ଢେଙ୍କାନାଳ ୦୨/୧୧: ଠିକାଦାରଙ୍କ ମାଧ୍ୟମରେ ବର୍ଷେ ହାଲା କାମ କରୁଛନ୍ତି ଶ୍ରମିକ। କିନ୍ତୁ ୩ ମାସ ହେଲା ତାଙ୍କୁ ପାରିଶ୍ରମିକ ମିଳୁନି। କାରଖାନା କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ସଲାସୁତରାରେ ଠିକାଦାର ଫେରାର ହୋଇଯାଇଛି। ଫଳରେ ବାକିପାଉଣା ପାଇଁ ୫୦ରୁ ଅଧିକ କର୍ମଚାରୀ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ଢେଙ୍କାନାଳର ଫୁଲକୀ ନଗରରେ ଥିବା କଳିଙ୍ଗ ଝୁଟ କାରଖାନାର ୫୦ରୁ ଅଧିକ ଅଣଓଡ଼ିଆ କର୍ମଚାରୀ ଏପରି ସମସ୍ୟାର ସାମ୍ନା କରିଛନ୍ତି।
ଏ ସମ୍ପର୍କରେ ଏହି କର୍ମଚାରୀମାନେ କଳିଙ୍ଗ ଝୁଟ କାରଖାନା କର୍ତ୍ତୃପକ୍ଷ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଜଣାଇଥିଲେ ମଧ୍ୟ ସମସ୍ତେ ଚୁପ ଅଛନ୍ତି। ଫଳରେ ଏହି କର୍ମଚାରୀମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରଉ କରିଛନ୍ତି। ଏନେଇ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ, ଟାଉନ ଥାନା ପୋଲିସ ପହଞ୍ଚି ଏହି କର୍ମଚାରୀମାନଙ୍କୁ ବୁଝାସୁଝା କରିବା ପରେ ଏହି କର୍ମଚାରୀ ମାନେ ଆନ୍ଦୋଳନରୁ ଓହରିଛନ୍ତି ।