ନୂଆଦିଲ୍ଲୀ ୦୬।୦୭: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଦୀର୍ଘ ଦୁଇ ମାସ ହେବ ଜାରି ବିବାଦ ମଧ୍ୟରେ ଶେଷରେ ମୁଣ୍ଡ ନୁଆଁଇଛି ଚୀନ। ଗଲଓ୍ଵାନ ଉପତ୍ୟକାରେ ଚୀନ ସୈନିକଙ୍କୁ ପଛଘୁଞ୍ଚା ଦେବା ପାଇଁ ନରେନ୍ଦ୍ର ମୋଦୀ ସରକାର ନିଜର ସବୁଠୁ ମଜବୁତ କୂଟନୈତିକ ଅସ୍ତ୍ର ପ୍ରୟୋଗ କରିଛନ୍ତି। କେନ୍ଦ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ସରକାର ବ୍ରହ୍ମାସ୍ତ୍ର ରୂପେ ଉପଯୋଗ କରିଛନ୍ତି। ଡୋଭାଲ ରବିବାର ଚୀନ ପ୍ରତିପକ୍ଷ ଓ୍ଵାଙ୍ଗ ଓ୍ଵିଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ। ଭାରତର କଠୋର ଆଭିମୁଖ୍ୟ ପରେ ଚୀନ ପାଖରେ ପଛକୁ ହଟିବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା। ଭାରତ ଡ୍ରାଗନକୁ ସାମରିକ ସହିତ କୂଟନୈତିକ ଏବଂ ଆର୍ଥିକ ମୋର୍ଚ୍ଚାରେ ଘେରି କରି ରଖିଥିଲା। ଚୀନର ୫୯ଟି ଆପ୍ସ ନିଷିଦ୍ଧ ହେବା ପରେ ବେଜିଂ ପୂରା ଦୋହଲି ଯାଇଥିଲା। ଶେଷରେ ଆଲୋଚନା ମାଧ୍ୟମରେ ଉତ୍ତେଜନା କମ କରିବାକୁ ଚୀନ ସହମତି ପ୍ରକାଶ କରିଛି।
{"id":296813,"width":580,"height":318,"sizeSlug":"large"}ଆକ୍ସନରେ ଡୋଭାଲ, ନଇଁଲା ଚୀନ
ଡୋଭାଲ ପ୍ରତିପକ୍ଷ ଓ୍ଵାଙ୍ଗ ଓ୍ଵିଙ୍କ ସହିତ ଭିଡିଓ କନଫରେନ୍ସିଂ ବୈଠକ ବେଳେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଲଦାଖ ସୀମାରେ ଦୁଇ ପକ୍ଷର ସୈନିକ ପଛକୁ ହଟିବାର କାରଣ ଏହି ଆଲୋଚନା ହୋଇଥିବା କୁହାଯାଉଛି। ଡୋଭାଲଙ୍କ ଆଲୋଚନା ପରେ ଚୀନ ଗଲଓ୍ଵାନ ଉପତ୍ୟକାରେ ସଂଘର୍ଷ ସ୍ଥାନଠୁ ନିଜର ସୈନିକଙ୍କଠୁ ୨ କିଲୋମିଟର ପଛକୁ ପ୍ରତ୍ୟାହାର କରି ନେଇଛି। ଉଲ୍ଲେଖଯୋଗ୍ୟ, ଦୁଇ ଦେଶ ଉତ୍ତେଜନା ହ୍ରାସ ପାଇଁ ଅନେକ ପର୍ଯ୍ୟାୟରେ କମାଣ୍ଡରସ୍ତରୀୟ ଆଲୋଚନା କରି ସାରିଛନ୍ତି।
ପୁନର୍ବାର ନ ହେଉ ଗଲଓ୍ଵାନ
ଡୋଭାଲ କାଲି ଭିଡିଓ କନଫରେନ୍ସରେ ଚୀନର ବୈଦେଶିକ ମନ୍ତ୍ରୀ ତଥା ଷ୍ଟେଟ୍ କାଉନସିଲର ଓ୍ଵାଙ୍ଗ ଓ୍ଵିଙ୍କ ସହିତ ଆଲୋଚନା କରିଛନ୍ତି। ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବହୁତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଦୂରଦର୍ଶି ରହିଛି। ଉଭୟ ପକ୍ଷ ଭବିଷ୍ୟତରେ ଗଲଓ୍ଵାନ ପରି ସ୍ଥିତି ଯେମିତି ନଉପୁଜେ ଏବଂ ଶାନ୍ତି କାଏମ ରହିବ ସେଥିପ୍ରତି ଜୋର ଦେଇଛନ୍ତି। ଆଲୋଚନାରେ ସହମତି ପ୍ରକାଶ ପାଇଛି ଯେ, ଭବିଷ୍ୟତରେ ଗଲଓ୍ଵାନ ପରି ସ୍ଥିତି ଉପୁଜିବ ନାହିଁ।
{"id":296814,"sizeSlug":"large"}ବିବାଦୀୟ କ୍ଷେତ୍ରରୁ ସେନା ହଟାଇବାକୁ ସହମତି
ଆଲୋଚନା ସମୟରେ ଦୁଇ ପକ୍ଷ ଏହା ଉପରେ ସହମତି ପ୍ରକାଶ କରିଛନ୍ତି ଯେ, ଶୀଘ୍ର ଦୁଇ ଦେଶର ସେନା ବିବାଦୀୟ କ୍ଷେତ୍ରରୁ ପଛକୁ ହଟିବେ ଏବଂ ଏଲଏସିରେ ଶାନ୍ତି କାଏମ ରଖିବେ। ଉଭୟ ପକ୍ଷ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ମୁତୟନ ସେନାକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ଭାରତ ଓ ଚୀନ ପର୍ଯ୍ୟାୟକ୍ରମେ ଏଲଏସି ନିକଟରୁ ନିଜର ସେନା ପ୍ରତ୍ୟାହାର କରିବେ ବୋଲି କହିଛନ୍ତି। ବୈଠକରେ ଏହା ଉପରେ ସହମତି ପ୍ରକାଶ ପାଇଛି ଯେ, ଦୁଇ ପକ୍ଷ ଏଲଏସିର ଉଲ୍ଲଂଘନ କରିବେ ନାହିଁ ଏବଂ କୌଣସି ପକ୍ଷ ଏକପାଖିଆ କୌଣସି ବି ଯଥାସ୍ଥିତି ବଦଳାଇବାକୁ ପ୍ରୟାସ କରିବେ ନାହିଁ।
ଆଗକୁ ଜାରି ରହିବ ଆଲୋଚନା
ଆଲୋଚନା ସମୟରେ ଦୁଇ ପ୍ରତିନିଧି ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଏହା ସ୍ଥିର ହୋଇଛି ଯେ, ଭବିଷ୍ୟତରେ ଏହି ପରି ଆଲୋଚନା ଜାରି ରହିବ। ଏହା ଉପରେ ମଧ୍ୟ ସହମତି ପ୍ରକାଶ କରିଛନ୍ତି ଯେ, ଦୁଇ ବିଶେଷ ପ୍ରତିନିଧି ଭାରତ-ଚୀନ ସୀମାରେ ଶାନ୍ତି ସ୍ଥାପିତ ହେବା ପର୍ଯ୍ୟନ୍ତ ଆଗକୁ ମଧ୍ୟ ଆଲୋଚନା ଜାରି ରଖିବେ।