ତାଲଚେରରୁ ମଧ୍ୟପ୍ରଦେଶ ଘରକୁ ଚାଲିଚାଲି ଫେରୁଛନ୍ତି ଶ୍ରମଜୀବୀ, ଗୁହାରୀ ଶୁଣିଲେନି ଶିବରାଜ ସିଂ ସରକାର
7/05/2020 at 5:37 PM

ରାଉରକେଲା, ୦୭|୦୫: ଲକଡାଉନ୍ ସମସ୍ତ କାରବାରକୁ ଠପ୍ କରିଦେଇଛି । ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ପାଇଁ ଶ୍ରମିକମନେ ଫସି ରହିଛନ୍ତି । ଓଡିଶାରେ ମଧ୍ୟ ଅନ୍ୟ ରାଜ୍ୟର କିଛି ଶ୍ରମିକ ଫସି ରହିଛନ୍ତି । ସେମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଅର୍ଥାଭାବ ଥିବାରୁ ଚାଲିଚାଲି ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି ।
କରୋନା ଲକଡାଉନ ମଧ୍ୟରେ ଅନେକ ନିଜର ଜୀବନ ଜୀବିକା ହରାଇ ସାରିଲେଣି। ବର୍ତମାନ ଯେତେବେଳେ ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ସହ ଫସି ରହିଥିବା ଶ୍ରମିକ ମାନଙ୍କୁ ଯିବାକୁ ସରକାର ଅନୁମତି ଦେଇଛନ୍ତି । ଫସିରହିଥିବା ଶ୍ରମିକମାନେ ନିଜ ନିଜ ଘରକୁ ଫେରିଯିବାକୁ ବ୍ୟାକୁଳ ହୋଇପଡିଛନ୍ତି। ଆଉ ଏପରି ସମୟରେ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ଘରକୁ ଫେରୁଛନ୍ତି।
ଦୀର୍ଘ ଦିନ ଧରି କାମ ଧନ୍ଦା ନକରି ଫସିରହିବା ଫଳରେ ବର୍ତମାନ ପାଖରେ ଆଉ ପଇସା ନଥିବାରୁ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାର କିଛି ଶ୍ରମିକ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ତାଲଚେରରେ ଏକ କମ୍ପାନୀରେ କାମ କରୁଥିବା ଏହି ଶ୍ରମିକମାନେ ନିଜ ରାଜ୍ୟ ସରକାରଙ୍କୁ ଫେରାଇନେବାକୁ ନିବେଦନ କରିଥିଲେ ମାତ୍ର ମଧ୍ୟପ୍ରଦେଶ ସରକାର କିଛି ନଶୁଣିବାରୁ ଅନ୍ୟ ଉପାୟ ନପାଇ ସେମାନେ ଚାଲିଚାଲି ନିଜ ଘରକୁ ବାହାରିଥିଲେ । ତାଲଚେରରୁ ବାହାରି ଥିବା ଏହି ଶ୍ରମିକ ମାନେ ପ୍ରାୟ ୨୪୦ କିଲୋମିଟର ଚାଲି ଚାଲି ଆସିବା ପରେ ଆଜି ସୁନ୍ଦରଗଡରେ ପହଁଚିଛନ୍ତି ।