ଟଙ୍କା ନେଣଦେଣକୁ ନେଇ ହତ୍ୟାକାଣ୍ଡ, ବାଣୀବିହାର କ୍ୟାମ୍ପସ୍‌ରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | November 06, 2020 IST

ଭୁବନେଶ୍ବର ୬।୧୧: ବାଣୀବିହାର କ୍ୟାମ୍ପସ୍‌ରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର । କ୍ୟାମ୍ପସର ନିର୍ମାଣଧୀନ ବିଲ୍ଡିଂ ପରିସରରେ ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଗୁଜୁରାମ ସିଂ । ସହିଦନଗର ଥାନା ପୋଲିସ ତାଙ୍କ ମୃତଦେହକୁ ଜବତ କରିଛି । ସେପଟେ ହତ୍ୟାକାରୀକୁ ଚିହ୍ନଟ କରାଯାଇଥିବା ବେଳେ ଘଟଣା ପରେ ହତ୍ୟାକାରୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ପୋଲିସର ସୂଚନା ଅନୁସାରେ କ୍ୟାମ୍ପସରେ ଏକାଧିକ ନିର୍ମାଣକାମ ଚାଲିଛି । ମୁଖ୍ୟ ଫାଟକ ସାମ୍ନାରେ ଏକ ନୂଆ ବିଲ୍ଡିଂ ନିର୍ମାଣ ହେଉଥିବା ବେଳେ କନଭୋକେସନ ହଲ୍‌ ବି ଗଢ଼ାଚାଲିଛି । ୨୦ ଦିନ ତଳେ ଗୁଜୁରାମ ସେଠାକୁ କାମ କରିବାକୁ ଆସିଥିଲେ । ତାଙ୍କ ସହ ଆଉ ଜଣେ ମୟୁରଭଞ୍ଜ ବାସିନ୍ଦା ମଧ୍ୟ ଆସିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଥିଲା । ଟଙ୍କା ନେଣଦେଣକୁ ନେଇ କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କାମ ସରିବା ପରେ ଉଭୟେ ଗୁରୁବାର ସନ୍ଧ୍ୟାରେ ବିଲ୍ଡିଂ ଛାତରେ ଏକାଠି ମଦ ପିଇଥିଲେ । ସେଠାରେ ଟଙ୍କା ନେଣଦେଣକୁ ନେଇ ପୁଣି ଝଗଡା ହୋଇଥିଲା । ଉତକ୍ଷୀପ୍ତ ହୋଇ ଶ୍ରମିକ ଜଣକ ଛୁରୀରେ ଗୁଜୁରାମଙ୍କ ବେକକୁ କାଟି ଦେଇଥିଲା ।  

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ଗୁଜୁରାମଙ୍କ ମୃତଦେହ ପଡିଥିବା ଦେଖିଥିଲା । ତାଙ୍କ ବେକରେ ଏକ ଗାମୁଛା ଗୁଡାଇ ହୋଇଥିଲା । ସେ ଉପରମୁହାଁ ହୋଇ ତଳେ ପଡିଥିଲେ । ମୃତଦେହ ଚାରିପାଖ ଚଟାଣରେ ରକ୍ତ ଭାସୁଥିଲା । ବେକରେ ଏକ ଗଭୀର କ୍ଷତ ଚିହ୍ନ ଥିଲା । ସେପଟେ ଅନ୍ୟ ଶ୍ରମିକଙ୍କଠାରୁ ପୋଲିସ ହତ୍ୟାକାରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି । କିଛି ଶ୍ରମିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.