ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ, ଅପରେସନ ଥିଏଟରରୁ ICUକୁ ହେଲେ ସ୍ଥାନାନ୍ତର
5/12/2022 at 6:47 PM

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି। ସିଙ୍ଗାପୁରର ଏକ ହସ୍ପିଟାଲ୍ରେ ସୋମବାର ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଥିବା ଟ୍ଵିଟ୍ କରି ସୂଚନା ଦେଇଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ। ଏହା ପରେ ଅପରେସନ ଥିଏଟରରୁ ଲାଲୁଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।
ତେଜସ୍ଵୀ ଯାଦବ ଟ୍ଵିଟ୍ କରି କହିଛନ୍ତି, ବାପାଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି। ଏହା ପରେ ତାଙ୍କୁ ଅପରେସନ ଥିଏଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଡୋନର ବଡ ଭଉଣୀ ରୋହିତ ଆଚାର୍ଯ୍ୟ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀ ଉଭୟ ସୁସ୍ଥ ଅଛନ୍ତି। ଆପଣଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ସାଧୁବାଦ।
पापा का किडनी ट्रांसप्लांट ऑपरेशन सफलतापूर्वक होने के बाद उन्हें ऑपरेशन थियेटर से आईसीयू में शिफ्ट किया गया।
— Tejashwi Yadav (@yadavtejashwi) December 5, 2022
डोनर बड़ी बहन रोहिणी आचार्य और राष्ट्रीय अध्यक्ष जी दोनों स्वस्थ है। आपकी प्रार्थनाओं और दुआओं के लिए साधुवाद। 🙏🙏 pic.twitter.com/JR4f3XRCn2
ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବାପା ଲାଲୁଙ୍କୁ କିଡନୀ ଦାନ କରିଛନ୍ତି। ରୋହିଣୀ ନିଜ ସ୍ଵାମୀ ଏବଂ ପରିବାର ସହିତ ସିଙ୍ଗାପୁରରେ ରହୁଛନ୍ତି। ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ ପ୍ରକ୍ରିୟା ଦୁଇ ଦିନ ପୂର୍ବେ ଆରମ୍ଭ ହୋଇ ଯାଇଥିଲା। ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ପରାମର୍ଶକ୍ରମେ ଲାଲୁଙ୍କୁ ସିଙ୍ଗାପୁର ଅଣାଯାଇଥିଲା। ସେଠାକାର ଡାକ୍ତର କିଡନୀ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ପ୍ରଥମେ ରୋହିଣୀଙ୍କ ଅସ୍ତ୍ରୋପଚାର କରାଯାଇ କିଡନୀ କଢାଯାଇଥିଲା। ତା ପରେ ଲାଲୁଙ୍କ ଶରୀରରେ କିଡନୀ ପ୍ରତିରୋପଣ ସଫଳ ହୋଇଛି। କିଡନୀ ସହିତ ବହୁବିଧ ରୋଗରେ ପୀଡିତ।
ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ, ସାଂସଦ ମୀସା ଭାରତୀ, ଆରଜେଡି ନେତା ଭୋଲା ଯାଦବ ସମେତ ଲାଲୁଙ୍କ ଅନ୍ୟ ଶୁଭ ଚିନ୍ତକ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି। ଲାଲୁଙ୍କ ସଫଳ କିଡନୀ ପ୍ରତିରୋପଣ ପାଇଁ ଆରଜେଡି ନେତା ଏବଂ କର୍ମକର୍ତ୍ତା ହୋମ ପୂଜା କରିଛନ୍ତି। ରବିବାର ପାଟନାର ଦାନାପୁର ସ୍ଥିତ ମୈନପୁରା କାଳି ମନ୍ଦିରରେ ଲାଲୁ ଯାଦବଙ୍କ ସୁସ୍ଥ କାମନା କରି ପୂଜାର୍ଚ୍ଚନା ସହିତ ଅଭିଷେକ କରାଯାଇଛି। ସୋମବାର ତାଙ୍କ ଅପରେସନ ଦିନ ରାଜ୍ୟର ବିଭିନ୍ନ ମନ୍ଦିରରେ ହୋମ-ପୂଜାର ଆୟୋଜନ କରାଯାଇଛି।