କଳାହାଣ୍ଡିରେ ଶ୍ରମିକ ପ୍ରଶିକ୍ଷଣ ଯୋଜନା ନାଁ ରେ ଠକେଇ ,ପ୍ରୋତ୍ସାହନ ରାଶି ହଡ଼ପ
Published By : Prameya-News7 Bureau | October 18, 2018 IST
କଳାହାଣ୍ଡି;୧୮/୧୦-କଳାହାଣ୍ଡି ଜିଲ୍ଲାରେ ପ୍ରହସନ ପାଲଟିଛି ଶ୍ରମିକ ପ୍ରଶିକ୍ଷଣ ଯୋଜନା । ସରକାରୀ ବିଧି ମୁତାବକ ପଞ୍ଜିକୃତ ଶ୍ରମିକଙ୍କୁ କୁଶଳୀ କରିବା ପାଇଁ ସରକାର ଯୋଜନା କରିଛନ୍ତି । ପୋତ୍ସାହନ ରାଶି ଦେବା ପାଇଁ ମଧ୍ୟ ନିୟମ ରହିଛି । କିନ୍ତୁ ପୋତ୍ସାହନ ରାଶି ପାଇବା ହିତାଧିକାରୀଙ୍କ ପାଇଁ କାଠିକର ପାଠ ।ଶ୍ରମିକଙ୍କ ପୋତ୍ସାହନ ରାଶି ଲୁଟ୍ । ସରକାରୀ ଅଧିକାରୀ ଜାଣିନାହାଁନ୍ତି ବ୍ୟାଙ୍କ ଚେକ୍ ର ଅବଧି । ନଚେତ ଚେକ୍ ଭଙ୍ଗେଇବାର ଅବଧି ସରିବା ପରେ କଣ ପାଇଁ ଦେଇଥାନ୍ତେ ସରକାରୀ ବାବୁ ? ଏହି ଚେକ୍ କୁ ଚଳିତ ବର୍ଷ ଜୁଲାଇ ୯ ତାରିଖରେ ଇସ୍ୟୁ କରିଥିଲା ଶ୍ରମ ବିଭାଗ। ତେବେ ହିତାଧିକାରୀଙ୍କୁ ଚଳିତ ଅକ୍ଟୋବର ୮ ତାରିଖରେ ପ୍ରଦାନ କରିଛି ଭବାନିପାଟଣା ଶ୍ରମ ବିଭାଗ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜିକୃତ ଶ୍ରମିକ ମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପ୍ରଶିକ୍ଷଣ ପରେ ୩ ହଜାର ଟଙ୍କା ପୋତ୍ସାହନ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଅବଧି ସରିବା ପରେ ଶ୍ରମ ବିଭାଗ ଚେକ୍ ପ୍ରଦାନ କରିବା କିଛି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ,ଗୋଟେ ଚେକ୍ ର ଅବଧି ୩ ମାସ ରହିଥିଲେ ମଧ୍ୟ ଜୁଲାଇ ମାସରୁ ଇସ୍ୟୁ କରାଯାଇ ଅକ୍ଟୋବର ମାସରେ ଦିଆଯିବାର ଉଦ୍ଦେଶ୍ୟ କଣ ଥାଇପାରେ, ଏହା ସ୍ପଷ୍ଟ ହୋଇପାରୁନି ।