ଗାୟିକା ଏବେ ଘର ଘର ବୁଲି ଦେଉଛନ୍ତି ପାର୍ସଲ, କରୋନା ବଦଳାଇଦେଲା ଇଚ୍ଛା ଓ ବୃତ୍ତି

Published By : Prameya-News7 Bureau | December 15, 2020 IST

କଟକ ୧୫।୧୨: ଭଜନ ଗାୟିକା ସାଜିଲେ ହୋମ୍ ଡେଲିଭରି ଗାର୍ଲ । ଦିନେ ଗୋଟିଏ ପରେ ଗୋଟିଏ ମଞ୍ଚରେ ନିଜର ଭଜନ ଗୀତରେ ଲୋକଙ୍କ ଭକ୍ତି ଭାବ ସହିତ ବନ୍ଧି ରଖୁଥିଲେ । ଆଜିର ଦିନରେ ନିଜ ସ୍କୁଟିରେ ଘରକୁ ଘର ବୁଲି ଦେଉଛନ୍ତି ଅନଲାଇନ୍ ପାର୍ସଲ । କରୋନା ପାଇଁ ରୋଜଗାର ହରାଇବା ପରେ ଘର ପରିବାର ପେଟପୋଷଣ ପାଇଁ ଭଜନ ଗାୟିକାରୁ ହୋମ୍ ଡେଲିଭରି ଗାର୍ଲ ପାଲଟିଛନ୍ତି ଜ୍ୟୋସ୍ନା ପାତ୍ର ।

ଦିନେ ମଞ୍ଚ ଉପରେ ନିଜର କଣ୍ଠର ଯାଦୁରେ ଲୋକଙ୍କୁ ଭକ୍ତି ଭାବରେ ବନ୍ଧି ରଖୁଥିଲେ ଏହି ଗାୟିକା ଜଣଙ୍କ । ମାତ୍ର ଆଜି ସ୍ଥିତି ଏପରି ଆସିଛି ନିଜ ପରିବାର ପ୍ରତିପୋଷଣ ପାଇଁ ନିଜ ବୃତ୍ତିକୁ ବଦଳାଇବାକୁ ପଡିଛି । ବାଟ ବାଛିଛନ୍ତି ହୋମ୍‌ ଡେଲିଭରିର । କଟକର ପ୍ରଥମ ମହିଳା ହୋମ୍ ଡେଲିଭରି ଗାର୍ଲ ତଥା ଭଜନ ଗାୟିକା ହେଉଛନ୍ତି ଜ୍ୟୋସ୍ନା ପାତ୍ର । କରୋନା ମାହମାରୀ ଅନେକ କଳାକାରଙ୍କ ଭଳି ଜ୍ୟୋତ୍ସାଙ୍କ ଜୀବନରେ ମଧ୍ୟ ଅନେକ ଆର୍ଥିକ ସମସ୍ୟା ଆଣିଛି । ଚାରିଆଡେ ଭଜନ ସମାରୋହ ଆୟୋଜନ ବି ବନ୍ଦ ହୋଇଗଲା । ଯାହା ବି କିଛି ଦି ପଇସା ରୋଜଗାର ରହିଥିଲା ତାହା ବି ହରାଇବାକୁ ପଡିଲା । ତେଣୁ ନିଜର ଜଣେ ବନ୍ଧୁଙ୍କ ସାହାଯ୍ୟରେ ଏକ କମ୍ପାନୀରେ ହୋମ୍ ଡେଲିଭରିର ଭାବେ କାର୍ଯ୍ୟ କରୁଛନ୍ତି । ଦିନେ ଗୋଟିଏ ପରେ ଗୋଟିଏ ମଞ୍ଚକୁ ଯାଇ ନିଜେ ଭଜନ ଗୀତ ପରିବେଷଣ କରୁଥିବା ବେଳେ ଆଜି ଗୋଟିଏ ପରେ ଗୋଟିଏ ଘରକୁ ବୁଲି ପାର୍ସଲକୁ ହୋମ୍ ଡେଲିଭରି କରୁଛନ୍ତି ।

କଟକ ନୁହେଁ କଟକ ବାହାରେ ମଧ୍ୟ ଭଜନ କଣ୍ଠଶିଳ୍ପୀ ଭାବେ ଜ୍ୟୋତ୍ସାଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ବର୍ଷ ତମାମ ଅପେକ୍ଷା ପାର୍ବଣ ଋତୁ ସମୟରେ ଫୁରସତ ମିଳିନଥାଏ । ମାତ୍ର କୋରନା ପାଇଁ ସମ୍ପୂର୍ଣ୍ଣ ଭାବେ ଘର ଚାରି କାନ୍ଥ ଭିତରେ ଦିନ କାଟିବାକୁ ପଡିଛି । ସ୍ବାମୀଙ୍କ ଦେହାନ୍ତ ପରେ ଜ୍ୟୋତ୍ସାଙ୍କ ଉପରେ ଏବେ ପରିବାର ଚାପ । ତେଣୁ ପରିସ୍ଥିତିକୁ ସାମ୍ନା କରି ହୋମ୍ ଡେଲିଭରି ଗାର୍ଲ ଭାବେ ରୋଜଗାରର ପନ୍ଥା ଆପଣାଇ ଘର ପରିବାର ଚଳାଉଛନ୍ତି । ମାତ୍ର ଏ ସବୁ ଭିତରେ ଭଜନ ପ୍ରତି ରହିଥିବା ନିଶାକୁ ବି ଛାଡି ନାହାନ୍ତି । ଯେତେବେଳେ ବି ଫୁରସତ ମିଳିଲେ ନିଜ ଗୁରୁଙ୍କ ସହିତ ଭଜନ ଗୀତର ଅଭ୍ୟାସରେ ଲାଗି ପଡନ୍ତି ଜ୍ୟୋସ୍ନା ।

କରୋନା ଯୋଗୁଁ ଭଜନ ଗାୟିକାରୁ ହୋମ୍ ଡେଲିଭରି ଗାର୍ଲ ସାଜିଥିବା ଜ୍ୟୋସ୍ନା ପାତ୍ର ଭଳି ଅନେକ କଳାକାର ଏଭଳି ସ୍ଥିତି ଦେଇ ଗତି କରିବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.