ସାଥୀଙ୍କ ମୃତ୍ୟୁ ପରେ ଦୁଃଖ ବଖାଣୀଲେ ଶ୍ରମିକ, ନା ମିଳୁଥିଲା ଦରମା ନ ହେଉଥିଲା ପାସ୍ ,ଚାଲି ଚାଲି ବାହାରି ଥିଲୁ ଘରକୁ

Published By : Prameya-News7 Bureau | May 08, 2020 IST

ଔରଙ୍ଗାବାଦ ୮।୫: ଲକଡାଉନ ପରେ ଲକଡାଉନ ଘୋଷଣା କରୁଥିଲେ ସରକାର। ୪୫ ଦିନ ପରେ ଲକଡାଉନ୍ ହଟିବାର ଆଶା ମଉଳି ସାରିଥିଲା। ପାଖରେ ଯାହା ରାସନ ଥିଲା ତାହାବି ସରିଆସୁଥିବା ବେଳେ ଠିକାଦାର ପାଖରେ ବକେୟା  ପୈଠ କରିବାକୁ ପଇସା ନଥିଲା। ପାସ୍ ଲାଗି ଦଉଡା ଧାପଡା କରି ମଧ୍ୟ କିଛି ଫଳ ହେଲାନି। ଏଣୁ ଭୂଷାବଲ ପର୍ଯ୍ୟନ୍ତ କେମିତି ଚାଲିଚାଲି ପଳାଇଲେ ସେଠାରୁ ଭୋପାଲ ଯିବାକୁ ଟ୍ରେନ୍‌ ମିଳିଯିବ ବୋଲି କଥା ହୋଇଥିଲୁ। ସେହି ଅନୁସାରେ ସମସ୍ତ ଚାଲି ଚାଲି ଜାଲନାରୁ ବାହାରି ଆସିଥିଲେ ବୋଲି ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବୀରେନ୍ଦ୍ର ସିଂହ ଓ ସଜ୍ଜନ ସିଂହ କୋହ ଭରା କଣ୍ଠରେ କହିଛନ୍ତି।

{"id":266820,"width":579,"height":385,"sizeSlug":"large"}

ପୋଲିସ  ଜଗୁଆଳି ଯୋଗୁ ଟ୍ରେନ ଲାଇନକୁ ବାଛିଥିଲେ
ରାସ୍ତାରେ ପୋଲିସ ଜଗି ରହିଥିବାରୁ ସେମାନେ ଟ୍ରେନ ଲାଇନରେ ଚାଲି ଚାଲି ଯିବା ସୁବିଧାଜନକ ଭାବିଥିଲେ। କରମାଡ ଷ୍ଟେସନ ଦେଖା ଯାଉଥିଲା, ହେଲେ ସେମାନେ ଚାଲି ଚାଲି ଏତେ ଥକି ଯାଇଥିଲେ ଯେ ପାହୁଣ୍ଡେ ବି ଚାଲିବାକୁ ଇଛା ହେଉନଥିଲା।  ଚାଲି ଚାଲି ଆସିବା ବେଳେ ଗୋଟିଏ ବି ଟ୍ରେନ ସେମାନେ ଦେଖିନଥିଲେ।  ହାଲିଆ ହୋଇ ଯାଇଥିବାରୁ ରେଳ ଲାଇନରେ ଯିଏ ଯେଉଁଠି ପାରିଥିଲେ ଶୋଇଯାଇଥିଲେ। ସକାଳ ଗୁଡସ୍ ଟ୍ରେନ ଶବ୍ଦରେ ନିଦ ଭାଙ୍ଗିଥିଲା। ହେଲେ ଆଖି ଖୋଲିବା ବେଳକୁ ୧୬ ଜଣ ସାଥୀଙ୍କ ଶବ ଛିନଛତ୍ର ହୋଇ ଏଣେତେଣେ ପଡିଥିଲା।

{"id":266812,"sizeSlug":"large"}

ମିଳିନଥିଲା ଦରମା ହେଇପାରିଲାନି ପାସ୍
ସାଥୀଙ୍କୁ ହରାଇଥିବା ଶ୍ରମିକ ବୀରେନ୍ଦ୍ର ସିଂହ ଗଣମାଧ୍ୟମକୁ ସାକ୍ଷାତକାରରେ ଠିକାଦାର ନିକଟରେ ଆମକୁ ଦେବାକୁ ପଇସା ନଥିଲା ବୋଲି କହିଛନ୍ତି। ସେ ମେ ୭ ତାରିଖରେ ଦରମା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ହେଲେ ନ ମିଳି ନଥିଲା। ସେପଟେ ମଧ୍ୟପ୍ରଦେଶରେ ପରିବାର ଆମ ବାଟ ଚାହିଁ ବସିଥିଲେ। ଏଣୁ ଆମେ ସପ୍ତାହେ ହେଲା ପାସ୍ ଲାଗି ଏଠିକି ସେଠିକି ହେଉଥିଲୁ। ହେଲେ କେହି ଆମର ସହାୟତା କରିନଥିଲେ ବୋଲି ବୀରେନ୍ଦ୍ର କହିଛନ୍ତି।

