ଐଶ୍ବର୍ଯ୍ୟାଙ୍କ ସହ ବିବାହ ବିଚ୍ଛେଦ ନେଇ ମୁହଁ ଖୋଲିଲେ ତେଜ ପ୍ରତାପ ଯାଦବ; ଚିନ୍ତାରେ ଖାଇଲେ ନାହିଁ ଲାଲୁ

Published By : Prameya-News7 Bureau | November 04, 2018 IST

ପାଟଣା ୪/୧୧ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ବାହାଘର ବର୍ଷେ ନପୂରୁଣୁ ତାଙ୍କ ପତ୍ନୀ ଐଶ୍ଵର୍ଯ୍ୟାଠୁ ବିବାହ ବିଚ୍ଛେଦ  ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି | ଏହି ମାମଲାରେ ତେଜ ପ୍ରତାପ ଏବେ ମୁହଁ ଖୋଲିଛନ୍ତି |  ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଐଶ୍ଵର୍ଯ୍ୟଙ୍କ ସହ ତାଙ୍କ ବାହାଘର ରାଜନୈତିକ ଫାଇଦା ପାଇଁ ହୋଇଥିଲା | ଏ ବିବାହରେ ସେ ଜମା ବି ଖୁସି ନଥିଲେ | ବିବାହ ପରଠୁ ସ୍ତ୍ରୀର ବ୍ୟବହାର ତାଙ୍କ ପ୍ରତି ଭଲ ନୁହଁ ବୋଲି ମଧ୍ୟ ସେ କହିଛନ୍ତି | ସ୍ତ୍ରୀ ସାଉଥପୋଲ ବା ଦକ୍ଷିଣ ଗୋଲାର୍ଦ୍ଧ ହେଲେ ସେ ନର୍ଥ ପୋଲ ବା ଉତ୍ତର ଗୋଲାର୍ଦ୍ଧ | ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ | ଏପରିକି ଘରଲୋକଙ୍କ ସାମ୍ନାରେ ମଧ୍ୟ କେତେଥର ଝଗଡା ହୋଇଥିବା ସେ କହିଛନ୍ତି | କିନ୍ତୁ ଘରଲୋକ କେହି ବି କିଛି କୁହାନ୍ତିନାହିଁ | ସେଥିପାଇଁ ଛାଡପତ୍ର ଦେବା ନିଷ୍ପତ୍ତିରୁ ସେ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି| ସୂଚନାଯୋଗ୍ୟ ଯେ, ଗତକାଲି ରାଞ୍ଚି ଜେଲର ପେଇଙ୍ଗ ୱାର୍ଡରେ ଅପରାହ୍ନ ୨.୫୦ରେ ତେଜ ପ୍ରତାପ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ଦେଖା କରିଥିଲେ | ବନ୍ଦ କୋଠରୀ ଭିତରେ ବାପା ପୁଅ ଦୀର୍ଘ ୨ଘଣ୍ଟା ୪୫ ମିନିଟ କଥାବାର୍ତ୍ତା ହୋଇଥିଲେ | ତଥାପି କୌଣସି ସୁଫଳ ମିଳିନଥିଲା | ସନ୍ଧ୍ୟା ୫ଟା ୩୫ ମିନିଟରେ ତେଜ ପ୍ରତାପ ଲାଲୁଙ୍କ ସଂଗେ କଥାବାର୍ତ୍ତା କରି ବାହାରକୁ ଆସିଥିଲେ | ବାହାରକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ସେ ନେଇଥିବା ନିର୍ଣ୍ଣୟ ବଦଳାଇବେ ନାହିଁ | ଏହି ମାମଲାରେ ଲାଲୁ ଘରକୁ ଯାଇ ପରିବାର ସଦସ୍ୟଙ୍କ କଥାବାର୍ତ୍ତା କରି ଯାହା ନିର୍ଣ୍ଣୟ ନେବେ ବୋଲି କହିଥିବା ପୁଅ ତେଜ ପ୍ରତାପ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି | ଗଣମାଧ୍ୟମ ପ୍ରତିନିଧି ତେଜ ପ୍ରତାପଙ୍କୁ ପଚାରିଥିଲେ ଯେ ତାଙ୍କର ବୈବାହିକ ଜୀବନରେ ଅଶାନ୍ତିର କାରଣ କଣ | ଏହାର ଜବାବରେ ସେ କହିଥିଲେ ଯେ, ଏବେ ଏସବୁ କହିବା ଦରକାର ବୋଲି ସେ ଭାବୁନାହାନ୍ତି | ନଭେମ୍ବର ୨୯ ତାରିଖ ଦିନ କୋର୍ଟ ଆଗରେ ସେ ସମସ୍ତ କଥା କହିବେ | ପୁଅଠାରୁ ସମସ୍ତ ଘଟଣା ଶୁଣିବାପରେ  ଲାଲୁ ପ୍ରସାଦଙ୍କ ଚିନ୍ତା ଆହୁରି ବଢିଯାଇଛି | ସେ ସକାଳୁ ପୁଅ ଆସିବାକୁ ନେଇ ଅପେକ୍ଷା କରିବସିଥିଲେ | ସେ ସକାଳୁ ୪ଟି ଅଣ୍ଡା ଓ ଦୁଇଟି ଆପଲ ଖାଇଥିଲେ | ଖାଇବା ପରେ ପୁଅର ଆସିବା ବାଟକୁ ଲାଲୁ ଚାହିଁ ବସିଥିଲେ | କିନ୍ତୁ ତେଜ ପ୍ରତାପ ଆସିବାରେ ବିଳମ୍ବ କରିଥିଲେ | ପୁଅକୁ ଜଗି ଜଗି ଲାଲୁ ଦ୍ବିପ୍ରହର ଭୋଜନ କରିପାରିନଥିଲେ | ତେବେ ପୁଅ ଯାଉ ଯାଉ ସନ୍ଧ୍ୟା ହୋଇଯାଇଥିଲା | ସେଥିପାଇଁ ସେ ଆଉ ଖାଇପାରିଲେନାହିଁ | ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଟିକେ ଭଲ ଅଛି | କିଛି ଦିନ ପୂର୍ବରୁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଜେଲକୁ ଆସିଥିଲେ | ଜେଲରେ ତାଙ୍କୁ ପ୍ରତିଦିନ ଇନସୁଲିନ ଦିଆଯାଏ | ତେବେ ଭୋକରେ ଥିବା ଯୋଗୁଁ ଗତକାଲି ସେ ଇନସୁଲିନ ନେଇନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.