ଜମିଜମା ବିବାଦରୁ ଲଙ୍କାକାଣ୍ଡ; ଗୁଳିକାଣ୍ଡରେ ଯୁବକଙ୍କ ସହ ୫ ଆହତ, ମାରଣାସ୍ତ୍ର ଜବତ
15/01/2023 at 7:59 PM

ବଲାଙ୍ଗୀର ୧୫/୦୧: ଜମିଜମା ବିବାଦରୁ ଗର୍ଜିଲା ବନ୍ଧୁକ। ଏଥିରେ ଜଣେ ଯୁବକ ଆହତ ହୋଇ ଭିମଭୋଇ ମେଡ଼ିକାଲ୍ କଲେଜ୍ରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ କାନ୍ଧରେ ଗୁଳି ବାଜିଥିବା ଜଣା ପଡ଼ିଛି। ଏପରି ଏକ ଗୁଳିକାଣ୍ଡ ବଲାଙ୍ଗୀର ଜିଲ୍ଲା ଉପକଣ୍ଠରେ ଥିବା ସରଦେଇପାଲିରେ ଘଟିଛି। ଏହି ଅଘଟଣ ପରେ ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇଯାଇଛନ୍ତି। ଜମି ମାପଚୁପ ବେଳେ ଏପରି କାଣ୍ଡ ହୋଇଥିବା ବେଳେ ମାରପିଟ୍ରେ ୪ ଜଣ ଆହତ ହୋଇ ଭିମଭୋଇ ମେଡ଼ିକାଲ୍ କଲେଜରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ତହସିଲ୍ଦାର୍ ଓ ପୋଲିସ୍ ଏହି ଅପରାଧିକ ଘଟଣାରେ ତନାଘନା ଆରମ୍ଭ କରିଛି।
ଖବର ଅନୁସାରେ, ରବିବାର ଲମ୍ବୋଦର ସାଏ ନାମକ ବ୍ୟକ୍ତି ଘର କାମ କରୁଥିଲେ। ଏହି ସମୟରେ ଏକାଧିକ ଯୁବକ ସେଠାରେ ପହଞ୍ଚି ଲମ୍ବୋଦରଙ୍କ ସ୍ତ୍ରୀ ମୀନାଙ୍କୁ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ ବୋଲି ଲମ୍ବୋଦରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦିଲୀପ ପଟ୍ଟନାୟକ, ସନ୍ତୋଷ ସାହୁ ଓ ସାଇସୁଦ୍ଧା ପ୍ରଧାନ ଜମି ମାପଚୁପ କରିବାକୁ ଯାଇଥିଲେ। ସେତିକି ବେଳେ ଲମ୍ବୋଦରଙ୍କ ପରିବାର ଦିଲ୍ଲୀପ ଓ ତାଙ୍କ ସାଙ୍ଗମାନଙ୍କୁ ଆକ୍ରମଣ କରିବା ସହ ଗୁଳି କରିଥିଲେ। ଫଳରେ ଦିଲିପ କାନ୍ଧରେ ଗୁଳି ବାଜିଥିବା କହୁଛନ୍ତି ତାଙ୍କ ସାଙ୍ଗ ଅଭିଯୋଗ କରଛନ୍ତି।
କିନ୍ତୁ ଯେଉଁ ଜମିର ମାପଚୁପ ଦିଲ୍ଲୀପ କରିବାକୁ ଯାଇଥିଲେ ତାହା ସାର୍ତ୍ତିକ ସାଏଙ୍କ ନାଁରେ ରହିଥିବା ଜଣାପଡ଼ିଛି। ସାର୍ତ୍ତିକଙ୍କ ପୈତୃକ ଜମିକୁ ନକଲି କାଗଜପତ୍ର କରି ବିକ୍ରି କରାଯାଇଛି ବୋଲି ଲମ୍ବୋଦରଙ୍କ ପରିବାର ଲୋକ କହିଛନ୍ତି। ଏପଟେ ଦିଲ୍ଲୀପଙ୍କ ପାଖରେ ମଧ୍ୟ ସେହି ଜମିର କାଗଜପତ୍ର ଥିବା ଜଣାପଡ଼ିଛି। ତେବେ ଗୋଟିଏ ଜମିରେ ଦୁଇଜଣ ମାଲିକ କିଭଳି ହେଲେ ତାକୁ ନେଇ ଏଭଳି କାଣ୍ଡ ଘଟିଛି। ଏନେଇ ସଦର ଥାନା ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ତହସିଲଦାରଙ୍କୁ ନେଇ ଏବେ ଜମିର ମାଇନା ଆରମ୍ଭ ହୋଇଛି। ସେପଟେ ଉଭୟ ପକ୍ଷରୁ ୭ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା କରିବା ସହ ଗୋଟିଏ ଭୁଜାଲି ଓ ଷ୍ଟିଲ ପାଇପ ଜବତ କରିଛି।