{"id":266821,"width":579,"height":435,"sizeSlug":"large"}

ମାଲଗାଡି ହର୍ଣ୍ଣ  ବଜାଇଥିଲା
ସେମାନଙ୍କର ଯୋଜନା ଥିଲା ପ୍ରଥମେ ଔରଙ୍ଗାବାଦ ପହଞ୍ଚିବେ। ସେଠାରୁ ପରବର୍ତ୍ତି ନିଷ୍ପତ୍ତି ନେବେ। ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତି କରି ଗୁରୁବାର ସନ୍ଧ୍ୟା ୭ଟାରେ ଜାଲନାରୁ ରେଳ ଲାଇନ କଡେ କଡେ ଚାଲିବା ଆରମ୍ଭ କରିଥିଲେ। ରାତି ଯେତେ ବଢୁଥିଲା ପାଦ ଚଲା କଷ୍ଟ ସେତିକି ବଢୁଥିଲା। ଏଣୁ ଚାଲିବା ବେଳେ ରାସ୍ତାରେ ସେମାନେ କେଉଁଠି କେଉଁଠି ରେଳ ଧାରଣାରେ କିଛି କିଛି ସମୟ ବସି ପୁଣି ଚାଲିବାରେ ଲାଗିଥିଲେ। ହେଲେ ସାଥୀମାନଙ୍କୁ ଟ୍ରେନ ଲାଇନରୁ ଦୂରେଇ ଚାଲିବାକୁ ଆମେ ବାରମ୍ବାର କହୁଥିଲୁ। ଯେଉଁମାନେ ଆଗକୁ ଚାଲିଯାଇଥିଲେ ସେମାନେ ରେଳ ଧାରଣା ଉପରେ ଶୋଇଯାଇଥିଲେ ବୋଲି ବୀରେନ୍ଦ୍ର କହିଛନ୍ତି। ରାତିରେ କିଏ କେଉଁଠି ଶୋଇଲା ତାହା ଦେଖି ହେଉନଥିଲା। ଯେଉଁ ପର୍ଯ୍ୟନ୍ତ ଚାଲି ହେଉଥିଲା ସେ ପର୍ଯ୍ୟନ୍ତ ଚାଲିଲୁ ଯେଉଁଠି ପାରିଲୁନି ସେଠି ଶୋଇପଡିଲୁ। ଆମେ ଧାରଣା ଛାଡିକି ଶୋଇଥିଲୁ ବୋଲି ବୀରେନ୍ଦ୍ର କହିଛନ୍ତି। ଶୋଇଥିବା ବେଳେ ଟ୍ରେନ ଆସିବା ଶବ୍ଦ ଶୁଣି ଶାଥୀମାନଙ୍କୁ ଜୋର ପାଟି କରି ସତର୍କ କରାଇବାକୁ ଚେଷ୍ଟା କରିଥିଲୁ। ଟ୍ରେନ ବି ହର୍ଣ୍ଣ ବଜାଇଥିଲା। ହେଲେ ଏତେ ଦ୍ରୁତ ବେଗରେ ଆସୁଥିଲା ଯେ କେହି କିଛି ବୁଝିବା ଆଗରୁ ସବୁ ଶେଷ ହୋଇସାରିଥିଲା।

{"id":266823,"sizeSlug":"large"}

ବ୍ୟାଗ୍ ହେଲା କାଳ
ସମସ୍ତ ଶ୍ରମିକ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟାଗରେ ରଖି ପିଠିରେ ପକାଇ ଚାଲୁଥିଲେ। ଏଣୁ ଯେଉଁଠି ହାଲିଆ ଲାଗୁଥିଲା ସେମାନେ ବ୍ୟାଗ୍‌କୁ ଭରା ଦେଇ ସେଠି କିଛି ସମୟ ବିଶ୍ରାମ କରୁଥିଲେ। ଏମିତି ବିଶ୍ରାମ କରୁ କରୁ କିଛି ଲୋକ ବ୍ୟାଗ ପିଠିରେ ପକାଇ ରେଳ ଧାରଣା ମଝିରେ ଶୋଇଯାଇଥିବା ବେଳେ ଆମେ ଧାରଣା କଡରେ ବ୍ୟାଗକୁ ଭରସା କରି ଶୋଇଥିଲୁ ବୋଲି ଦୁର୍ଘଟଣାରେ ଗୁରୁତର ଆହତ ସଜ୍ଜନ ସିଂହ କହିଛନ୍ତି। ସକାଳେ ଶୋଇଥିବା ବେଳେ କେତେବେଳେ ଟ୍ରେନ ଆସିଲା ଜାଣି ହେଲାନି।  ଟ୍ରେନରେ ବ୍ୟାଗ୍ ଲାଗି ଟାଣି ହୋଇ ଧାରଣା ଆଡକୁ ଘୁଷୁଡି ଯାଇଥିଲୁ। ଜୀବନ ବଞ୍ଚିଗଲା ହେଲେ ଖଣ୍ଡିଆ ଖାବରା ହୋଇଛୁ ବୋଲି କହିଛନ୍ତି ସଜ୍ଜନ। ସେହିପରି ଧାରଣା ମଝିରେ ଶୋଇଥିବା ଲୋକେ ହୁଏତ  ବ୍ୟାଗ୍‌ ଯୋଗୁ ଟ୍ରେନ୍‌ରେ କଟି ମରିଥାଇ ପାରନ୍ତି ବୋଲି ସଜ୍ଜନ ଆଶଙ୍କା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.