ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶି ଇଞ୍ଜେକସନ୍ ଦେବା ଘଟଣା ; ଧରାପଡିଲେ ରହସ୍ୟମୟୀ ମହିଳା
21/01/2019 at 2:48 PM

ସମ୍ବଲପୁର ୨୧|୧: ଧରାପଡ଼ିଲେ ରହସ୍ୟମୟୀ ମହିଳା। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ପଶି ଇଞ୍ଜେକସନ୍ ଦେବା ଘଟଣାରେ ସଂପୃକ୍ତ ମହିଳାଙ୍କୁ ଅଟକ ରଖିଛି ପୋଲିସ। ସମ୍ବଲପୁର ଏନ୍. ଗୁହା ଲେନ୍ ର ଲିଲି ଜାଲ ନାମକ ଜଣେ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ଜଣେ ନର୍ସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ହସ୍ପିଟାଲ ସୁରକ୍ଷା କର୍ମୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।
ଗତକାଲି ଡାକ୍ତରଖାନା ୱାର୍ଡରେ ପଶି ଜଣେ ମହିଳା ୩ ଜଣ ରୋଗୀଙ୍କୁ ଇଞ୍ଜେକସନ୍ ଓ ଜଣେ ରୋଗୀଙ୍କୁ ସାଲାଇନ୍ ଦେଇଥିଲେ। ତେବେ ଏହି ମହିଳା ଜଣକ କିଏ ତାହା ଡାକ୍ତରଖାନା କର୍ମଚାରୀ କିମ୍ବା ସୁରକ୍ଷାକର୍ମୀ କେହି ଜାଣିପାରିନଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା।