କଟକ-ଭୁବନେଶ୍ୱର NHରେ ଏବେ ଲେନ୍ ଡ୍ରାଇଭିଂ : ଘଣ୍ଟା ପ୍ରତି ସର୍ବାଧିକ ୪୦ କିମି ରହିବ ବାଇକ୍‌ର ବେଗ, ଜଗିବ କ୍ୟାମେରା, ନିୟମ ଭାଙ୍ଗିଲେ ଜରିମାନା

Published By : Prameya-News7 Bureau | November 28, 2020 IST

ଭୁବନେଶ୍ୱର,୨୮/୧୧: ଏବେ ଦୁର୍ଘଟଣା କମିବ । ଆଉ କାର୍ ଉପରେ ମାଡିଯିବନି ଟ୍ରକ୍‌ । ବାଇକକୁ ପଛରୁ ଧକ୍କା ଦେବନି ବସ୍‌। ନା ରହିବ ଦ୍ରୁତଗତି ନା ଓଭରଟେକ୍ର ଚିନ୍ତା। ସବୁ ଗାଡ଼ି ନିଜ ନିଜ ଲେନ୍‌ରେ ଚାଲିବେ। ଦୁଇ ଚକିଆ ହେଉ କି ଚାରି ଚକିଆ କିମ୍ବା ଟ୍ରକ୍‌, ବସ୍‌… ନିର୍ଦ୍ଧାରିତ ବେଗରେ ନିର୍ଦ୍ଧିଷ୍ଟ ଲେନ୍‌ରେ ଯିବାକୁ ବାଧ୍ୟହେବେ । କାରଣ ରାଜଧାନୀ ରାସ୍ତାରେ ଖୁବଶୀଘ୍ର ଆରମ୍ଭ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ।

ରାଜ୍ୟ ସରକାର ଯୋଜନା କରିଛନ୍ତି ଯେ, କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ (ଏନ୍‌ଏଚ୍‌) ଦୁର୍ଘଟଣା ହ୍ରାସ ପାଇ ଏଭଳି ଅଭିନବ ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ଆରମ୍ଭ ହେବ। କମିଶନରେଟ ପୋଲିସର ପ୍ରସ୍ତାବ କ୍ରମେ ଏପରି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏହାକୁ ପରୀକ୍ଷାମୂଳକ (ପାଇଲଟ୍‌) ଭାବେ ଟ୍ୱିନ୍‌ ସିଟି ଏନଏଚ୍‌ରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । କଟକ ସହ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୧୬ ନଂ ଏନ୍‌ଏଚ୍‌ ୬ ଲେନ୍‌ ବିଶିଷ୍ଟ ଅଟେ। ଏପାଖରେ ୩ ଲେନ୍‌ ଓ ସେପାଖରେ ୩ ଲେନ୍‌ ରହିଛି। ପ୍ରତି ୪-୫ କିମି ବ୍ୟବଧାନରେ ସାଇନବୋର୍ଡ (ଗ୍ୟାଣ୍ଟ୍ରିଜ୍‌) ରହିବ। ଏହାଦ୍ୱାରା ଗାଡ଼ି ଚାଳକମାନେ ନିଜ ନିଜର ଲେନ୍‌ ବାବଦରେ ଅବଗତ ହେବା ସହ ଗାଡ଼ିର ଗତି ବାବଦରେ ସଚେତନ ରହିବେ। ଏଭଳି ବ୍ୟବସ୍ଥା କରାଯିବ, ଯେପରି ଭାରୀଯାନଗୁଡ଼ିକ ହାଲୁକା ଯାନର ଲେନ୍‌କୁ ପ୍ରବେଶ କରିବେନି। ମାସକ ଭିତରେ ଏନ୍‌ଏଚ୍‌ଏଆଇ ଏଭଳି ସାଇନବୋର୍ଡ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରସ୍ତାବିତ ଲେନ୍‌ ଡ୍ରାଇଭିଂ ଯୋଜନା ଅନୁଯାୟୀ ଉଭୟ ପାଶ୍ୱର୍ରୁ ୩ ଲେନ୍‌କୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯିବ। କେଉଁ ଲେନ୍‌ରେ କେଉଁ ଗାଡ଼ି ଗଡ଼ିବ, ତାହା ଚିହ୍ନଟ କରି ସୂଚନା ଫଳକ ଲଗାଯିବ। ବାମ ପାଶ୍ୱର୍ ଲେନ୍‌ରେ ହାଲୁକା ଯାନ (ବାଇକ ଓ ଅଟୋ) ଚଳାଚଳ କରିବ। ଏହାର ଗତି ଘଣ୍ଟା ପ୍ରତି ୪୦ କିମି ଭିତରେ ସୀମିତ ରହିବ । ମଝି ଲେନ୍‌ରେ ଟ୍ରକ୍‌, ବସ୍‌ ଓ ମାଲବାହୀ ଗାଡ଼ି ଚଳାଚଳ କରିବ। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦-୬୦ କିମି ଭିତରେ ସୀମିତ ରହିବ। ଡାହାଣ ପାଶ୍ୱର୍ ଲେନ୍‌ରେ ୪ କାର୍‌ ଚଳାଚଳ କରିବ । ଯାହାକି ଘଣ୍ଟା ପ୍ରତି ସର୍ବାଧିକ ୮୦ କିମି ବେଗର ଚାଲିପାରିବ।

ସୂଚନାଯୋଗ୍ୟ,  ଗତ ଜୁଲାଇରେ ତତ୍କାଳୀନ ଟ୍ରାଫିକ ଡିସିପି ସାଗରିକା ନାଥ କଟକ-ଭୁବନେଶ୍ୱର ଏନ୍‌ଏଚ୍‌ ପାଇଁ ଏଭଳି ଲେନ୍‌ ଡ୍ରାଇଭିଂ ପ୍ରସ୍ତାବ ଆଣିଥିଲେ। ଓଭରଟେକିଂ, ଦ୍ରୁତ ଗତି ରୋକିବା ସହ ଦୁର୍ଘଟଣା ହ୍ରାସ ପାଇଁ ସାଗରିକା ଏହି ଯୋଜନା ଆଣିଥିଲେ। ଏହି ପ୍ରସ୍ତାବ ଗୃହ ବିଭାଗକୁ ଯାଇଥିଲା। ଗତ ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଏହାକୁ ଅନୁମୋଦନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.