କରୋନା ଅପହଞ୍ଚ ଇଲାକା: ଭାରତର ଏପରି ଏକ ରାଜ୍ୟ ଯେଉଁଠାରେ ଏବେବି ପହଞ୍ଚି ପାରିନି କୋଭିଡ୍ ଭାଇରସ୍, ସ୍କୁଲ ଖୋଲା, ଜନଜୀବନ ସ୍ବାଭାବିକ

Published By : Prameya-News7 Bureau | December 09, 2020 IST

କୋଚି ୦୯/୧୨ : କରୋନା ମହାମାରୀରେ ସାରା ବିଶ୍ବ ଦହଗଞ୍ଜ ହେଉଛି ସତ, କିନ୍ତୁ ଆମ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି ।  କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ସଂପୂର୍ଣ୍ଣ ଭାବେ କରୋନା ମୁକ୍ତ । ଏଠାରେ ଜନଜୀବନ ସ୍ବଭାବିକ ହୋଇଗଲାଣି । ଲାକ୍ଷାଦ୍ବୀପରେ ଗୋଟିଏବି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ବାହାଘର ଠାରୁ ଆରମ୍ଭ କରି ଲୋକମାନଙ୍କର ମିଳାମିଶା ସଂପୂର୍ଣ୍ଣ ଭାବେ ବିପଦମୁକ୍ତ ।

ଅନ୍ୟ ସ୍ଥାନରୁ ଆସୁଥିବା ଲୋକମାନଙ୍କ ପାଇଁ ଲାକ୍ଷାଦ୍ବୀପରେ ପ୍ରବେଶ ନେଇ କଡା ଏସଓପି ଜାରି କରାଯାଇଛି । ଲୋକସଭା​‌ରେ ସେଠାରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ପି ପି ମହମ୍ମଦଙ୍କ କହିବା ମୁତାବକ କରୋନା ମହାମାରୀ ଆରମ୍ଭରୁ ହିଁ ଲାକ୍ଷାଦ୍ବୀପ ଏହାକୁ ରୋକିବାରେ ସଫଳ ହୋଇଥିଲା । ସେଥିପାଇଁ ଏପର୍ଯ୍ୟନ୍ତ ସେଠାରେ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ବାହାରୁ ଆସୁଥିବା ଲୋକମାନଙ୍କୁ କଡା ସର୍ତ୍ତ ମଧ୍ୟରେ ଲାକ୍ଷାଦ୍ବୀପରେ ପ୍ରବେଶ ଅନୁମତି ମିଳୁଛି । ସେଠାକାର ପ୍ରଶାସନ ଦ୍ବାରା ଐତିହାସିକ ପଦକ୍ଷେପ ଦ୍ବାରା କରୋନାକୁ ସଂପୂର୍ଣ୍ଣ ଭାବେ କାବୁ କରାଯାଇଛି । ସାଧାରଣ ଜନତା ହୁଅନ୍ତୁ କିମ୍ବା​‌ ଜନ ପ୍ରତିନିଧି ସମସ୍ତଙ୍କ ପାଇଁ ୭ ଦିନିଆ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।

ଲାକ୍ଷାଦ୍ବୀପକୁ ଯିବା ପାଇଁ ହେଲେ କୋଚି ହିଁ ପଏଣ୍ଟ୍, ଯେଉଁଠାରୁ ପାଣି ଜାହାଜ କିମ୍ବା ହେଲିକପ୍ଟର ମାଧ୍ୟମରେ ଦ୍ବୀପ ଯାଏଁ ଯାଇହେବ । ସେଠାକୁ ଯିବା ପାଇଁ ଲୋକମାନଙ୍କୁ ପ୍ରତିବନ୍ଧକ ନାହିଁ । ସେଠାରେ ସ୍କୁଲ ଏବଂ କଲେଜ ଖୋଲା ଅଛି ଏବଂ ସ୍ବାଭାବିକ ଭବେ ପାଠ ପଢା ଚାଲୁ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୧ରୁ ସେଠାରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ।

 ଦେଶର ସବୁଠାରୁ ଛୋଟ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ, ୩୨ ବର୍ଗ କିଲୋମିଟର କ୍ଷେତ୍ରରେ ୩୬ଟି ଛୋଟ ଛୋଟ ଦ୍ବୀପକୁ ନେଇ ଗଠିତ । ୨୦୧୧ ଜନଗଣନା ଅନୁଯାୟୀ ଏଠାରେ ଲୋକ ସଂଖ୍ୟା ଥିଲା ୬୪ ହଜାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.