ଆନନ୍ଦପୁର, ୨୧।୧୨: ଆନନ୍ଦପୁର ଉପଖଣ୍ଡ ଘଷିପୁର ବ୍ଲକ୍ ମାର୍ଷାପାଳ ଠାରେ ଏଲିଫ୍ୟାଣ୍ଟ୍ କରିଡର ଯୋଜନାରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଷରେ ଆସି ଜଣେ ମୃତ । ଏହି ବିଦ୍ୟୁତ୍ ଖୁଣ୍ଟରେ ରଙ୍ଗ ଲଗାଉଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ଠିକା ଶ୍ରମିକ । ଫଳରେ ତାଙ୍କର ଜୀବନ ଯାଇଛି । ମୃତ ଶ୍ରମିକ କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଗଡୁଆଟୋପା ଗାଁର ଭୀମ ମୁଣ୍ଡା ।
ସ୍ଥାନୀୟ ଅଞ୍ଚଳଟି ହାତୀମାନଙ୍କ ନିୟମିତ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏହି ସ୍ଥାନରେ ଅଳ୍ପ ଉଚ୍ଚରେ ଥିବା ବିଦ୍ୟୁତ୍ ତାର ସବୁକୁ ନିୟମ ଅନୁସାରେ ଅଧିକ ଉଚ୍ଚ କରାଯାଉଛି । ଏହା ସହ ମୁକୁଳା ବିଦ୍ୟୁତ୍ ତାର ସବୁକୁ ବଦଳାଯାଇ ଇନ୍ସ୍ୟୁଲେଟେଡ୍ ତାର ଲଗାଯାଇଛି । ଟେଣ୍ଡର ମାଧ୍ୟମରେ ଏହି କାମ ଚାଲିଥିବାବେଳେ ଆଦ୍ୟଉର୍ଜା ନାମକ ଠିକା ସଂସ୍ଥା କାମକରୁଥିବା ଜଣାପଡିଛି । ତେବେ ବିଦ୍ୟୁତ୍ ବିଭାଗକୁ ନଜଣାଇ ଚାଲୁ ଲାଇନରେ ଆଜି ଠିକା ସଂସ୍ଥା ପକ୍ଷରୁ ଖୁଣ୍ଟରେ ରଙ୍ଗ ଲଗାଇବା କାମ ଚାଲିଥିଲା । ଯାହା ଫଳରେ ଆଜି ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି ।