ବୀରମହାରାଜପୁର ତହସିଲ ଅଫିସ ଦୁର୍ନୀତିର ଫିଟୁଛି ଗୁମର

Published By : Prameya-News7 Bureau | June 23, 2019 IST

ସୁବର୍ଣ୍ଣପୁର ୨୩/୬: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଫିସରେ ଚାଲିଥିବା ଦୁର୍ନୀତିର ଗୁମର ଫିଟୁଛି । ରେକର୍ଡ ଜାଲିଆତି କରି ଜମି ବିକ୍ରି କରା ଯାଇଥିବା ରାଜସ୍ବ ବିଭାଗ ନଥି ପ୍ରମାଣିତ କରୁଛି। ହେଲେ ରେକର୍ଡ ଜାଲିଆତି କରିଥିବା ସରକାରୀ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଏଣେ ଜମି ହରାଇଥିବା ଓ ଜମିକୁ ଦଖଲ କରି ପାରୁ ନଥିବା ବ୍ୟକ୍ତି ତହସିଲ ଅଫିସରେ ଚକ୍କର କାଟୁଛନ୍ତି ।
ସୁବର୍ଣ୍ଣପୁର ବୀରମହାରାଜପୁର ମଧୂପୁରର ରବିନ୍ଦ୍ର ମହାରଣା, ଜୀବନର ପୁଞ୍ଜି ଲଗାଇ ଜମି କିଣିଥିଲେ, ହେଲେ ଏବେ ଫସିଛନ୍ତି। ବାସନ୍ତୀ ଦାସଙ୍କଠାରୁ ଜମି କିଣିଥିଲେ, କିନ୍ତୁ ଦଖଲକୁ ନେବା ଆଗରୁ ଜାଣିବାକୁ ପାଇଥିଲେ ତାହା ସୌଦାମିନୀଙ୍କ ନାଁରେ ରହିଛି ।ଅସଲରେ ନାଁକୁ ଟାମ୍ପରିଙ୍ଗ କରି ଜମିକୁ ବାରମ୍ବାର ବିକ୍ରି କରାଯାଇଛି ।
ବୀରମହାରାଜପୁର ତହସିଲ ଅଫିସରେ ଦୁର୍ନୀତିର ତାଲିକା ଲମ୍ବା । ଏଥିରେ କେମିତି ତହସିଲ ଅଧିକାରୀଙ୍କ ହାତ ରହିଛି ତାହା ସ୍ପଷ୍ଟ ହେବାରେ ଲିଗିଛି । ଉଦାହରଣ ଭାବରେ, ଟିଠିପାଲି ମୌଜାର ଭାଗିରଥୀ ପ୍ରଧାନ ଜାଲ କାଗଜ ପତ୍ର କରି ଅନ୍ୟ ଜଣଙ୍କ ଜମିକୁ ନିଜ ନାଁରେ ପଟ୍ଟା କରି ନେଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ, ଏହି ପଟ୍ଟାରେ ୨୦୧୦ମସିହାରେ ଦସ୍ତଖତ ଦେଇଛନ୍ତି ତତକାଳୀନ ତହସିଲଦାର, ହେଲେ ଏହା ସରକାରୀ ପ୍ରେସରେ ୨୦୧୨ ମସିହାରେ ଛପା ହୋଇଛି । ପ୍ରଶ୍ନ ଉଠୁଛି ସରକାରୀ ଖତିୟାନ ପ୍ରିଣ୍ଟ ହେବା ପୂର୍ବରୁ ତହସିଲଦାର ସ୍ବାକ୍ଷର କଲେ କିଭଳି । ଘଟଣା ସାମ୍ନାକୁ ଆସିବା ପରେ ନିଜ ଜମି ଫେରି ପାଇବାକୁ ଆବେଦନ କରିଛନ୍ତି ଜମି ହରାଇଥିବା କୃଷ୍ଣଚନ୍ଦ୍ର ପ୍ରଧାନ ।
ଜମି ମାଲିକଙ୍କ ଅଜାଣତରେ ଅନ୍ୟ ନାଁରେ ରାତା ରାତି ରେକର୍ଡ ହୋଇଯାଉଛି । ଶହ ଶହ ଜମି ଜାଲିଆତି ନଜରକୁ ଆସିଛି । ଏଯାଏଁ ବୀରମହାରାଜପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୀରମହାରାଜପୁର ଏସଡିପିଓ କହିଛନ୍ତି ।
ବୀରମହାରାଜପୁର ତହସିଲରେ ୨୯୦ଟି ଜମିର ମାଲିକ ନିଜ ଜମି ହରେଇଥିବା ଜଣା ପଡିଛି । ହେଲେ ଜମି ଦୁର୍ନୀତିରେ ସଂପୃକ୍ତ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଖାଲି ରୟତି କିସମ ନୁହେଁ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ମୂଲ୍ୟବାନ ସରକାରୀ ଓ ଜଙ୍ଗଲ ଜମି ବି ଜାଲିଆତି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.