ଲ୍ୟାଣ୍ଡିଂଠାରୁ ୧୧୩ କିଲୋମିଟର ଦୂରରେ ଲ୍ୟାଣ୍ଡର, ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ, ରବିବାର ଦ୍ୱିତୀୟ ଡିବୁଷ୍ଟିଂ
19/08/2023 at 8:41 AM

ନୂଆଦିଲ୍ଲୀ ୧୯୦୮: ଚନ୍ଦ୍ରଠାରୁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଏବେ ମାତ୍ର ୧୧୩ କି.ମି. ଦୂରରେ ଘୁରି ବୁଲୁଛି । ଅର୍ଥାତ ଲ୍ୟାଣ୍ଡର ବର୍ତ୍ତମାନ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ କି.ମି. ଓ ସର୍ବାଧିକ ୧୫୭ କି.ମି. ଦୂରରେ ପ୍ରଦକ୍ଷିଣ କରୁଛି । ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଏହାର ଡିବୁଷ୍ଟିଂ କରାଯାଇଛି । ଅର୍ଥାତ କକ୍ଷପଥକୁ ବଦଳାଯିବା ସହ ଦୂରତା କମ୍ କରାଯାଇଛି ଓ ବେଗ ମଧ୍ୟ ହ୍ରାସ କରାଯାଇଛି । ଏଥିପାଇଁ ଲ୍ୟାଣ୍ଡରରେ ଥିବା ଥ୍ରଷ୍ଟରକୁ କିଛି ସମୟ ଚାଲୁ କରାଯାଇଥିଲା ।
ଆସନ୍ତା ୨୦ ତାରିଖ ବିଳମ୍ବିତ ରାତି ୨ଟାରେ ଲ୍ୟାଣ୍ଡରରେ ଆଉ ଏକ ଡିବୁଷ୍ଟିଂ କରାଯିବ । ଯାହାଫଳରେ ଲ୍ୟାଣ୍ଡରକୁ ଚନ୍ଦ୍ରଠାରୁ ସର୍ବନିମ୍ନ ୨୪-୩୦ କି.ମି. ଓ ସର୍ବାଧିକ ୧୦୦ କି.ମି. ଦୂରତାକୁ ଅଣାଯିବ । ଏହି ପର୍ଯ୍ୟାୟ ହେବ ଇସ୍ରୋ ପାଇଁ ସବୁଠାରୁ କଠିନ ସମୟ । କାରଣ ଲ୍ୟାଣ୍ଡରର ଗତିକୁ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ବାଛିବା, ଠିକ୍ ଗତିରେ ଲ୍ୟାଣ୍ଡିଂ କରାଇବା ଆଦି କଠିନ ଓ ଜଟିଳ ପ୍ରକ୍ରିୟା । ଏସବୁ ପ୍ରକ୍ରିୟା ଠିକ୍ ରହିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ନ ୫ଟା ୪୭ ମିନିଟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରଠାରୁ ସବୁଠାରୁ କମ୍ ଦୂରତା ଅର୍ଥାତ ୨୪-୩୦ କି.ମି. ଦୂରରେ ରହିଥିବ ସେତେବେଳେ ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବା ପ୍ରକ୍ରିୟା ଆରମ୍ଭ ହେବ ।
Chandrayaan-3 Mission:
— ISRO (@isro) August 18, 2023
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUS
ସେହି ସମୟରେ ଲ୍ୟାଣ୍ଡରର ଗତି ପ୍ରତି ସେକେଣ୍ଡରେ ୧୬୮୦ ମିଟର ଥିବ । କିନ୍ତୁ ତାକୁ ପ୍ରତି ସେକେଣ୍ଡରେ ୨ ମିଟର ଗତିକୁ କମ କରିବାକୁ ପଡିବ । ସେଥିପାଇଁ ଲ୍ୟାଣ୍ଡରର ଚାରି ଗୋଡରେ ଲାଗିଥିବା ୮୦୦ ୟୁନିଟ ଶକ୍ତି ସମ୍ପନ୍ନ ୧-୧ ଥ୍ରଷ୍ଟରକୁ ଫାୟାର କରିବାକୁ ପଡିବ । ୨ଟି ଲେଖାଏ ଥ୍ରଷ୍ଟର ଦୁଇଟି ପର୍ଯ୍ୟାୟରେ କାମ କରିବ । ଲ୍ୟାଣ୍ଡର ଓ ତା ଭିତରେ ଥିବା ରୋଭର (ପ୍ରଜ୍ଞାନ) ଯେଭଳି ଶକ୍ତି ଉତ୍ପାଦନ କରିପାରିବେ ସେଥିଲାଗି ସେମାନଙ୍କ ଠାରେ ସୋଲାର ପ୍ୟାନେଲ ଲଗାଯାଇଛି । ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଛି । ଆସନ୍ତା ୨୩ ତାରିଖରେ ସୂର୍ଯ୍ୟୋଦୟ ହେବ ।
ଗୁରୁବାର ଚନ୍ଦ୍ରଯାନ-୩ର ପ୍ରପଲସନ ମଡ୍ୟୁଲରୁ ଲ୍ୟାଣ୍ଡର ପୃଥକ ହୋଇଥିଲା । ପୃଥକ ହେବା ପରେ ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ସହାୟତାରେ ଶୁକ୍ରବାର ପ୍ରଥମ କରି ପ୍ରପଲସନ ମଡ୍ୟୁଲ ସହିତ ଚନ୍ଦ୍ରଯାନର ଫଟୋ ମଧ୍ୟ ଉଠାଯାଇଛି । ଇସ୍ରୋ ପକ୍ଷରୁ ଏହି ଫଟୋ ସୋସିଆଲ ମିଡିଆ ଟୁଇଟରରେ ସେୟାର କରାଯାଇଛି ।
ସୂଚନାଯୋଗ୍ୟ ଯେ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ମହାକାଶକୁ ଛଡାଯାଇଥିଲା । ୨୨ ଦିନର ଯାତ୍ରା ପରେ ଏହା ଚନ୍ଦ୍ରର କକ୍ଷପଥରେ ଅଗଷ୍ଟ ୫ ତାରିଖରେ ପ୍ରବେଶ କରିଥିଲା । ଏହା ପରେ ୪ଥର ଏହାର କକ୍ଷପଥ ବଦଳାଯାଇଛି । ଶେଷ ଥର ଅଗଷ୍ଟ ୧୬ରେ ଏହାର କକ୍ଷପଥ ପରିବର୍ତ୍ତନ କରାଯାଇଥିଲା । ଏଥିପାଇଁ ଚନ୍ଦ୍ରଯାନ-୩ରେ ଥିବା ଥ୍ରଷ୍ଟରକୁ କିଛି ସମୟ ଚାଲୁ କରାଯାଇଥିଲା । ଯାହାଫଳରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ସବୁଠାରୁ କମ୍ ୧୫୩ କି.ମି. ଓ ସର୍ବାଧିକ ୧୬୩ କି.ମି. ଦୂର କକ୍ଷପଥକୁ ଆସିଥିଲା ।