ଗୋଖାଦ୍ୟ ଦୁର୍ନୀତି : ଚାଇବାସା କୋଷାଗାର ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ, କିନ୍ତୁ ବାହାରି ପାରିବେନି ଜେଲ୍‌ରୁ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୯।୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାଇବାସା କୋଷାଗାର ମାମଲାରେ ତାଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଦୁମକା କୋଷାଗାର ମାମଲାର ଶୁଣାଣି ଶେଷ ହୋଇନଥିବାରୁ ଲାଲୁ ଏବେ ଜେଲରୁ ବାହାରିବେ ନାହିଁ। ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି ।

ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଚାଇବାସା କୋଷାଗାର ମାମଲାରେ ଲାଲୁ ପ୍ରସାଦଙ୍କୁ ରାଞ୍ଚି ସିବିଆଇ କୋର୍ଟ ୫ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଲାଲୁ ତାଙ୍କ ଜାମିନ ଆବେଦନରେ କହିଥିଲେ, ସେ ଏହି ମାମଲାରେ ଅଧା ଦଣ୍ଡ ଭୋଗିସାରିଛନ୍ତି । ତେଣୁ ଏହି ଆଧାରରେ ତାଙ୍କୁ ଜାମିନ ମିଳିବା ଉଚିତ୍ ।

କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବଙ୍କୁ ୫୦ ହଜାର ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ସହ ୨ ଲକ୍ଷ ଟଙ୍କାର ଜରିମନା ଦେବାକୁ ପଡିବ । କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ମେଡିକାଲ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କହିଛନ୍ତି । ଏହାସହ କେତେ ଲୋକ ତାଙ୍କୁ ଭେଟିଛନ୍ତି ତାହାର ରିପୋର୍ଟ ମଧ୍ୟ ତାଙ୍କୁ ମଗାଯାଇଛି । ରିପୋର୍ଟ ଉପରେ ୬ ନଭେମ୍ବରରେ ଶୁଣାଣି ହେବ ।

ଗତ ଶୁଣାଣିରେ ସିବିଆଇ କହିଥିଲା ଯେ ଅଧା ଦଣ୍ଡ ପୂରଣ ହେବାକୁ ଆଉ ୨୬ଦିନ ବାକି ଅଛି । ଯାହା ପରେ ଅକ୍ଟୋବର ୯ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରାଯାଇ ଲାଲୁ ଯାଦବଙ୍କୁ ଚାଇବାସା ମାମଲାରେ ଜାମିନ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.