ଇମରାନ୍ ଖାନ୍ଙ୍କୁ ସାମୟିକ ଆଶ୍ବସ୍ତି, ଗିରଫ ଓ୍ବାରେଣ୍ଟ ଉପରେ ରୋକ୍ ଲଗାଇଲେ ଲାହୋର ହାଇକୋର୍ଟ
15/03/2023 at 5:08 PM

ନୂଆଦିଲ୍ଳୀ, ୧୫/୦୩: ଇମରାନ୍ ଖାନ୍ଙ୍କୁ ଆଶ୍ବସ୍ତି। ଇମରାନଙ୍କ ଗିରଫ ଉପରେ ସାମୟିକ ରୋକ୍ ଲଗାଇଛନ୍ତି ଲାହୋର ହାଇକୋର୍ଟ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କୁ ଗିରଫ କରିବାକୁ ଇସଲାମାବାଦ ପୋଲିସ୍କୁ ମନା କରିଛନ୍ତି ଲାହୋର ହାଇକୋର୍ଟ। ସୂଚନାଥାଉ, ଇମରାନଙ୍କୁ ଗିରଫ କରିବାକୁ ଜମାନ ପାର୍କ ଅଞ୍ଚଳରେ ପହଞ୍ଚିଥିବା ପୋଲିସ୍ ବୁଧବାର ଇମରାନଙ୍କ ବାସଭବନ ଘେରିଥିଲା ଯାହାକୁ ନେଇ ଲାହୋରରେ ଖୁବ୍ ଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ କୋର୍ଟ ଏହି ଆଦେଶ ଦେଇଛନ୍ତି। ଲାହୋର ହାଇକୋର୍ଟ ଜମାନ ପାର୍କରେ ଗୁରୁବାର ସକାଳ ୧୦ ଟା ପର୍ଯ୍ୟନ୍ତ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। କୁହାଯାଉଛି କୋର୍ଟ ସାମୟିକ ଭାବରେ ଇମରାନଙ୍କୁ ଗିରଫ କରିବାକୁ ମନା କରିଛନ୍ତି ଏବଂ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ତଳ କୋର୍ଟଙ୍କ ଦ୍ବାରା ଜାରି ହୋଇଥିବା ଆରେଷ୍ଟ ଓ୍ବାରେଣ୍ଟ ପରେ ମଙ୍ଗଳବାର ଇସଲାମାବାଦ ପୋଲିସ୍ ଇମରାନଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନ ଠାରେ ପହଞ୍ଚିଥିଲା। ହେଲେ ଇମରାନଙ୍କ ସମର୍ଥକ ପୋଲିସ୍କୁ ଇମରାନଙ୍କୁ ଗିରଫ କରିବାକୁ ଦେଇନଥିଲେ। ଲାହୋରରେ ପୋଲିସ୍ ଏବଂ ଇମରାନ ଖାନ୍ଙ୍କ ସମର୍ଥକଙ୍କ ମଧ୍ୟରେ ରାତି ସାରା ସଂଘର୍ଷ ହୋଇଥିଲା। ପୋଲିସ୍ ଲୁହା ବୁହା ଗ୍ୟାସ୍ର ପ୍ରୟୋଗ କରିଥିବା ବେଳେ ଇମରାନଙ୍କ ସମର୍ଥକ ପୋଲିସ୍ ଉପରକୁ ପଥରମାଡ଼ କରିଥିଲେ।