ଆସୁଛି ଆଉ ଏକ ଲଘୁଚାପ, ୨୮ରେ ହାଡଭଙ୍ଗା ଶୀତ

Published By : Prameya-News7 Bureau | November 23, 2021 IST

ଭୁବନେଶ୍ୱର ୨୩/୧୧: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ। ଏ ମାସରେ ବଙ୍ଗୋପସାଗର ଉପରେ ଏହା ହେଉଛି ଚତୁର୍ଥ ଲଘୁଚାପ । ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ୨୯ରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ରହିବନି ବୋଲି ସେ କହିଛନ୍ତି ।

୨୩ ତାରିଖ ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ଉପକୂଳରେ ୨୬ତାରିଖରୁ ଶୀତ ବଢିବ । ଆଭ୍ୟନ୍ତରୀଣ ଉତ୍ତର, ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓଡିଶାରେ ୨୩ରୁ ୨୬ ତାରିଖ ରାତି ଯାଏ ସର୍ବନିମ୍ନ ତାପମାତ୍ରା ୫ରୁ ୬ଡିଗ୍ରୀ ସେଲସିୟସ୍‌ କମିପାରେ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୬ରୁ ୨୮ ତାରିଖ ଭିତରେ ରାତି ତାପମାତ୍ରା ୬ଡିଗ୍ରୀ ସେଲସିୟସ୍‌ କମିଯିବ । ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଡିସେମ୍ବର ପ୍ରଥମ ସପ୍ତାହରେ ଥାଇଲାଣ୍ଡ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗରକୁ ଆସିବାର ସମ୍ଭାବନା ରହିଛି ବୋଲି ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତ୍ତନର ସମ୍ଭାବନା ରହିଛି । ତେଣୁ ନଭେମ୍ବର ସୁଦ୍ଧା ଚାଷୀମାନେ ଧାନ ଅମଳ କରିଦେବାକୁ ସେ ପରାମର୍ଶ ଦେଇଛନ୍ତି । ମାଟିର ପାଗ ଦେଖି ରବି ଅଣଧାନ ଫସଲ ଲଗାନ୍ତୁ । ରବି ଧାନ ଫସଲ କରିବାକୁ ଚାହୁଁଥିଲେ ଡିସେମ୍ବର ୧୫ସୁଦ୍ଧା ତଳି ପ୍ରସ୍ତୁତ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।

ସେପଟେ ଗତକାଲି ଦାରିଙ୍ଗିବାଡ଼ିରେ ପାରଦ ୧୫ଡିଗ୍ରୀକୁ ଖସିଆସିଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରୀ, ବୌଦ୍ଧରେ ୨୦, ଟିଟିଲାଗଡ଼ରେ ୨୦.୩ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.