ମିଳିନି ଆବଶ୍ୟକ ପରିମାଣର ସରକାରୀ ସାର ଓ କୀଟନାଶକ; କଳା ବଜାରି କରି ମାଲେମାଲ୍‌ ହେଉଛନ୍ତି ଅସାଧୁ ବ୍ୟବସାୟୀ

Published By : Prameya-News7 Bureau | September 16, 2022 IST

ଜଳେଶ୍ୱର ୧୬/୦୯: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକରେ ଛତୁ ଫୁଟିଲା ପରି ଲାଇସେନ୍ସ ବିହୀନ ସାର ଓ କୀଟ ନାଶକ ଔଷଧ ଦୋକାନ ଖୋଲିଛି। ଏହି ଦୋକାନଗୁଡ଼ିକ ଚାଷୀ ମାନଙ୍କୁ ଲୁଟୁଥିବା ଦେଖିବାକୁ ମିଳିଛି। ଜଳେଶ୍ୱର କୃଷି ବିଭାଗ ପକ୍ଷରୁ ସମଗ୍ର ଜଳେଶ୍ୱର ବ୍ଲକରେ ୫୭ଟି ଓ ଜଳେଶ୍ୱର ପୌର ପରିଷଦରେ ୬ଟି ଲାଇସେନ୍ସ ପ୍ରାପ୍ତ ସାର ଦୋକାନ ରହିଛି।  ଏହା ସହିତ ୧୮ଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ସରକାରୀ ସାର ଓ ବିହନ ଯୋଗାଇ ଦିଆଯାଉଛି। ଅନ୍ୟପଟେ କିଛି ସ୍ଥାନୀୟ ଅସାଧୁ ବ୍ୟବସାୟୀମାନେ ବିନା ଲାଇସେନ୍ସରେ ସାର ଓ କୀଟନାଶକ ଔଷଧ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି।

ଏହି ଅସାଧୁ ବ୍ୟବସାୟୀମାନେ ସ୍ଥାନୀୟ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କ ସହିତ ସଲାସୁକତୁରା କରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ସୋନା କାଣିଆ ଓ ଏଗ୍ରାରୁ ସାର ଓ ନକଲି କୀଟ ନାଶକ ଔଷଧ ଆଣି ବେଆଇନ୍‌ ଭାବେ ଚଢ଼ାଦରରେ ବିକ୍ରିକରି ଚାଷୀଙ୍କୁ ଠକୁ ଥିବା ଦେଖିବାକୁ ମିଳିଛି। ଦୋକାନଗୁଡ଼ିକରେ ଚାଷୀଙ୍କ ପାଇଁ ସାର ଏବଂ କୀଟ ନାଶକ ଔଷଧର ଦର ତାଲିକା ଝୁଲାଇବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ କୌଣସି ଦୋକାନରେ ଦର ତାଲକା ନଥିବା ବେଳେ ବିଭାଗୀୟ ଅଧିକାରୀ ନିଦା ବିଷ୍ଣୁ ସାଜିଥିବାର ଦେଖିବାକୁ ମିଳିଛି ।

ଚଳିତ ବର୍ଷ ଜଳେଶ୍ୱର କୃଷି ବିଭାଗ ଅଧୀନରେ ୨୯ ହଜାର ଚାଷୀ, ୧୯ ହଜାର ୯୯୦ ହେକ୍ଟର ଧାନ ଚାଷ, ୩ହଜାର ୩୩୫ହେକ୍ଟର ଅଣଧାନଚାଷ ହୋଇଥିବା ବେଳେ ୧,୯୫୫ ମେଟ୍ରିକ ଟନ୍‌ ୟୁରିଆ, ୧,୧୬୯ ମେଟ୍ରିକ ଟନ ଡିଏପି, ୭୮୩ ମେଟ୍ରିକ ଟନ ପଟାସ ଏବଂ ୫୧ ମେଟ୍ରିକ ଟନ ସୁପର ସାର ଆବଶ୍ୟକ ରହିଛି। କିନ୍ତୁ ସରକାରୀ ଭାବେ ଆବଶ୍ୟକୀ ପରିମାଣର ସାର ଯୋଗାଇ ଦିଆ ଯାଇନାହିଁ। ଫଳରେ ଏହାର ସୁଯୋଗ ନେଇ ସାର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ପଶ୍ଚିମବଙ୍ଗର ଡୁପ୍ଲିକେଟ ପରସ ନାମକ ସାର ଜଳେଶ୍ୱରରେ ବିକ୍ରିକରି ଦୋକାନୀମାନେ ମାଲେମାଲ ହେଉଥିବା ଦେଖିବାକୁ ମିଳିଛି।

ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ଥିବା ବେଳେ ଖୁବ ଶୀଘ୍ର ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜଳେଶ୍ୱର ନଗର ବିଜେପି ସଭାପତି ଦାବି କରିଛନ୍ତି। ଅନ୍ୟପଟେ ସାର ଓ କୀଟନାଶକ ଔଷଧ କଳାବଜାରୀ ରୋକିବା ପାଇଁ ବିଭାଗ ସବୁବେଳେ ସଜାଗ ଅଛି। ବିଶେଷ କରି ପଶ୍ଚିମବଙ୍ଗ ରାଜ୍ୟ ଜଳେଶ୍ୱର ସୀମାରେ  ରହିଥିବାରୁ ସାର ଓ କୀଟ ନାଶକ ଜଳେଶ୍ୱରକୁ  ଆସୁଛି। ଖୁବ ଶୀଘ୍ର ଏହା ଉପରେ ରୋକ ଲଗାଯିବ ବୋଲି ବ୍ସକ କୃଷି ଅଧିକାରୀ ସଞ୍ଜୟ କୁମାର ରାଉତ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.