ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ଲାଲଚନ୍ଦ ରାଜପୁତଙ୍କୁ ୟୁଏଇ କ୍ରିକେଟ୍ ଦଳରେ ବଡ଼ ଦାୟିତ୍ଵ ମିଳିଛି। ତାଙ୍କୁ ତିନି ବର୍ଷ ପାଇଁ ୟୁଏଇ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ(ହେଡ୍ କୋଚ୍) ପଦରେ ନିଯୁକ୍ତ କରାଯାଇଛି। ବୋର୍ଡ ବୁଧବାର ଏହାର ଘୋଷଣା କରିଛି। ରାଜପୁତ ଭାରତକୁ ୨୦୦୭ ଟି-୨୦ ବିଶ୍ଵକପ୍ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହି ସମୟରେ ସେ ଭାରତୀୟ ଦଳର କୋଚ୍ ସହ ଟିମ୍ ମ୍ୟାନେଜର ଥିଲେ। ୬୨ ବର୍ଷୀୟ ରାଜପୁତ ୧୯୮୫ରେ ମୋଟ୍ ୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୨ଟି ଟେଷ୍ଟ ଓ ୪ ଦିନିକିଆ ସାମିଲ୍।
wp:heading {"level":4}Also read- ଜୀବନ ହାରିଲେ ଫେମସ ମଡେଲ୍, ତଦନ୍ତ ପରିସରକୁ ଆସିଲେ ଏହି କ୍ରିକେଟର
/wp:headingରାଜପୁତ ଆଫଗାନିସ୍ତାନ ଓ ଜିମ୍ବାଓ୍ଵେ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରି ସାରିଛନ୍ତି। ସେ ଆଫଗାନିସ୍ତାନକୁ ଟେଷ୍ଟ ଦଳର ମାନ୍ୟତା ମିଳିବା ପରେ ୨୦୧୬-୧୭ରେ କୋଚିଂ ଦାୟିତ୍ଵ ସମ୍ଭାଳିଥିଲେ। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଜିମ୍ବାଓ୍ଵେ ଦଳ ସହ କାମ କରିଥିଲେ। ତାଙ୍କ କୋଚିଂ କାଳରେ ଜିମ୍ବାଓ୍ଵେ ୨୦୨୨ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ରାଜପୁତ ଚଳିତ ସପ୍ତାହରୁ ୟୁଏଇ ଦଳରେ ଯୋଗ ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ୟୁଏଇ ଦଳର ମୁଖ୍ୟ କୋଚ୍ ହେବା ପରେ ଲାଲଚନ୍ଦ ରାଜପୁତ କହିଛନ୍ତି, ମୁଁ ଏହି ରୋମାଞ୍ଚକର ଭୁମିକା ପାଇଁ ୟୁଏଇ ବୋର୍ଡକୁ ଧନ୍ୟବାଦ ଜଣାଉଛି। ୟୁଏଇ ନିକଟ ଅତୀତରେ ଆଇସିସିର ଏକ ଦୃଢ ସହାୟକ ସଦସ୍ୟ ଭାବେ ନିଜକୁ ଗଢି ପାରିଛି। ଖେଳାଳିମାନେ ଦିନିକିଆ ଓ ଟି-୨୦ ବିଶ୍ଵକପ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଦଳରେ ଅନେକ ଅସାଧାରଣ ଖେଳାଳି ରହିଛନ୍ତି। ମୁଁ ସେମାନଙ୍କ ସହ କାମ କରି ସେମାନଙ୍କର ପ୍ରତିଭାକୁ ଆହୁରି ବିକଶିତ କରିବାକୁ ଉତ୍ସୁକ ଥିବା ରାଜପୁତ କହିଛନ୍ତି।