ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲା; ଲାଲୁ ଯାଦବଙ୍କ ସହ ପତ୍ନୀ ରାବଡି ଓ ଝିଅ ମିଶାଙ୍କୁ ମିଳିଲା ଜାମିନ୍
15/03/2023 at 4:34 PM

ପାଟନା: ନିଯୁକ୍ତି ବଦଳରେ ଜମି(ଲ୍ୟାଣ୍ଡ ଫର ଜବ୍ ସ୍କାମ) ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡ଼ି ଦେବୀ ଓ ଝିଅ ମିଶା ଭାରତୀଙ୍କୁ ଜାମିନ ଦେଲେ କୋର୍ଟ। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବୁଧବାର ଦିଲ୍ଲୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ମାମଲାର ତଦନ୍ତ କରୁଥିବା ସିବିଆଇ ବିନା ଗିରଫରେ ଚାର୍ଜଶିଟ୍ ଦାଖଲ କରିଛି। ଏହାକୁ ଗୁରୁତ୍ୱ ଦେଇ କୋର୍ଟ ୫୦ ହଜାର ବ୍ୟକ୍ତିଗତ ବେଲ୍ ବଣ୍ଡ ସହ ୫୦ ହଜାର ସିକ୍ୟୁରିଟି ଟଙ୍କା ଦାଖଲ ସର୍ତ୍ତରେ ଅଭିଯୁକ୍ତମାନଙ୍କୁ ବେଲ୍ ଦିଆଯାଇଛି।
ବୁଧବାର ସକାଳେ ମାମଲାରେ ଲାଲୁ, ପତ୍ନୀ ରାବଡ଼ୀ ଦେବୀ ଓ ଝିଅ ମିଶା ଭାରତୀ ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ। ହ୍ୱିଲ୍ ଚେୟାର୍ରେ କୋର୍ଟକୁ ଆସିଥିଲେ ଲାଲୁ। ଏହାପରେ ତାଙ୍କ ପରିବାରକୁ ବେଲ୍ ଦେଇଛନ୍ତି କୋର୍ଟ।
ସୂଚନା ଅନୁସାରେ ଲାଲୁ ଯ।ଦବଙ୍କୁ ତାଙ୍କ ଡାକ୍ତର କୋର୍ଟରେ ହାଜର ହେବାକୁ ମନା କରିଛନ୍ତି। ଭିଡିଓ କନଫରେନ୍ସିଂ ଯୋଗେ ହାଜର ହେବାକୁ ସେ ପରାମର୍ଶ ଦେଇଛନ୍ତି।
ନିଯୁକ୍ତି ବଦଳରେ ଜମି ମାମଲାରେ ଗତ ସପ୍ତାହରେ ଲାଲୁଙ୍କୁ ଦୁଇ ଘଣ୍ଟା ଜେରା କରିଥିଲା। ଦିନକ ପୂର୍ବରୁ ପାଟନା ସ୍ଥିତ ତାଙ୍କ ବାସଭବନରେ ପତ୍ନୀ ରାବଡ଼ି ଦେବୀଙ୍କର ଷ୍ଟେଟମେଣ୍ଟକୁ ରେକର୍ଡ କରାଯାଇଥିଲା।
ସୂଚନା ଥାଉକି, ଏହି ମାମଲାରେ ଫେବ୍ରୁଆରୀ ୨୭ ତାରିଖରେ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳୀ ଗୟୋଲ ଲାଲୁ ଓ ପରିବାର ସମନ କରିଥିଲେ। ମାର୍ଚ୍ଚ ୧୫ ତରିଖରେ ସମସ୍ତଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ଏଥିପାଇଁ ଆଜି ସକାଳେ ଲାଲୁଙ୍କ ପରିବାର ଦିଲ୍ଲୀର ରାଉସ୍ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ।