ପାରାସୁଟ୍ ନଖୋଲିବାରୁ ଆଉ ଜଣେ ପାରା କମାଣ୍ଡୋଙ୍କ ମୃତ୍ୟୁ, ଗୋଟିଏ ସପ୍ତାହରେ ଦ୍ୱିତୀୟ ଘଟଣା
11/09/2022 at 3:58 PM

ଲେହ: ଲେହ-ଲଦାଖରେ ପର୍ବତ ପ୍ରହାର ଏକ୍ସସାଇଜ୍ ସମୟରେ ପାରା କମାଣ୍ଡୋ ନାୟକ ସୂରଜ ପାଳଙ୍କ ପାରାସୁଟ୍ ନଖୋଲିବା ଯୋଗୁଁ ମୃତ୍ୟୁ ହୋଇଛି । ସୂରଜ ପାଲ ଉତ୍ତର ପ୍ରଦେଶର ହାଥରସ ବାସିନ୍ଦା । ଗତ ସପ୍ତାହରେ ଲେହ ସେକ୍ଟରରେ ଯୁଦ୍ଧାଭ୍ୟାସ ସମୟରେ ଏହିପରି ଅନ୍ୟଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା।
ଅଗଷ୍ଟ ୨୯ରେ ପାରା-ଏସଏଫ ବାଟାଲିୟନର ପାରା ଟ୍ରୁପର ସୁବେଦାର ହରିବୀର ସିଂଙ୍କ ଲେହ ସେକ୍ଟରରେ ଏକ ଯୁଦ୍ଧାଭ୍ୟାସ ସମୟରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପାରା-ଟ୍ରୁପରଙ୍କୁ ଆକାଶରୁ ପାରା ଡିଆଁ ଅର୍ଥାତ ପାରାସୁଟ ସାହାଯ୍ୟରେ ଅବତରଣ କରିବାକୁ ପଡିଥାଏ। କିନ୍ତୁ ଏହି ସମୟରେ କୌଣସି କାରଣରୁ ପାରାସୁଟ ନ ଖୋଲିବାରୁ ସୁବେଦାର ହରିବୀର ସିଂଙ୍କ ମୃତ୍ୟୁ ହୋଇଥିଲା । ତଳେ ପଡିବା ପରେ ସେ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଶନିବାର ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଉପସ୍ଥିତିରେ ଭାରତୀୟ ସେନା ଲଦାଖରେ ପର୍ବତ ପ୍ରହାର ଯୁଦ୍ଧାଭ୍ୟାସ ଜରିଆରେ ନିଜର ପ୍ରସ୍ତୁତିକୁ ପରଖିଛି। ଭାରତୀୟ ସେନା ଏକ ବୟାନ ଜାରି କହିଛି, ନିଜର ଦୁଇ ଦିନର ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ ପର୍ବତ ପ୍ରହାର ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିଛନ୍ତି ବୋଲି ଏଥିରେ କୁହାଯାଇଛି ।