ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଧସିଲା ପାହାଡ, ପୋତିହୋଇ ରହିଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

Published By : Prameya-News7 Bureau | August 20, 2022 IST

ମଣ୍ଡି ୨୦।୮: ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମଣ୍ଡି ଜିଲ୍ଲାର ଗୋହର ଉପ-ଡିଭିଜନ ପଞ୍ଚାୟତ କାଶନର ଜଣ୍ଡୋନ ଗାଁରେ ବିଳମ୍ବିତ ରାତିରେ ପାହାଡ ଧସିବା ଯୋଗୁଁ ଗୋଟିଏ ପରିବାରର ୭ ଜଣଙ୍କୁ ଏକ ପାହାଡ ତଳେ ପୋତି ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । କାଶନ ପଞ୍ଚାୟତର ମୁଖ୍ୟ ଖେମ ସିଂହଙ୍କ ଘର ପଛପଟେ ଥିବା ପାହାଡରୁ ପଥର ଖସିବା ଯୋଗୁଁ ପରିବାରର ସମସ୍ତେ ପୋତି ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଖେମ ସିଂହଙ୍କ ଦୁଇ ମହଲା ଘରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଏଭଳି ଅଘଟଣ ଘଟିଛି ।ବିଳମ୍ବିତ ରାତିରୁ ମୂଷଳଧାରାରେ ଜାରି ରହିଥିବା ବର୍ଷା ଯୋଗୁଁ ପାହାଡ ଧସି ପରିବାରର ସମସ୍ତେ ପୋତି ହୋଇଯାଇଛନ୍ତି । ଏଥିଯୋଗୁଁ କାଶନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଖେମ ସିଂଙ୍କ ପରିବାରକୁ ବଞ୍ଚାଇବା ପାଇଁ ଗ୍ରାମବାସୀ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

ଏହି ଉପମଣ୍ଡଳର ଡଜନେ ସ୍ଥାନରେ ଭୂସ୍ଖଳନ ହେବା ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଯାଇଛି । ରାସ୍ତା ବନ୍ଦ ଯୋଗୁଁ ଗୋହର ପ୍ରଶାସନିକ ଅଧିକାରୀମାନେ ଫସି ରହିଛନ୍ତି । ଅନ୍ୟପଟେ ଜେସିବି ମେସିନ୍ ଦ୍ବାରା ରାସ୍ତା ଉପରୁ ପଥର ହଟାଇବାକୁ ଉଦ୍ୟମ ଚାଲିଛି । ଗୋହର ଏସଡିଏମ ରମନ ଶର୍ମା କହିଛନ୍ତି, ଉଦ୍ଧାରକାରୀ ଟିମ୍‌କୁ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟା ହେଉଛି । ଟିମ୍ ସକାଳ ୪ଟାରୁ ହିଁ ଘଟଣାସ୍ଥଳ ଅଭିମୁଖେ ବାହାରିସାରିଛି, କିନ୍ତୁ ରାସ୍ତା ବନ୍ଦ ଥିବାରୁ ଘଟଣାସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡିଛି । ପଥର ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ । ପ୍ରବଳ ବର୍ଷା ଯୋଗୁଁ ଶନିବାର ମଣ୍ଡି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.