଫଳ ହେଉଛନ୍ତି ।