vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସୁଛି ଲଘୁଚାପ, ଜୁଲାଇ ପହିଲାରୁ ଭିଜିବ ଓଡିଶା

24/06/2022 at 7:48 AM

ଭୁବନେଶ୍ୱର,୨୪/୦୬: ମାସ ଶେଷ ବେଳକୁ ଓଡ଼ିଶା ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ ଦେଇଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । ସେହିଭଳି ଆସନ୍ତା ୨୪ରୁ ୩୦ ତାରିଖ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି । ୨୬ ତାରିଖ ଯାଏ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିିଛନ୍ତି । ୨୪ ଓ ୨୫ରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ରହିବ । ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ବର୍ଷା ହେବ ବୋଲି ସେ କହିଛନ୍ତି ।

ପ୍ରଫେସର ପଶୁପାଳକ କହିଛନ୍ତି, ଏ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଗାଏବ ହୋଇଯାଇଛି । ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି । ଏଯାବତ୍‌ ମୌସୁମୀ ଘୂର୍ଣ୍ଣିବଳୟ (ମନସନ୍‌ ଟ୍ରଫ୍‌) ସୃଷ୍ଟି ହୋଇନି । ମୌସୁମୀ ବାୟୁପ୍ରବାହ ବାଧାପ୍ରାପ୍ତ ହୋଇଛି । ଏଭଳି ପ୍ରତିକୂଳ ସ୍ଥିତି ଯୋଗୁ ଆରବସାଗର କିମ୍ବା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର କୌଣସି ସଙ୍କେତ ଦିଶୁନି । ଜାତୀୟସ୍ତରରେ ମୌସୁମୀ ବର୍ଷା ଆଗେଉନି । ଆକଳନ ଅନୁସାରେ ଜୁନ୍‌ରେ ନିଅଣ୍ଟିଆ ବର୍ଷା ହୋଇଛି ।

୨୯ରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଭଲ ବର୍ଷା ହେବ । ଜୁଲାଇ ୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତଥ୍ୟ ଅନୁସାରେ, ଜୁନ୍‌ ୧ରୁ ୨୩ ଯାଏ ୯୨.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ୧୬୬.୯ ମିମି ସ୍ୱାଭାବିକ ବର୍ଷା ହେବା କଥା । ଏଣୁ ଚଳିତ ମାସରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି । କେବଳ ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକଠାରୁ ୩୫% ଅଧିକ ବର୍ଷା ହୋଇଛି । ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା ଓ ନୟାଗଡ଼ରେ ସ୍ୱାଭାବିକ ବର୍ଷା ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରାୟ -୫୯% କମ୍‌ ବର୍ଷା ହୋଇଛି । ବାକି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ଆଇଏମ୍‌ଡିର ତଥ୍ୟ କହୁଛି, ଦେଶରେ ୫୩% ଜିଲ୍ଲାରେ ନିଅଣ୍ଟିଆ ଓ ୫୯% ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ସାଟେଲାଇଟ୍‌ ଦୃଶ୍ୟ ଅନୁସାରେ, ରାଜ୍ୟରେ ଦୁଇ ମିଟର ଗଭୀର ଯାଏ ଜଳୀୟ ଅଂଶ ୨୦%ରୁ କମ୍‌ ରହିଛି । ଏଣୁ ଢିପ ଜମିରେ ବୁଣାବୁଣି ପାଇଁ ସମସ୍ୟା ହେବ । ଗୁରୁବାର କେନ୍ଦୁଝର, ପାରାଦୀପ, ନୟାଗଡ଼, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡ଼ା, କଟକ, ନୟାଗଡ଼, ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts