ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁଙ୍କ ପରେ ପୁରୁଷ ଏକକ ବ୍ୟାଡମିଣ୍ଟନରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ। ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦାର୍ପଣକରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ସେନ। ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ମାଲେସିଆର ପ୍ରତିପକ୍ଷ ଏନଜି ଜେ ୟୋଙ୍ଗଙ୍କୁ ୧୯-୨୧, ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି। ଭାରତର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ୨୦ତମ ସ୍ଵର୍ଣ୍ଣ ପଦକ। ଏଥିସହ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି। ସୋମବାର ଏହା ଭାରତର ଦ୍ଵିତୀୟ ସ୍ଵର୍ଣ୍ଣ ପଦକ। ରାଜ୍ୟଗୋଷ୍ଠୀ କ୍ରୀଡାର ଆଜିର ଶେଷ ଦିନରେ ଭାରତର ନଜର ପୁରୁଷ ହକି ଦଳ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଲଙ୍କ ଉପରେ ରହିଛି। ଉଭୟଙ୍କଠୁ ଭାରତ ସ୍ଵର୍ଣ୍ଣ ପଦକ ଆଶା ରଖିଛ।
ରୋମାଞ୍ଚକର ପ୍ରଥମ ଗେମରେ ୧୯-୨୧ରେ ହାରିବା ପରେ ଲକ୍ଷ୍ୟ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ଵିତୀୟ ଗେମରେ ୬-୮ରେ ପଛୁଆ ଥାଇ ବି ଲକ୍ଷ୍ୟ ଏମିତି ଖେଳ ଦେଖାଇଥିଲେ ଯାହାର ଜବାବ ପ୍ରତିପକ୍ଷ ମାଲେସିଆ ଖେଳାଳିଙ୍କ ନିକଟରେ ନଥିଲା। ଦ୍ଵିତୀୟ ଗମେରେ ଏନଜି ତେ ୟୋଙ୍ଗଙ୍କୁ କୌଣସି ସୁଯୋଗ ନଦେଇ ମାତ୍ର ଅଳ୍ପ ସମୟରେ ଏକ ତରଫା ଭାବେ ୨୧-୯ରେ ଜିତି ନେଇଥିଲେ ଲକ୍ଷ୍ୟ। ହେଲେ ତୃତୀୟ ଗେମରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ହେଲେ ଲକ୍ଷ୍ୟ ନିଜ ଲୟ ଜାରି ରଖି ସର୍ବଦା ଅଗ୍ରଣୀ ହାସଲ କରିଥିଲେ, ଯାହାକୁ ସେ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲେ। ଶେଷ ଗେମକୁ ୨୧-୧୬ରେ ଜିତି ଫାଇନାଲ୍ ମୁକାବିଲାକୁ ୨-୧ରେ ଜିତିଛନ୍ତି ଲକ୍ଷ୍ୟ। ସିନ୍ଧୁଙ୍କ ପରେ ଏକକ ବର୍ଗରେ ଲକ୍ଷ୍ୟ ସେନ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।
ଅଲମୋଡା ନିବାସୀ ଲକ୍ଷ୍ୟ ସେନ ଗତ ବର୍ଷ ବିଶ୍ଵ ଚାମ୍ପିଅନଶିପରେ କାଂସ୍ୟ ପଦକ ନିଜ ନାମରେ କରିଥିଲେ। ପୁଣି ସେହି ବର୍ଷ ଅଲ ଇଂଲଣ୍ଡ ଓପନ ୨୦୨୨ରେ ଉପ ବିଜେତା ରହିଥିଲେ। ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀକ୍ରୀଡାରେ ଭାରତ ୨୦ ସ୍ଵର୍ଣ୍ଣ ପଦକ ସହ ମୋଟ୍ ୫୭ ପଦକ ଜିତି ସାରିଛି। ସେଥିରେ ୧୫ ରୌପ୍ୟ ଏବଂ ୨୨ କାଂସ୍ୟ ପଦକ ସାମିଲ୍।