ରୋଗୀ ଦେଖା ଛାଡି ସୋସିଆଲ ମିଡିଆରେ ବ୍ୟସ୍ତ ଡ୍ୟୁଟିରେ ଥିବା ଡାକ୍ତରାଣୀ, ଭିଡିଓ ହେଲା ଭାଇରାଲ୍
7/07/2019 at 5:45 PM

ସମ୍ବଲପୁର ୭|୭: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ସମୟରେ ଜଣେ ଡାକ୍ତର ମୋବାଇଲରେ ହ୍ବାଟସ୍ଆପ୍ ଓ ଫେସ୍ବୁକ୍ରେ ବ୍ୟସ୍ତ ଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ମୁଖ୍ୟ ଚିକିତ୍ସାଳୟରେ ଦିନ ୧୧ଟାରେ ରୋଗୀମାନେ ଧାଡିରେ ଠିଆ ହୋଇଥିବା ବେଳେ, ସେମାନଙ୍କୁ ଚିକିତ୍ସା ନକରି, ଡାକ୍ତର ମ୍ୟାଡ୍ମ ମୋବାଇଲ୍ରେ ସୋସିଆଲ୍ ସାଇଟ୍ ଖୋଲି ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି।

ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର କିରଣମୟୀ ପଣ୍ଡା। ଗରିବ ରୋଗୀମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଧାଇଁ ଆସି, ଧାଡିରେ ଠିଆ ହୋଇଥିବା ବେଳେ, ମ୍ୟାଡ୍ମ ଘଣ୍ଟାଘଣ୍ଟା ମୋବାଇଲରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥିଲା। ଧାଡିରେ ଥିବା ଜଣେ ରୋଗୀଙ୍କ ସଂପର୍କୀୟ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରି, ସୋସିଆଲ ସାଇଟରେ ଅପଲୋଡ୍ କରିଦେବା ପରେ, ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି ।

ଏ ସଂପର୍କରେ ସଂପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ କହିଛନ୍ତି ।