ଚାରିଧାମ ଯାତ୍ରା ଆରମ୍ଭ ପୂର୍ବରୁ ପୁଣି ବଢ଼ିଲା ଚିନ୍ତା, ଯୋଶୀମଠ ପରେ ଏବେ ଉତ୍ତରକାଶୀରୁ ସାମ୍ନାକୁ ଆସିଲା ମାଟି ଧସିବା ଘଟଣା
19/03/2023 at 10:54 PM

ନୂଆଦିଲ୍ଳୀ, ୧୯/୦୩: ଚାରିଧାମ ଯାତ୍ରା ୨୦୨୩ ଆରମ୍ଭ ହେବା ପୂର୍ବରୁ ପୁଣି ଚିନ୍ତା ବଢ଼ିଛି। ଚମୋଲି ଜିଲ୍ଲାର ଜୋଶୀମଠରେ ମାଟି ଧସିବା ଘଟଣା ପରେ ଏବେ ଉତ୍ତରାଖଣ୍ଡର ଚିନ୍ୟାଲିସୌଡ଼ ଜିଲ୍ଳାରେ ଭୂମି ଧସିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ହୋଇଛନ୍ତି।
ସୂଚନାଥାଉ ଉତ୍ତରାକାଶୀରେ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମ ରହିଛି। ଯେତେବେଳେକି ଯୋଶୀମଠ, ଚମୋଲୀ ଜିଲ୍ଲାରେ ବଦ୍ରିନାଥ ଧାମ ରହିଛି। ଚାରିଧାମ ସିଜିନରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ସହ ଦେଶର ବିଭିନ୍ନ ରାଜ୍ୟରୁ ତୀର୍ଥ ଯାତ୍ରୀ ଧାମ ଦର୍ଶନ କରିବାକୁ ଉତ୍ତରାଖଣ୍ଡ ପହଞ୍ଚିଛନ୍ତି।
ସେପଟେ ଲୋକଙ୍କ କହିବା ଅନୁଯାୟୀ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ ପାଇଁ ଟିହରୀ ବନ୍ଧ ହ୍ରଦ କାରଣରୁ ଏଠାରେ ନାସନାଲ ହାଇଓ୍ବେ, ସ୍କୁଲ୍, ଆବାସିକ ସ୍ଥାନ ଏବଂ ସରକାରୀ କାର୍ଯ୍ୟାଳୟରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଅଧା ଫୁଟ୍ ପର୍ଯ୍ୟନ୍ତ ମାଟି ଧସିଯାଇଛି। ପୂର୍ବରୁ ମଧ୍ୟ ଚିନ୍ୟାଲିସୌଡ଼ରେ ଭୂମି ଧସିବା ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଏବେ ଭୂମି ଧସିବା ଅଧିକ ହେଉଛି, ଫାଟ ମଧ୍ୟ ବଢ଼ିଛି।
ସୂଚନାଥାଉ, କେଦାରନାଥ-ବଦ୍ରିନାଥ ସହ ଚାରିଧାମ ଦର୍ଶନ ପାଇଁ ରେଜିଷ୍ଟେ୍ରସନ ବଢ଼ିବାରେ ଲାଗିଛି। ବ୍ରଦିନାଥ ଧାମ ୨୭ ଏପ୍ରିଲ୍, କେଦାରନାଥ ଧାମ କବାଟ ୨୫ ଏପ୍ରିଲ୍ ଖୋଲିବ। ଗଙ୍ଗୋତ୍ରୀ ଏବଂ ଯୁବନୋତ୍ରୀ ଧାମ କବାଟ ଅକ୍ଷୟ ତୃତୀୟା ଦିନ ୨୨ ଏପ୍ରିଲରେ ଖୋଲିବ।